ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରିରେ ଜୈନ କୀର୍ତ୍ତିରାଜି, କଳିଙ୍ଗ ସମ୍ରାଟ ଐର ଖାରବେଳଙ୍କ ବୀରତ୍ବ ଓ କଳାପ୍ରେମର ଗାଥା ସାଇତି ରଖିଛି। ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ହେଲେ ଏହି ଐତିହ୍ୟ ସହିତ ଜଡ଼ିତ ପଞ୍ଚତୀର୍ଥ ପୁଷ୍କରିଣୀକୁ ସମସ୍ତେ ଭୁଲିଯାଇଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ନଜର ଆଢ଼ୁଆଳରେ ରହି ଯାଇଛି ଏହି ପଞ୍ଚତୀର୍ଥ ପୁଷ୍କରିଣୀ।
ଖଣ୍ଡଗିରି ପାହାଡ଼ ଉପରେ ୪ଟି ଓ ଉଦୟଗିରି ଉପରେ ଗୋଟିଏ, ଏମିତି ୫ଟି ଜଳାଶୟ ରହିଛି। ଖଣ୍ଡଗିରି ପାହାଡ଼ ଉପରେ ରହିଛି ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଉଦୟଗିରିରେ ରହିଛି ଲଳିତାକୁଣ୍ଡ। ତନ୍ମଧ୍ୟରେ ଆକାଶଗଙ୍ଗା ଓ ଗୁପ୍ତଗଙ୍ଗା ହେଉଛି ପ୍ରାକୃତିକ ସୁଡ଼ଙ୍ଗ। ଏହିଦ୍ବୟକୁ ବାଦ୍ଦେଲେ ଅନ୍ୟଗୁଡ଼ିକ ଖୋଦିତ ଜଳାଶୟ। ବହୁଦିନ ଧରି ଏହି ସ୍ଥାନଗୁଡ଼ିକର ଯତ୍ନ ନିଆଯାଉ ନଥିବାରୁ ଏବେ ଏହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। କୁଣ୍ଡରେ ଥିବା ପାଣିରେ ଲତା ଭରି ରହୁଥିବାରୁ ତାହା ନୀଳ ରଙ୍ଗ ପାଲଟି ଗଲାଣି। ଏମିତିକି ଗୁପ୍ତଗଙ୍ଗାରେ ଆଉ ପୂର୍ବଭଳି ପାଣି ରହୁନାହିଁ। ଏଠାକୁ ଯିବା ପାଇଁ ରାସ୍ତା ମଧ୍ୟ ନାହିଁ। ପର୍ଯ୍ୟଟକ ଏହା ବିଷୟରେ ଶୁଣିଥିଲେ ମଧ୍ୟ ଏହାକୁ ଦେଖିବାକୁ ଯିବାକୁ ବାଟ ପାଉ ନାହାନ୍ତି। ଫଳରେ ଓଡ଼ିଶା ଇତିହାସ ସହ ଜଡ଼ିତ ଏହି ଐତିହ୍ୟକୁ ଦେଖିବାରୁ ସେମାନେ ବଞ୍ଚିତ ହେଉଛନ୍ତି। ଯେଉଁମାନେ କୁଣ୍ଡକୁ ଦେଖିବା ପାଇଁ ଗୋଡ଼ କାଢ଼ୁଛନ୍ତି ସେମାନେ ଜଙ୍ଗଲ ଭିତରେ ବାଟ ନ ପାଇ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି। କୁହାଯାଏ, ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରୀରେ ତପସ୍ୟା କରୁଥିବା ବା ରହୁଥିବା ମୁନିଋଷିମାନେ ଏହି କୁଣ୍ଡଗୁଡ଼ିକରେ ସ୍ନାନ କରୁଥିଲେ। ପୂଜା ପାଇଁ ଏହାର ଜଳକୁ ବ୍ୟବହାର କରୁଥିଲେ। ମାଘସପ୍ତମୀ ରାତିରେ ପ୍ରଭୁ ଅନନ୍ତ କେଶରୀ ରାଣୀଗୁମ୍ଫାରେ କିଛି ସମୟ ଅବସ୍ଥାନ କରିବା ଅବସରରେ ଲଳିତାକୁଣ୍ଡରେ ଚାପଖେଳ ହେବାର ବିଧି ରହିଥିଲା। ହେଲେ ବାଟ ନଥିବା ଓ ପାଣି ଅସନା ଯୋଗୁ ତାହା ଆଉ ହେଉନାହିଁ।
ଖୁବ୍ ଶୀଘ୍ର ପୁନରୁଦ୍ଧାର ହେବ, ଲାଗୁଛି ଲୁହା ରେଲିଂ: ଏଏସ୍ଆଇ ଅଧୀକ୍ଷକ
କୁମ୍ଭମେଳା ଅବସରରେ ରାଧାକୁଣ୍ଡରେ ସାଧୁସନ୍ଥ ସ୍ନାନ କରନ୍ତି। ପଞ୍ଚତୀର୍ଥ ଭାବେ ପରିଚିତ ଏହି କୁଣ୍ଡଗୁଡ଼ିକରେ ମେଳାକୁ ଆସୁଥିବା ବହୁ ସାଧୁସନ୍ଥ ଏବେବି ଅତି ଆଗ୍ରହର ସହିତ ସ୍ନାନ କରିବାର ଦେଖାଯାଏ। କିଂବଦନ୍ତି ଅନୁସାରେ କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଦ୍ବାରା ଏହି ସବୁ କୁଣ୍ଡ ଖନନ କରାଯାଇଥିଲା। ଏଠାରେ ଯୋଗସାଧନା କରୁଥିବା ମୁନିଋଷିଙ୍କ ବ୍ୟବହାର ପାଇଁ ସମ୍ରାଟ ଏହି କୁଣ୍ଡସବୁ ଖନନ କରାଇଥିଲେ। ଏବେ ପଞ୍ଚତୀର୍ଥ ପୁଷ୍କରିଣୀ ରହିଛି, କିନ୍ତୁ ସେମାନଙ୍କର ପୂର୍ବ ଗୌରବ ଆଉ ନାହିଁ। ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା ଏକପ୍ରକାର ଅଲୋଡ଼ା ହୋଇପଡ଼ିଛି। ପୁଷ୍କରିଣୀଗୁଡ଼ିକ ଯତ୍ନ ଅଭାବରୁ ପ୍ରଦୂଷିତ ହୋଇପଡ଼ିଛି। ପାହାଡ଼ ଉପରେ ବର୍ଷସାରା ଜଳପୂର୍ଣ୍ଣ ରହୁଥିବା ଏହି ପୁଷ୍କରିଣୀଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଗଲେ, ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିପାରନ୍ତା। ଏ ନେଇ ଏଏସ୍ଆଇ ଅଧୀକ୍ଷକ ଏନ୍କେ ସ୍ବାଇଁ କହିଛନ୍ତି, ଖଣ୍ଡଗିରି-ଉଦୟଗିରି ଯମଜ ପାହାଡ଼ର ଉନ୍ନତୀକରଣ ପାଇଁ ଚଳିତ ବର୍ଷ ବହୁ ଯୋଜନା ହାତକୁ ନିଆଯାଇଛି। ପାହାଡ଼ର ଗୁମ୍ଫାକୁ ଅସାମାଜିକଙ୍କ କବଳରୁ ବଞ୍ଚାଇବାକୁ ଜାଲି ବାଡ଼ ଦିଆଯାଇଥିବା ବେଳେ ଲୁହା ରେଲିଂ କରି ଲୋକଙ୍କ ପାଇଁ ବାଟ ତିଆରି ହେଉଛି। ପଞ୍ଚତୀର୍ଥକୁ ପର୍ଯ୍ୟଟକ ବିନା ଦ୍ବିଧାରେ ଯାତାୟାତ କରିବା ପାଇଁ ଏବେ ରାସ୍ତା ତିଆରି କାମ ଚାଲିଛି। ପରେ ଏହାର ପାଣି ନିଷ୍କାସନ କରାଯାଇ ଏହାର ପୁନରୁଦ୍ଧାର କରାଯିବ।