ଖଣ୍ଡଗିରି : କାଳକାଳ ଧରି କଳିଙ୍ଗ ସମ୍ରାଟ ଐର ଖାରବେଳଙ୍କ ବୀରତ୍ବ ଓ କଳାପ୍ରେମର ଗାଥା ଗାଉଛି ଖଣ୍ଡଗିରି। ଖଣ୍ଡଗିରି-ଉଦୟଗିରି ଜୈନ ସମ୍ରାଟଙ୍କର ସ୍ମୃତି ସବୁକୁ ସାଇତି ରଖିଛି ବୁକୁରେ। ପ୍ରାୟ ୪୦ଟି ଗୁମ୍ଫା ସମେତ ସେଠାରେ ରହିଛି ପୁରାତନ ଶିଳାଲିପି, ପଥର ଖୋଦେଇ କୀର୍ତ୍ତିରାଜି। ତତ୍କାଳୀନ ଓଡ଼ିଆ ଶିଳ୍ପୀର ନିହଣ ମୁନ ପ୍ରସ୍ତରରେ ଭରିଥିବା ପ୍ରାଣ ଆଜି ବି ସେଠି ତିଷ୍ଠି ରହିଛି ଓ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫାର କାରୁକାର୍ଯ୍ୟ ଆଜି ପର୍ଯ୍ୟଟକଙ୍କୁ ବିସ୍ମିତ କରିବା ସହ ଓଡ଼ିଆ ଶିଳ୍ପୀର ଗୁଣ ଗାନ କରେ। ସମ୍ରାଟ୍‌ ଖାରବେଳଙ୍କ କଳାପ୍ରୀତି ଯୁଗ ଯୁଗ ପାଇଁ ଓଡ଼ିଆ ଶିଳ୍ପୀକୁ ଏଠି ବଞ୍ଚାଇ ରଖିଛି। ସେହିଭଳି ସମ୍ରାଟ ଖାରବେଳଙ୍କ ବୀରତ୍ବର ଗାଥା ରହିଛି ଶିଳାଲିପିରେ। ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ କଳିଙ୍ଗର ସମୃଦ୍ଧ ଇତିହାସ ଖଣ୍ଡଗିରିର ଶିଳାଖଣ୍ଡରେ ଖୋଦିତ ହୋଇ ରହିଛି।

Advertisment

publive-image Flickr

ଏହି ପାହାଡ଼ କେବଳ ଏକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ। ଏହା ଏକ ସିଦ୍ଧପୀଠ। ଯୋଗ ବା ତପଭୂମି ଭାବେ ଏହା ପୁରାଣ କାଳରୁ ପରିଚୟ ବହନ କରିଆସିଛି। ଜୈନମୁନିମାନଙ୍କ ପୂର୍ବରୁ ବି ଏହା ଥିଲା ଏକାମ୍ର ବନର ଏକ ପବିତ୍ର ଅଂଶ। ପୁରାଣ କୁହେ, କୃଷ୍ଣ ଭଗବାନଙ୍କ ପୁତ୍ର ଶାମ୍ବ ମହୋଦଧି ତଟସ୍ଥ ଚନ୍ଦ୍ରଭାଗାରେ ତପ ସାଧନ କରି ଶାପମୁକ୍ତି ହେବା ପରେ ବି ଖଣ୍ଡଗିରିକୁ ଆସି ସୂର୍ଯ୍ୟ ଆରାଧନା କରିଥିଲେ। ସେହିଭଳି ପର୍ଶୁରାମ ମଧ୍ୟ ଏଠାରେ ଯୋଗସାଧନ କରିଥିଲେ ବୋଲି ପୁରାଣରେ କୁହାଯାଇଛି। ଏହା ପରେ ଏହି ପାହାଡ଼ ଜୈନମୁନିମାନଙ୍କୁ ଆକୃଷ୍ଟ କରିଥିଲା। ଆଜି ପାହାଡ଼ ଶୀର୍ଷରେ ରହିଛି ଭାରତର ଅନ୍ୟତମ ସୁପ୍ରସିଦ୍ଧ ଜୈନପୀଠ। ବଡ଼ କଥା ହେଉଛି, ଏହି ପାହାଡ଼ରେ ଥିବା ପାଖାପାଖି ଶହେ ପ୍ରଜାତିର ଔଷଧୀୟ ବୃକ୍ଷଲତା ଏହାର ମାହାତ୍ମ୍ୟ ବହନ କରେ। ବିଶ୍ବାସ କରାଯା‌ଏ, ଏତେ ପ୍ରକାରର ଔଷଧୀୟ ବୃକ୍ଷଲତା ହିଁ ଯୁଗଯୁଗ ଧରି ସାଧୁମାନଙ୍କୁ ଏଠାକୁ ଟାଣି ଆଣିପାରିଛି। ତେଣୁ ଏହି ପାହାଡ଼କୁ ଦିନେ ସିଦ୍ଧଗିରି ବୋଲି କୁହାଯାଉଥିଲା।

publive-image Indrosphere

ଐତିହାସିକମାନଙ୍କ ମତ ଯେ ଏଠାରେ ରହିଛି ୨୨୦୦ ବର୍ଷର କୀର୍ତ୍ତି। ସାଧୁ ସନ୍ନ୍ୟା‌ସୀଙ୍କ ତପସ୍ୟା ପାଇଁ ତତ୍କାଳୀନ ରାଜାମାନେ ୭୫୨ଟି ଗୁମ୍ଫା ତିଆରି କରିଥିଲେ। ତେବେ ସମ୍ରାଟ ଖାରବେଳଙ୍କ ଅମଳରେ ରାଣୀ ଗୁମ୍ଫା ଓ ହାତୀ ଗୁମ୍ଫା ଭଳି ବଡ଼ବଡ଼ ୧୩ଟି ଗୁମ୍ଫା ଖନନ କରାଯାଇଥିଲା। କାଳକ୍ରମେ ବହୁ ଗୁମ୍ଫା ବିଲୁପ୍ତ ହୋଇଯାଇଛି ଓ ବର୍ତ୍ତମାନ ଏଠାରେ ଥିବା ୫୦ ଗୁମ୍ଫା ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।। ମାତ୍ର ପରିତାପର କଥା ପାହାଡ଼ର କୀର୍ତ୍ତିରାଜି ଆଜି କ୍ଷତାକ୍ତ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଯେତିକି ସୁରକ୍ଷା ଦେବା କଥା ସେତିକି ହେଉନାହିଁ। ପ୍ରାଚୀନ ସ୍ମାରକ ତଥା ପ୍ରତ୍ନତାତ୍ତ୍ବିକ ସ୍ଥାନ ଓ ଅବଶେଷ ଅଧିନିୟମ ୧୯୫୮ ଧାରା ୨୪ ଅନୁଯାୟୀ, ଖଣ୍ଡଗିରିକୁ ରାଷ୍ଟ୍ରୀୟ ମାନ୍ୟତା ମିଳିଛି। ମାତ୍ର ତାହା କେବଳ କାଗଜପତ୍ରରେ ସୀମିତ ରହିବା ଅଭିଯୋଗ ହୁଏ। କ୍ଷୟ ହେବାକୁ ବସିଥିବା ପ୍ରସ୍ତର କୀର୍ତ୍ତିକୁ ସଂରକ୍ଷଣ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉନାହିଁ।

ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଖଣ୍ଡଗିରିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ କରାଯିବ ବୋଲି ରାଜ୍ୟ ସରକାର ୨୦୧୪ରୁ ସ୍ବପ୍ନ ଦେଖେଇ ଆସୁଛନ୍ତି। କିନ୍ତୁ ତାହା ଆଜି ବି ଏକ ସ୍ବପ୍ନ ହୋଇରହିଛି। ଧଉଳି ଓ କୋଣାର୍କରେ ଲାଇଟ୍‌ ସାଉଣ୍ଡ ସୋ’ ଚାଲିଥିବା ବେଳେ ଖଣ୍ଡଗିରିର ଏହି ପରିକଳ୍ପନା ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି।