ଖଣ୍ଡଗିରି ପୁଲିସ୍‌କୁ ଆକ୍ରମଣ ମାମଲା, ୩୦ ଗ୍ରାମବାସୀଙ୍କୁ ମିଳିଲା ଜାମିନ

‌ଭୁବନେଶ୍ବର: ଖଣ୍ଡଗିରି ଥାନା ଇନ୍ସପେକ୍ଟର୍‌ଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଜେଲ୍‌ ଯାଇଥିବା ଜଗନ୍ନାଥ ନଗରର ୩୦ଜଣ ଅଭିଯୁକ୍ତଙ୍କୁ ଆଜି ଜାମିନ୍‌ ମିଳିଛି। ଖୋର୍ଧା ଜିଲ୍ଲା ଜଜ୍‌ ରାଧାକୃଷ୍ଣ ପଟ୍ଟନାୟକ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଗତ ସେପ୍ଟେମ୍ବର ୧ ତାରିଖ ରାତି ୯ଟାରେ ଯଦି ଇନ୍ସପେକ୍ଟରଙ୍କୁ ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରାଗଲା, ସକାଳ ୯ଟାରୁ ସେ କିପରି ଥାନାରେ ଏତଲା ଦେଲେ। ଏତଲାରେ ମଧ୍ୟ ଦର୍ଶାଯାଇଛି ଯେ ଗ୍ରାମବାସୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ଟେକାପଥର ଓ ପେଟ୍ରୋଲ ବୋମା ମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଘଟଣାର ମାତ୍ର ୧୨ ଘଣ୍ଟା ପରେ କିଭଳି ଇନ୍ସପେକ୍ଟର୍‌ ହସ୍ପିଟାଲରୁ ଆସି ଏତଲା ଦେବାରେ ସକ୍ଷମ ହେଲେ ବୋଲି ଓକିଲ ପ୍ରଶ୍ନ କରିଥିଲେ। ପୁଲିସ ଆକ୍ରୋଶମୂଳକ ଭାବେ ହତ୍ୟା ଉଦ୍ୟମ ଦଫା ଲଗାଇ ନିରୀହଙ୍କୁ ଗିରଫ କରିଛି ବୋଲି ଓକିଲ ଯୁକ୍ତି ବାଢ଼ିବା ସହ ଗ୍ରାମବାସୀମାନଙ୍କୁ ଜାମିନ୍‌ ପ୍ରଦାନ କରିବାକୁ ଗୁହାରି କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଅରୂପ କୁମାର ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ସୂଚନା ମୁତାବକ, ଜଗନ୍ନାଥ ନଗରର କେତେକ ବାସିନ୍ଦା ଓ ଛକର କେତେକ ଦୋକାନୀଙ୍କୁ ଦୁଇ ଜଣ ଦାଦାବଟି ମାଗିବା ସହ ମାଡ଼ ମାରିଥିଲେ। ଦୀର୍ଘ ସମୟ ଧରି ‌ସେମାନେ ଦାଦାଗିରି କରିବା ସହ ମାରପିଟ୍‌ କରିବାରୁ କିଛି ଲୋକ ଆହତ ହୋଇଥିଲେ। ଶେଷରେ ଗ୍ରାମବାସୀ ଓ ଦୋକାନୀ ଏକାଠି ହୋଇ ଏହି ଦାଦାଗିରି କରୁଥିବା ଦୁଇଜଣ ଅଗ୍ନି ଷଡ଼ଙ୍ଗୀ ଓ ବଳିଆ ରାଉତରାୟଙ୍କୁ ଧରି ଛେଚିବା ସହ ପୁଲିସ୍‌ ଜିମା ଦେଇଥିଲେ। ହେଲେ ପୁଲିସ୍‌ ଏହି ଦୁଇଜଣଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସା କରାଇ ଗିରଫ କରିବା ପରିବର୍ତ୍ତେ ଛାଡ଼ି ଦେଇଥିଲା। ଫଳରେ ଦୁଇଜଣଯାକ ହସ୍‌ପିଟାଲ୍‌ରୁ ଫେରିବାର ୨୪ ଘଣ୍ଟା ପରେ ପୁଣି ଥରେ ଖଣ୍ଡା ଧରି ଛକରେ ଉତ୍ପାତ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ଲୋକେ ଆଇଗିଣିଆ ଛକରେ ଥିବା ବଳିଆର ହୋଟେଲକୁ ଜାଳି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲା। ପାଖାପାଖି ୫ଶହ ଗ୍ରାମବାସୀ ଟେକାପଥର ମାଡ଼ କରିବାରୁ ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ବାଇଁଙ୍କ ସମେତ ଆଉ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ପିସିଆର ଭ୍ୟାନ୍‌ ମଧ୍ୟ ଆକ୍ରମଣରେ ଭାଙ୍ଗିରୁଜି ଯାଇଥିଲା। ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ପରେ ଇନ୍‌ସ୍‌ପେକ୍ଟରଙ୍କ ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରି ୩୦ ଜଣ ଗ୍ରାମବାସୀଙ୍କୁ ଜେଲ୍‌ ପଠାଇ ଦେଇଥିଲା।

ସମ୍ବନ୍ଧିତ ଖବର