ଭୁବନେଶ୍ବର : ଲାଞ୍ଚ ଆକାରରେ ୫୦ ହଜାର ଟଙ୍କା ନେଉଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପଞ୍ଝାରେ ଧରାପଡ଼ିଛନ୍ତି ଖଣ୍ଡଗିରି ଥାନାର ଏସ୍ଆଇ ସୁଶାନ୍ତ ସ୍ବାଇଁ। ଏସ୍ଆଇ ଶ୍ରୀ ସ୍ବାଇଁଙ୍କ ସହିତ ଡାଟା ଏଣ୍ଟ୍ରିଅପରେଟର୍ ଚିରଞ୍ଜୀବି ବାଲା ବି ଭିଜିଲାନ୍ସ ଟିମ୍ ହେପାଜତରେ ଅଛନ୍ତି। ଭରତପୁର ଥାନା ନାକା ଗେଟ୍ ନିକଟରେ ଏହି ଲାଞ୍ଚ ଟଙ୍କା ଦେଣନେଣ ହେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ କାବୁ କରିଛି। ଏକ ମାମଲାରେ ଜଣେ ବିଲ୍ଡରଙ୍କୁ ଗିରଫ ନକରିବାକୁ ଏସ୍ଆଇ ଶ୍ରୀ ସ୍ବାଇଁ ଲାଞ୍ଚ ଦାବି କରିଥିଲେ। ଗୋଟିଏ ପଟେ ଭିଜିଲାନ୍ସ ଟିମ୍ ଏସ୍ଆଇ ଶ୍ରୀ ସ୍ବାଇଁଙ୍କୁ ଟ୍ରାପ୍ କରିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସର ଅନ୍ୟ ଟିମ୍ ତାଙ୍କର ଦୁଇ ଦୁଇଟି ଘରେ ପଞ୍ଝା ମାରିଛି। ଭରତପୁର ଥାନା ଘାଟିକିଆରେ ଥିବା ଘର ସହ କଟକ ଔପଦା ଅନୁଜପୁରସ୍ଥିତ ପୈତୃକ ଘରେ ସମାନ୍ତରାଳ ଚଢ଼ଉ ଚାଲିଛି। ଚଢ଼ଉ ବେଳେ ବିପୁଳ ପରିମାରଣର ସୁନାଗହଣା, ଟଙ୍କା, ଜମି ଆଦି ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ ବିଲ୍ଡର ପ୍ରକାଶ ଚନ୍ଦ୍ର ନାୟକ ୨୦୨୧ ମସିହାରେ ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କୁ ଖଣ୍ଡଗିରି ଅଞ୍ଚଳରେ ପ୍ଲଟ୍ ଦେବାକୁ କହିଥିଲେ। ସେଥିପାଇଁ ପ୍ରକାଶ ଅଗ୍ରିମ ଆକାରରେ ୧୬ଲକ୍ଷ ଟଙ୍କା ନେଇଥିଲେ। ଜମି ରେଜିଷ୍ଟ୍ରି ପରେ ବାକି ଟଙ୍କା ଦିଆନିଆ ହେବାର ଥିଲା। କିନ୍ତୁ ଜମି ରେଜିଷ୍ଟ୍ରି ପରେ କ୍ରେତା ପୁଲିସ ଅଧିକାରୀ ଓ ବିଲ୍ଡର ପ୍ରକାଶଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଉପୁଜିଥିଲା। ତେଣୁ ଜମି କ୍ରେତା ପୁଲିସ ଅଧିକାରୀ ଖଣ୍ଡଗିରି ଥାନାରେ ପ୍ରକାଶଙ୍କ ନାମରେ ଠକେଇ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାର ତଦନ୍ତ ଭାର ନେଇଥିଲେ ଏସ୍ଆଇ ଶ୍ରୀ ସ୍ବାଇଁ। ସେ ପ୍ରକାଶଙ୍କୁ ବାରମ୍ବାର ଫୋନ୍ କରି ମାମଲାର ରଫାଦଫା ପାଇଁ ୫ଲକ୍ଷ ଟଙ୍କା ମାଗିଥିଲେ। ନଚେତ୍ ଗିରଫ କରିବେ ବୋଲି ଧମକ ଦେଇଥିଲେ।
ପ୍ରକାଶ ଏସମ୍ପର୍କରେ ନିଜ ଆଇନଜୀବୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏସ୍ଆଇ ଶ୍ରୀ ସ୍ବାଇଁଙ୍କ ଦର ୫ ଲକ୍ଷ ଟଙ୍କାରୁ କମିକମି ୨ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପ୍ରଥମେ ୫୦ ହଜାର ଟଙ୍କା ନେବେ ଓ କାଗଜପତ୍ର ଠିକ୍ କରିବା ପରେ ଅବଶିଷ୍ଟ ଦେଢ଼ ଲକ୍ଷ ଟଙ୍କା ଦିଆଯିବ ବୋଲି କଥା ଛିଡ଼ିଥିଲା। ଏହା ଭିତରେ ପ୍ରକାଶ ଓ ଆଇନଜୀବୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଟଙ୍କା ଦେଣନେଣ ପାଇଁ ଆଜିକୁ କଥା ଛିଡ଼ିଥିଲା। ସୁଶାନ୍ତ ଟଙ୍କା ଧରି ଥାନାକୁ ଯିବାକୁ ବାହାରିଥିବା ବେଳେ ଏସ୍ଆଇ ଶ୍ରୀ ସ୍ବାଇଁ ତାଙ୍କୁ ଥାନାକୁ ନ ଆସି ନାକା ଗେଟ୍ ପାଖରେ ଅପେକ୍ଷା କରିବାକୁ କହିଥିଲେ। ସେହି ଅନୁସାରେ ପ୍ରକାଶ ଓ ଭିଜିଲାନ୍ସ ଟିମ୍ ନାକା ଗେଟ୍ ନିକଟରେ ଅପେକ୍ଷା କଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ଏସ୍ଆଇ ଶ୍ରୀ ସୁଶାନ୍ତ ଓ ଡାଟା ଏଣ୍ଟ୍ରିଅପରେଟର ଚିରଞ୍ଜୀବି ଏକ ବୁଲେଟ୍ ଯୋଗେ ସେଠାରେ ପହଞ୍ଚି ପ୍ରକାଶଙ୍କଠାରୁ ଟଙ୍କା ନେଇଥିଲେ। ସେମାନେ ଟଙ୍କା ନେବା ମାତ୍ରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ସେମାନଙ୍କୁ ଘେରି ଯାଇଥିଲା।
ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ସୁଶାନ୍ତ ଏସ୍ଆଇ ଭାବେ ଚାକିରିରେ ଯୋଗଦେଇଥିଲେ। ପ୍ରଶିକ୍ଷଣ ସରିବା ପରେ ୨୦୧୭ ମସିହାରେ ସେ କମିସନରେଟ୍ ପୁଲିସର ବାଲିଅନ୍ତା ଥାନାରେ ଯୋଗଦେଇଥିଲେ। ୨୦୧୯ ମସିହାରେ ତାଙ୍କର ଖଣ୍ଡଗିରି ଥାନାକୁ ବଦଳି ହୋଇଥିଲା।