ମାଡ଼ ଖାଇବା ପରେ ପ୍ରେମିକ ନିଖୋଜ

ଖଣ୍ଡଗିରି: ଏକତରଫା ପ୍ରେମ କରୁଥିବା ଜଣେ ବିଫଳ ପ୍ରେମିକ ବିଚ୍ ରାସ୍ତାରେ ଯୁବତୀଙ୍କ ବାପା ଭାଇଙ୍କଠାରୁ ମାଡ଼ ଖାଇବା ପରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ଖଣ୍ଡଗିରି ଥାନାରେ ଯୁବକଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଯୁବତୀଙ୍କ ବାପାଭାଇ ତାଙ୍କ ପୁଅକୁ ଅପହରଣ କରି କେଉଁଠି ଗାଏବ୍ କରି ନିର୍ଯାତନା ଦେଉଥିବା ସନ୍ଦେହ କରି ଯୁବକଙ୍କ ବାପା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସେହିଭଳି ଯୁବକ ଜଣଙ୍କ ଆତ୍ମଗୋପନ କରି ଯୁବତୀଙ୍କୁ ବଦ୍‌ନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଯୁବତୀଙ୍କ ପରିବାର ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି। ଘଟଣାଟି ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତମାଣ୍ଡୋ କଳିଙ୍ଗବିହାର ଅଞ୍ଚଳରେ ରହୁଥିବା ଯୁବକ ଜଣଙ୍କ ଖଣ୍ଡଗିରି ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ। ବାଟରେ ଘାଟରେ ତାଙ୍କୁ ପ୍ରେମ ନିବେଦନ କରୁଥିଲେ। ସୋମବାର ଅପରାହ୍ଣ ପ୍ରାୟ ୨ଟାବ‌େଳେ ଯୁବତୀ ଜଣଙ୍କ ନିଜ ସ୍କୁଟିରେ ଘରକୁ ଫେରୁଥିବାବେଳେ ଡେଲ୍‌ଟା ଛକରେ ଯୁବକ ଜଣଙ୍କ ତାଙ୍କୁ ଅଟକାଇଥିଲେ। ସଙ୍ଗେସଙ୍ଗେ ଯୁବତୀ ଜଣଙ୍କ ଫୋନ୍‌ କରି ଘଟଣାସ୍ଥଳକୁ ବାପା ଓ ଭାଇଙ୍କୁ ଡକାଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲ‌େ। ଏହାର କିଛି ସମୟ ପରେ ଯୁବକ ଜଣଙ୍କ ତାଙ୍କ ବାପାଙ୍କୁ ମେ‌ସେଜ୍ କରି ଏହି ଆକ୍ରମଣ ବାବଦରେ କହିଥିଲେ। ସେ ଆଉ ପୁଅକୁ ପାଇବେ ନାହିଁ ବୋଲି ମେସେଜ୍ ରେ ଲେଖିଦେଇଥିଲେ। ଏଭଳି ଖବର ପାଇବା ପରେ ଯୁବକଙ୍କ ବାପା ତୁରନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଯୁବତୀଙ୍କ ବାପା ମଧ୍ୟ ଥାନାରେ ପାଲଟା ଅଭି‌ଯୋଗ କରିଛନ୍ତି। ରାସ୍ତାରେ ଅଟକାଇ ଝିଅକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ମାଡ଼ ମାରିଥି‌ଲା ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଯୁବକ ଜଣଙ୍କ ଆତ୍ମଗୋପନ କରିଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର