ବିପଜ୍ଜନକ ସ୍ଥିତିରେ ଖଣ୍ଡଗିରି ବିଦ୍ୟୁତ ବିତରଣ ବ୍ୟବସ୍ଥା

ଗୋଟିଏ ଦିନରେ ୭୬ କଲ୍‌, ସାମାନ୍ୟ ପବନରେ ଖୁଣ୍ଟରୁ ଝୁଲି ପଡ଼ୁଛି ତାର

ଖଣ୍ଡଗିରି : ବିପଜ୍ଜନକ ସ୍ଥିତିରେ ଖଣ୍ଡଗିରିର ବିଦ୍ୟୁତ ବିତରଣ ବ୍ୟବସ୍ଥା। ସାମାନ୍ୟ ପବନରେ ବିଜୁଳି ଖୁଣ୍ଟରୁ ଖସି ପଡ଼ୁଛି ତାର। ଆଶଙ୍କା ଅନୁସାରେ ଏଠାରେ ବାତ୍ୟା, ବର୍ଷା ନହୋଇ ମଧ୍ୟ ବିଜୁଳି ବିଭ୍ରାଟ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକେ ୨୪ ଘଣ୍ଟାରୁ ୩୬ ଘଣ୍ଟା ଅନ୍ଧାରରେ ରହିଥିଲେ। ରାସ୍ତାରେ ବିଜୁଳି ତାର ଝୁଲି ପଡ଼ିଥିବାରୁ ଅଘଟଣକୁ ଆମନ୍ତ୍ରଣ କରିଥିଲା। ଖଣ୍ଡଗିରି ବିଜୁଳି ବିଭାଗର ସୂଚନା ଅନୁସାରେ, ଗୋଟିଏ ଦିନରେ ତାଙ୍କ ପାଖକୁ ୭୬ଟି ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ଅଭିଯୋଗ ଆସିଥିଲା। ସେଥିରୁ କେବଳ ୭୨ଟି ବିଜୁଳି ତାର ଖସି ପଡ଼ିବା ନେଇଥିବା କୁହାଯାଇଛି।

ଦୁଇ ଦିନର ପବନ, ବର୍ଷା ପରେ ବୁଧବାର ଖଣ୍ଡଗିରି ଠାରୁ କଳିଙ୍ଗ ବିହାର ପର୍ଯ୍ୟତ ବିଦ୍ୟୁତ ବିଭାଗର ଦୟନୀୟ ଚିତ୍ର ଦେଖିବାକୁ ମିଳିଥିଲା। ବିଗତ ବର୍ଷ ମାନଙ୍କରେ ଅନେକ ବାତ୍ୟାକୁ ଉକ୍ତ ଅଂଚଳ ଲୋକେ ସମ୍ମୁଖୀନ କରିଥିଲେ ହେଁ ବିଦ୍ୟୁତ୍ ବିଭାଗ ଏଥିରୁ କିଛି ଶିକ୍ଷା ନେଇ ପାରୁନାହିଁ। ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ପଡ଼ିଛି। ଖୁଣ୍ଟରୁ ତାର ଖସି ପଡ଼ିଥିଲା। କେବଳ ସେତିକି ନୁହେଁ ଷ୍ଟୁଡିଓ ଛକ ନିକଟସ୍ଥ ବସ୍ତିରେ ତାର ଛିଣ୍ଡି ସେଥିରୁ ଅନେକ ସମୟ ପର୍ଯ୍ୟନ୍ତ ନିଆଁ ବାହାରିଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଥିସଂକ୍ରାନ୍ତରେ ଖଣ୍ଡଗିରି ବିଦ୍ୟୁତ ବିଭାଗକୁ ଅଭିଯୋଗ ହୋଇଥିଲେବି କେହି ଗୁରୁତ୍ବ ଦେଇନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କହିଛନ୍ତି। ସ୍ଥାନୀୟ ଅଧିବାସୀ ସୁଲତା ଦେହୁରୀ କୁହନ୍ତି ସେ ତାଙ୍କ ଘର ଉପରେ ଥିବା ବିଦ୍ୟୁତ୍ ତାର ସଜାଡିବା ପାଇଁ ସକାଳ ୬ ଟାରେ ବିଦ୍ୟୁତ ବିଭାଗକୁ ସମ୍ପର୍କ କରିଥିଲେ ହେଁ ଦିନ ୧୨ଟା ପର୍ଯ୍ୟନ୍ତ ତାଙ୍କ ସମସ୍ୟା ଦୂର କରିବାକୁ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ନଥିଲେ। କେବଳ ସେତିକି ନୁହେଁ ଥରକୁ ଦୁଇ ଥର ଯୋଗାଯୋଗ କଲେ କର୍ମଚାରୀମାନେ ରାଗି ଯାଇ ଗାଳିଗୁଲଜ କରିଛନ୍ତି। କଳିଙ୍ଗ ବିହାର ଉପଭୋକ୍ତା ଧରଣୀ ଧର ଆଚାର୍ଯ୍ୟ କୁହନ୍ତି ଯେଉଁ ପରିମାଣରେ ବିଦ୍ୟୁତ ଟ୍ରାନ୍ସଫର୍ମର ବସିବା କଥା ବିଦ୍ୟୁତ ବିଭାଗ ସେତିକି ପରିମାଣରେ ଟ୍ରାନ୍ସଫର୍ମର ବସାଉ ନାହିଁ। ଫଳରେ ଲୋଡ୍‌ ପଡ଼ି ଅନେକ ସମୟରେ ଖୁଣ୍ଟିରେ ତାର ପୋଡ଼ି ଯାଉଛି। ବିଦ୍ୟୁତ୍ ଯୋଗାଣରେ ଅସମାନତା ଦେଖାଦେଉଛି।

ସମ୍ବନ୍ଧିତ ଖବର