ଖଣ୍ଡଗିରି ରାସ୍ତାର ଓଭରହେଡ୍‌ ବ୍ୟାରିଅର୍‌: ଫାଳେ ଲାଗିଲା, ଆର ଫାଳକ ମିଳୁନି

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚଳାଚଳକୁ ବାରଣ କରାଯାଇଛି। ଐତିହ୍ୟର ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି। ମାତ୍ର ଏବେ ବି ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ହୋଇନାହିଁ। ଗୋଟିଏ ପାର୍ଶ୍ବରେ ଓଭରହେଡ୍‌ ବ୍ୟାରିଅର୍‌ ଲଗାଯାଇଥିବା ବେଳେ ଅପରପାର୍ଶ୍ବ ମେଲା ପଡ଼ିଛି। ତେଣୁ ଭୁଲବଶତଃ କିଛି ଭାରୀଯାନ ଏହି ରାସ୍ତାକୁ ପଶିଯାଇ ପୁଣି ପଛକୁ ଫେରୁଛନ୍ତି। ମେଲା ପଡ଼ିଥିବା ପାର୍ଶ୍ବରେ ଓଭରହେଡ୍‌ ବ୍ୟାରିଅର୍‌ ଲାଗି ପାରି ନଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ, ଏହି ରାସ୍ତାର ଦୁଇ ପାର୍ଶ୍ବ ଯଥା ଜୟଦେବ ବାଟିକା ଓ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଦୁଇଟି ଓଭରହେଡ୍‌ ବ୍ୟାରିଅର୍‌ ଥିଲା। ଏହି ଟ୍ରାଫିକ୍‌ ଛକରେ ଫ୍ଲାଏଓଭର୍‌ ନିର୍ମାଣ ଚାଲିଥିବା ବେଳେ କୌଣସି ଗାଡ଼ି ଧକ୍କାରେ ଦୁଇଟି ଯାକ ବ୍ୟାରିଅର୍‌ ଭାଙ୍ଗି ଯାଇଥିଲା। କେହି ଜାଣିଶୁଣି ଗାଡ଼ି ଧକ୍କା କରାଇ ଦୁଇଟି ଯାକ ବ୍ୟାରିଅର୍‌କୁ ଭାଙ୍ଗି ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ଫଳରେ ପୁଣି ସେହି ରାସ୍ତାରେ ଭାରୀଯାନ ଅବାଧରେ ଚଳାଚଳ ହେଲା। ଏ ନେଇ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରସାରଣ ହେବା ପରେ ପୂର୍ତ୍ତ ବିଭାଗ ଜୟଦେବବାଟିକା ପାର୍ଶ୍ବରେ ତଳେ ପଡ଼ିଥିବା ବ୍ୟାରିଅର୍‌କୁ ମରାମତି କରି ଲଗାଇଥିଲା। ଫଳରେ ପ୍ରାୟ ମାସେ ହେଲା ଏହି ରାସ୍ତାରେ ଆଉ ଭାରୀଯାନ ଚଳାଚଳ କରିପାରୁନାହିଁ। କିନ୍ତୁ ଖଣ୍ଡଗିରି ଟ୍ରାଫିକ୍‌ ଛକ ପାର୍ଶ୍ବରେ ଥିବା ବ୍ୟାରିଅର୍‌ ଏ ପର୍ଯ୍ୟନ୍ତ ଲାଗି ପାରିନାହିଁ। ଫଳରେ ବହୁ ଭାରୀଯାନ ଏହି ଛକ ପଟୁ ଭିତରକୁ ପଶି ଯାଉଛନ୍ତି ଓ ଜୟଦେବ ବାଟିକା ଛକରେ ଲାଗିଥିବା ବ୍ୟାରିଅର୍‌ ଦେଖି ପୁଣି ପଛକୁ ଫେରୁଛନ୍ତି। ଏହାଦ୍ବାରା ବିଭିନ୍ନ ସମୟରେ ରାସ୍ତା ଜାମ୍‌ ହେଉଛି।

ପର୍ଯ୍ୟଟକମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ପୂର୍ତ୍ତ ବିଭାଗ ସୂଚନାନୁସାରେ, ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଲାଗିଥିବା ବ୍ୟାରିଅର୍‌ କୁଆଡ଼େ ଗଲା, ତାହା ମିଳୁନାହିଁ। ଫ୍ଲାଏଓଭର ବ୍ରିଜ୍ କାମ ଚାଲିଥିବା ବେଳେ ତାହାକୁ ସର୍ଭିସ୍‌ ରୋଡ୍‌ କଡ଼ରେ ରଖାଯାଇଥିଲା। କିନ୍ତୁ ଏବେ ତାହା ମିଳୁ ନାହିଁ। ତେଣୁ କେହି ତାକୁ ଚୋରି କରିନେଇଥିବା ସନ୍ଦେହ କରାଯାଉଛି। ଏ ନେଇ ବିଭାଗ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇନାହିଁ। ହଜି ଯାଇଥିବା ବ୍ୟାରିଅର୍‌କୁ ଖୋଜା ଯାଉନାହିଁ କି ନୂଆ ବ୍ୟାରିଅର୍‌ ଲଗାଇବାକୁ ବି କିଛି ଯୋଜନା କରାଯାଉନାହିଁ। ଏଣେ ଭାରୀଯାନ ଚଳାଚଳ ଯୋଗୁଁ ପର୍ଯ୍ୟଟକମାନେ ଚଳପ୍ରଚଳ ହେବା ପାଇଁ ସମସ୍ୟାରେ ପଡ଼ୁଥିବା ବେଳେ ପାହାଡ଼ର ସୁରକ୍ଷା ପ୍ରତି ପୁଣି ବିପଦ ସୃଷ୍ଟି ହୋଇଛି। ତୁରନ୍ତ ଓଭରହେଡ୍‌ ବ୍ୟାରିଅର୍‌ ଲଗାଇବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର