ବିପଦପୂର୍ଣ୍ଣ ଅବସ୍ଥାରେ ଖଣ୍ଡଗିରି ସାଇନ୍‌ବୋର୍ଡ, ଢଳି ରହିଛି ତୋରଣ

ଭୁବନେଶ୍ବର: ଖଣ୍ଡଗିରି ଛକରେ ଦଣ୍ଡାୟମାନ ବୃହତ୍‌ ମାର୍ଗଦର୍ଶନ (ସ୍ଥାନ ନି‌ର୍ଦ୍ଦେଶିକା) ତୋରଣ ବାହାର ପଟକୁ ଢଳି ପଡ଼ିଛି। ଏପରିକି ଛିଡ଼ା ହୋଇଥିବା ଲୁହା ତୋରଣ ଖୁଣ୍ଟରୁ କେତେକ ନଟ୍‌ ଖସି ପଡ଼ିଛି। ଯେଉଁ ପ୍ଲେଟ୍‌ ଉପରେ ଏହା ଦଣ୍ଡାୟମାନ, ତାହାର କିଛି ଅଂଶ ବି ଉପୁଡ଼ି ପଡ଼ିଛି। ନିକଟରେ ହୋଇଥିବା ବର୍ଷା ପବନ ସମୟରେ ଏହା ଏପରି ଢଳି ପଡ଼ିଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ଏପରି ବିପଦପୂର୍ଣ୍ଣ ଭାବେ ଢଳି ରହିଥିବାରୁ, ପବନରେ ଆଉ ଏକ ଶକ୍ତ ଧକ୍କା ପାଇଲେ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ଏହାର ମରାମତି ଆବଶ୍ୟକ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି।

ଏବେ ଲକ୍‌ଡାଉନ ଯୋଗୁଁ ସେଠାରେ ପୁଲିସମାନେ ପ୍ରତ୍ୟେକ ଦିନ ଦାୟିତ୍ବ ନିର୍ବାହ କରୁଛନ୍ତି। ସେଇ ନିକଟରେ ଏହି ବଡ଼ ଖୁଣ୍ଟଟି ଲଟକି ରହିଥିବା ବେଳେ ଗୋଟେ ଖୁଣ୍ଟର ପ୍ରଭାବରେ ଅନ୍ୟ ଦୁଇଟି ଖୁଣ୍ଟ ଛିଡ଼ା ହୋଇଥିବା ପ୍ଲେଟ୍‌ ବି ଉପରକୁ ଉଠି ଯାଇଛି। ଆଗକୁ ବର୍ଷା ପବନ ଆହୁରି ଥିବାରୁ, ଯଦି ଏବେଠୁ ତାକୁ ସଜଡ଼ା ନଯାଏ ତେବେ ତାହା କେବେ କାହା ଉପରେ ପଡ଼ିବ, କହିହେବ ନାହିଁ। ଖଣ୍ଡଗିରି ଛକ ଜନଗହଳିପୂର୍ଣ୍ଣ ଛକ ହୋଇଥିବା ବେଳେ ଏହି ବାଟ‌ ଦେଇ ବହୁ ଯାନବାହନ ଯାତାୟାତ କରେ। ତେଣୁ ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଇ ଏହାକୁ ନିର୍ମାଣ କରୁ, ନଚେତ ଏହାକୁ ଏଠାରୁ ହଟାଇ ଦିଆଯାଉ ବୋଲି ବ୍ୟବସାୟୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର