ନୂଆରୂପ ପାଇବ ଖଣ୍ଡଗିରି-ଉଦୟଗିରି : ଖର୍ଚ୍ଚ ହେବ ୪.୬୪ କୋଟି, ଖୋଲିବ କାଫେଟେରିଆ
ଉଦୟଗିରି ଟିକେଟ୍ କାଉଣ୍ଟରର ସମ୍ପ୍ରସାରଣ ହେବ
ଭୁବନେଶ୍ବର : ଏକ ଦଶନ୍ଧିର ପ୍ରତିଶ୍ରୁତି ପରେ ବି ଖଣ୍ତଗିରି-ଉଦୟଗିରିରେ ହୋଇପାରିଲାନି ଲାଇଟ୍ ଆଣ୍ତ ସାଉଣ୍ତ ସୋ’। ଏହା ପଛରେ ଧଉଳି ଓ କୋଣାର୍କ ପାଇଁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଆରମ୍ଭ ହୋଇଗଲାଣି। ହେଲେ ପ୍ରଥମେ ଉଦୟଗିରିରେ ଏଭଳି ଏକ ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ତା’କୁ ସମସ୍ତେ ଭୁଲିଗଲେଣି। ବିକାଶ ହେବା ବଦଳରେ କିଛି ବର୍ଷ ହେଲା ରାଜଧାନୀର ପ୍ରମୁଖ ଆକର୍ଷଣ ପାଲଟିଥିବା ଏହି ଯମଜ ପାହାଡ଼କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେବା ପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)ର ନିଦ ଭାଙ୍ଗିଛି। ଅବହେଳିତ ହୋଇ ପଡ଼ି ରହିଥିବା ଖଣ୍ତଗିରି-ଉଦୟଗିରି ପାହାଡ଼କୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି।
୪ କୋଟି ୬୪ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଏହି ଦୁଇ ପାହାଡ଼ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉଦୟଗିରି ଓ ଖଣ୍ତଗିରି ଗୁମ୍ଫାଠାରେ ମିଳିତ ପର୍ଯ୍ୟଟନ ସୁବିଧା ଉପଲବ୍ଧ ହେବ। ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଏହାର ଶିଳାନ୍ୟାସ ହୋଇଛି। ଏଥିରେ ପର୍ଯ୍ୟଟକଙ୍କ ଲାଗି ବିଭିନ୍ନ ବ୍ୟବସ୍ଥା ହେବ। ଉଭୟ ପାହାଡ଼ର ବିଭିନ୍ନ ସ୍ଥାନରେ ପିଇବା ପାଣି ଓ ଶୌଚାଳୟର ସୁବିଧା ଉପଲବ୍ଧ କରାଯିବ। ଉଦୟଗିରି ଗୁମ୍ଫାକୁ ପ୍ରବେଶ ଲାଗି ଏବେ ଏକ ଛୋଟିଆ ଟିକେଟ୍ କାଉଣ୍ଟର ରହିଛି। ଜଣେ ଦୁଇ ଜଣ କର୍ମଚାରୀଙ୍କ ଦ୍ବାରା ଏହା ଚାଲିଛି। ଏହାକୁ ସମ୍ପ୍ରସାରିତ କରାଯିବ। କର୍ମଚାରୀଙ୍କ ସ˚ଖ୍ୟା ବୃଦ୍ଧି ହେବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର୍ ବି ଖୋଲିବ।
ସେହିପରି ଏହା ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥାୟୀ ପାର୍କି˚ ସ୍ଥାନ ହୋଇପାରିନି। ପର୍ଯ୍ୟଟକ ଯେଉଁଠି ନାହିଁ ସେଠାରେ ବସ୍, ବାଇକ୍, କାର୍ ଆଦି ପାର୍କି˚ କରୁଛନ୍ତି। ଯାହାକି ସମସ୍ୟା ସୃଷ୍ଟି କରୁଛି। ଏଭଳି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଅତ୍ୟାଧୁନିକ ପାର୍କି˚ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକଙ୍କ ଲାଗି ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବ। ବିଶ୍ରାମ ଗୃହ ନିର୍ମାଣ ହେବ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଖାଦ୍ୟ, ପାନୀୟ ବ୍ୟବସ୍ଥା ଲାଗି ଏହା ପରିସରରେ ଏକ କାଫେଟେରିଆ ଖୋଲାଯିବ। ସମସ୍ତ ପ୍ରକାର ଖାଦ୍ୟ ପାନୀୟ ସେଠାରେ ଉପଲବ୍ଧ ହେବ। ସେପ୍ଟେମ୍ବର ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ ହେବ। ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ ଯେ ଏବେ ପ୍ରତିଦିନ ପ୍ରାୟ ୩ହଜାର ପର୍ଯ୍ୟନ୍ତ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି। ଖଣ୍ଡଗିରିରେ ବୁଲିବା ପାଇଁ ଏବେ ପର୍ଯ୍ୟଟକଙ୍କୁ ଫି’ ଦେବାକୁ ପଡ଼ୁ ନଥିବା ବେଳେ ଉଦୟଗିରିକୁ ଯିବା ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଟିକେଟ୍ କରି ଭିତରକୁ ପ୍ରବେଶ କରୁଛନ୍ତି।