୨୨୦୦ ବର୍ଷର କୀର୍ତ୍ତି ସିଦ୍ଧଗିରିରୁ ଖଣ୍ଡଗିରି, ଉଦୟଗିରି

ତ୍ରେତୟା ଯୁଗରେ ତପସ୍ୟା କରି ସିଦ୍ଧିପ୍ରାପ୍ତ ହୋଇଥିଲେ ପର୍ଶୁରାମ

ଖଣ୍ଡଗିରି : ଖଣ୍ଡଗିରି ମା ବାରଭୁଜା ଆଶ୍ରମର ମୁଖ୍ୟ ପୂଜକ ବାମଦେବ ଦାସଙ୍କ ଅନୁସାରେ, ପୂର୍ବରୁ ଖଣ୍ଡଗିରିର କୌଣସି ସ୍ବତନ୍ତ୍ର ସତ୍ତା ନ ଥିଲା। ଖଣ୍ଡଗିରି ଓ ଉଦୟଗିରି ସଂଯୁକ୍ତ ହୋଇ ଗୋଟିଏ ପାହାଡ଼ ଥିଲା, ଯାହା ସିଦ୍ଧଗିରି ନାମରେ ପରିଚିତ ଥିଲା। ଇଂରେଜ ସମୟରେ ଏହାକୁ କାଟି ରାସ୍ତା କରାଯିବା ପରେ ଉଭୟ ପାହାଡ଼ର ସ୍ବତନ୍ତ୍ର ନାମକରଣ ହେଲା।

ପୌରାଣିକ ବିଶ୍ବାସ ଅନୁସାରେ, ତ୍ରେତୟା ଯୁଗରେ ପର୍ଶୁରାମ ଏଠାରେ ତପସ୍ୟା କରି ସିଦ୍ଧିପ୍ରାପ୍ତ ହୋଇଥିଲେ। ଦ୍ବାପର ଯୁଗରେ କୃଷ୍ଣ-ଜରାସନ୍ଧଙ୍କ ଯୁଦ୍ଧ ମଧ୍ୟ ଏଠାରେ ହୋଇଥିଲା। ଐତିହାସିକମାନଙ୍କ ମତ ଅନୁସାରେ, ଏହା ୨୨୦୦ ବର୍ଷର କୀର୍ତ୍ତି। ସେତେବେଳେ ଏଠାରେ ଅନେକ ସାଧୁ, ସନ୍ନ୍ୟା‌ସୀ ଥିଲେ। ସେମାନେ ଏଠାରେ ତପସ୍ୟା କରୁଥିଲେ। ସେମାନଙ୍କ ପାଇଁ ତତ୍‌କାଳୀନ ରାଜାମାନେ ୭୫୨ଟି ଗୁମ୍ଫା ତିଆରି କରିଥିଲେ। ଏଥିମଧ୍ୟରୁ କେବଳ ୧୩ଟି ରାଜା ଖାରବେଳଙ୍କ ଅମଳରେ ହୋଇଥିଲା। ବର୍ତ୍ତମାନ ଏଠାରେ ୫୦ଟି ଗୁମ୍ଫା ରହିଛି। ଯାହା ଆଜି ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ମାଘ ମାସରେ ଏଠାରେ ‘ଖଣ୍ଡଖିରି’ ହୋଇଥାଏ, ଏହି ଖିରି ଗ୍ରହଣ କଲେ ସିଦ୍ଧପ୍ରାପ୍ତ ହୁଏ ବୋଲି ବିଶ୍ବାସ କରି ମାଘ ମାସରେ ସାଧୁସନ୍ଥଙ୍କ ସମାଗମ ହୁଏ। ଏହି ଅବସରରେ ବିଶ୍ବଶାନ୍ତି ପାଇଁ ହୋମ, ଯଜ୍ଞ ଆଦି କରାଯାଏ। କୁମ୍ଭ ମେଳାରେ ଖଣ୍ଡଖିରି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏଠାରେ ଅନନ୍ତକେଶରୀ ଠାକୁର ପୂଜା ପାଉଥିଲେ। ଗୋଟିଏ ସମୟରେ ଏହି ଅଞ୍ଚଳକୁ ସର୍ବଣାକାରୀମାନେ ଚଳାଉଥିଲେ। ସର୍ବଣାକାରୀମାନଙ୍କ ଅଧୀନରେ ପ୍ରାୟ ୨୦୦ ବର୍ଷ ପୂର୍ବରୁ ଅନନ୍ତକେଶରୀଙ୍କୁ ଜାଗମରା ମଠକୁ ନିଆଯାଇଥିଲା। କୁମ୍ଭ ମେଳା ପ୍ରଥମ ଦିନରେ ଶୋଭାଯାତ୍ରାରେ ଅନନ୍ତକେଶରୀ ରାଣୀ ହଂସପୁରକୁ ଯାଇଥାଆନ୍ତି। ରାଣୀ ହଂସପୁରରେ ପୂଜାର୍ଚନା ସହିତ ଚାପକ୍ରୀଡ଼ା ହୁଏ। ଗତବର୍ଷ ଏହି ଅବସରରେ ୩ଟି ବାଣୁଆ ଦଳ ମଧ୍ୟରେ ବାଣ ପ୍ରତିଯୋଗିତା ହୋଇଥିଲା। ଏହାପରେ ଅନନ୍ତକେଶରୀ ନିଜ ସ୍ଥାନକୁ ଫେରି ଯାଆନ୍ତି। ଏଥିରେ ଅନେକ ଲୋକଙ୍କ ସମାଗମ ହୁଏ। ଚଳିତ ବର୍ଷ ସରକାରୀ ନିର୍ଦେଶରେ ସୀମିତ ସଂଖ୍ୟକ ଲୋକ ସାମିଲ ହୋଇଥିଲେ। ୯ ଦିନ ବାରଭୁଜା ମାଙ୍କ ନିକଟରେ ପାରାୟଣ ପାଠ ହୋଇଥାଏ। ଏଥିରେ ସାମିଲ ହେବା ପୂର୍ବରୁ ଲୋକେ ଶଗଡ଼ରେ ଆସୁଥିଲେ। ସ୍ବାଧୀନତା ପରେ ମେଳା ବଢ଼ିଲା ଏବଂ ଅପେରା, ଯାତ୍ରା ଆଦି ମନୋରଂଜନ କାର୍ଯ୍ୟକ୍ରମମାନ ହେଲା।

ସମ୍ବନ୍ଧିତ ଖବର