ଖଣ୍ଡଗିରି: କୁନିକୁନି କଳାକାରମାନଙ୍କ କୁନିକୁନି ପାଦ ଛନ୍ଦରେ ଗୋଟିପୁଅ ନୃତ୍ୟ ଯେତିକି ମନ ମୁଗ୍ଧକର ଥିଲା, ଆମ ଲୋକକଳାର ଶବର ଶବରୀ ନୃତ୍ୟ ସେତିକି ମନମତାଣିଆ ଥିଲା। ଗୋଟିପୁଅରେ ଶାସ୍ତ୍ରୀୟ ସଂଗୀତର ଧୂନ୍ ଓ ତାଳ ସାଙ୍ଗକୁ ବୌଦ୍ଧ ଆଦିବାସୀ ଲୋକକଳା ଶବର ଶବରୀର ଦୁଲୁଦୁଲିକିଆ ନାଚ ଆଜି ଖଣ୍ଡଗିରି –ଉଦୟଗିରି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାର ଶୀତୁଆ ମାହୋଲ୍କୁ ପୂରା ରସମୟ କରିଥିଲା। ଏଥିସହ କଳାହାଣ୍ଡିଆ ବାଜାଶାଲ୍ ନୃତ୍ୟରେ ନୃତ୍ୟାଙ୍ଗନାଙ୍କ ପାଦଛନ୍ଦ ସହ ତୂରୀ, ମହୁରୀର ମଧୁର ଧୂନ୍ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। କେବଳ ସେତିକି ନୁହେଁ, ଲୋକକଳା ଓ ଶାସ୍ତ୍ରୀୟ କଳା ସହ ଫେଣ୍ଟି ହୋଇରହିଥିଲା ଆଧୁନିକ ନୃତ୍ୟ ଓ ସଂଗୀତ। ନୃତ୍ୟଛନ୍ଦ ମଝିରେ ମଝିରେ ଅସୀମା ପଣ୍ଡାଙ୍କ କଣ୍ଠର ଯାଦୁ ଦର୍ଶକମାନଙ୍କୁ ମନୋରଂଜନର ଭିନ୍ନ ସ୍ବାଦ ଯୋଗାଉଥିଲା।
ଭୁବନେଶ୍ବର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ମୁଖ୍ୟ ଅତିଥି, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଖୋର୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଜେଡି ନେତା ଅରୂପ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଜଣା ଶବକୁ ସଂସ୍କାର କରୁଥିବା ସ୍ଥାନୀୟ ସମାଜସେବୀ ବିଜୟ ଜେନାଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଆୟୋଜକ ପରିଷଦର ସଭାପତି ଦୀପକ ମହାପାତ୍ରଙ୍କ ସହିତ ପୂର୍ବତନ କର୍ପୋରେଟର୍ ଅଶ୍ବିନୀ ସୁନ୍ଦରରାୟ, ଦିଲ୍ଲୀପ ମାଝୀ, ହୃଦୟ ବଲ୍ଲଭ ସାମନ୍ତରାୟ, ସୁଜିତ୍ ସ୍ବାଇଁ, ମହାମାୟା ସ୍ବାଇଁ, ପ୍ରତାପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/8sf7h89sf7h98sf7h98fs7hsf98h7sf89hfshfshhhhhhhhhh.jpg)