ଖଣ୍ଡଗିରି : ନୃତ୍ୟ ଭିତ୍ତିକ ନାଟକରେ ଯାତ୍ରା ବାରମାସୀ। ବାର ମାସରେ ଉତ୍କଳର ତେର ପର୍ବର ମିଶ୍ରଣ ପ୍ରତିଫଳିତ ହୋଇଥିଲା ଏହି ନୃତ୍ୟାଭିନୟରେ। ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଓ ଗୋଟିପୁଅର ନୃତ୍ୟର ସମ୍ଭାର ଦେଖିବାକୁ ମିଳିଥିଲା ବାରମାସୀ ଯାତ୍ରାରେ। ଏହା ଭିତରେ ସମ୍ବଲପୁରୀ ଡାଲଖାଇ ଗୀତର ତାଳେ ତାଳେ ‘ଘଡ଼ିମାରି ଉଦେ ଦଶରା ଜହ୍ନ’ର ନୃତ୍ୟ ଦର୍ଶକଙ୍କ ମନ କିଣିଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ଓଡ଼ିଶା ସଙ୍ଗୀତ ଏକାଡେମିର କଳାକାରମାନେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଏମିତି ଥିଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଉଦ୍ଘାଟନ ପର୍ବର ଦୃଶ୍ୟ।
ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଅବସରରେ ପର୍ଯ୍ୟଟକ ବ୍ୟାଖାନ କେନ୍ଦ୍ର ପରିସରରେ ଆଜି ଆରମ୍ଭ ହୋଇଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ବିଏମ୍ସି ଏବଂ ବିଡିଏଙ୍କ ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବ୍ୟାଖାନ କେନ୍ଦ୍ରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହୋଇଥିବା ବାଲୁକା କଳାକୁ ଓ ମହୋତ୍ସବରେ ପଡ଼ିଥିବା ବିଭିନ୍ନ ପଲ୍ଲିଶ୍ରୀ କଳା ସମାରୋହକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟ୍ଟାଶାଣୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଖଦୀ ଓ ଗ୍ରାମୋଦ୍ୟଗ ନିଗମର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା ଓ ସଂସ୍କୃତି ବିଭାଗ ମନୋରଂଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନନ୍ୟା ଓ ଶ୍ରୀତମ ନନ୍ଦଙ୍କ ସଂଗୀତ ଆସର ଜମିଥିଲା।
/sambad/media/post_attachments/wp-content/uploads/2018/01/kha2-300x193.jpg)
ଜୟଦେବ ବାଟିକା ରାସ୍ତାରେ ଝଲସିଲା ଏଲ୍ଇଡି ଲାଇଟ୍
ଆଜିଠାରୁ ଖଣ୍ଡଗିରି ପାହାଡ଼ ତଳ ଜୟଦେବ ବାଟିକା ରାସ୍ତାରେ ଏଲ୍ଇଡି ଲାଇଟ୍ ଜଳିଛି। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍ଘାଟନ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏହି ରାସ୍ତାର ଆଲୋକୀକରଣକୁ ମଧ୍ୟ ଆଜି ଉଦ୍ଘାଟନ କରାଯାଇଛି। ଫଳରେ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଆଶା ପୁରଣ ହୋଇଛି।
ସାଧୁସନ୍ଥଙ୍କ ଶିବିରରେ ଜମିଲା କୋଳାହଳ
ଖଣ୍ଡଗିରି ପାହାଡ଼ରେ ସାଧୁସନ୍ଥମାନଙ୍କ ଅସ୍ଥାୟୀ ଶିବିରରେ ଆଜି ଭିଡ଼ ଅଧିକ ହୋଇଥିବା ଦେଖିବାକୁ ମିଳିଛି। ଆଜି ସମସ୍ତ ଶିବିରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବାରୁ ସାଧୁସନ୍ଥମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ସନ୍ଧ୍ୟାରେ ସମସ୍ତ ଶିବିରରେ ଆଲୋକ ବ୍ୟବସ୍ଥା ହୋଇଥିବାରୁ ଭଜନ କୀର୍ତନରେ କୋଳାହଳ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kha1.jpg)