ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରିର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ବହୁ ଯୋଜନା ହୋଇଛି। ପୁଳାପୁଳା ପ୍ରତିଶ୍ରୁତି ମିଳିଛି। ହେଲେ ପୁଣି ସମୟଚକ୍ରରେ ଯୋଜନା ବଦଳି ଯାଇଛି। ଫଳରେ ଜୈନ ସ୍ମୃତି, କଳିଙ୍ଗ ସମ୍ରାଟ ଐର ଖାରବେଳଙ୍କ ବୀରତ୍ବ ଓ କଳାପ୍ରେମର ଗାଥା ଗାଉଥିବା ଏହି ଐତିହ୍ୟ ସ୍ମାରକୀ ସବୁବେଳେ ଅବହେଳିତ ହୋଇ ରହିଯାଇଛି। ତତ୍କାଳୀନ ଓଡ଼ିଆ ଶିଳ୍ପୀଙ୍କ ନିହଣ ମୁନ ପ୍ରସ୍ତରରେ ଭରିଥିବା ପ୍ରାଣ ସିନା ତିଷ୍ଠି ରହିଛି, ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ସୁବିଧା ଏଠାରେ ନାହିଁ। ରାଜଧାନୀର ପ୍ରମୁଖ ଆକର୍ଷଣ ପାଲଟିଥିବା ଏହି ଯମଜ ପାହାଡ଼କୁ ୩ଦଶନ୍ଧି ହେଲା ଅଣଦେଖା କରାଯାଉଛି ବୋଲି ବହୁ ଅଭିଯୋଗ ହେବା ପରେ ଏବେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏହାର ଉନ୍ନତୀକରଣ ପାଇଁ ଅଣ୍ଟା ଭିଡ଼ିଛି।
ଅବହେଳିତ ହୋଇ ପଡ଼ି ରହିଥିବା ଖଣ୍ତଗିରି-ଉଦୟଗିରି ପାହାଡ଼କୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି। ଏଥିପାଇଁ ଏନ୍ଏମ୍ଏ(ନ୍ୟାସ୍ନାଲ୍ ମନୁମେଣ୍ଟ ଅଥରିଟି)କୁ ଓଟିଡିସି ସମ୍ପୂର୍ଣ ପ୍ରକଳ୍ପ ବିବରଣୀ(ଡିପିଆର୍) ପ୍ରସ୍ତୁତ କରି ପଠାଇଛି। ଇଣ୍ଟିଗ୍ରେଟେଡ୍ ଡେଭ୍ଲପ୍ମେଣ୍ଟ ବା ସମନ୍ବିତ ବିକାଶ ଯୋଜନାରେ ଏହାର ବିକାଶ ହେବ। ପ୍ରାଚୀନ ସ୍ମାରକ ତଥା ପ୍ରତ୍ନତାତ୍ତ୍ବିକ ସ୍ଥାନ ଓ ଅବଶେଷ ଅଧିନିୟମ ୧୯୫୮ ଧାରା ୨୪ ଅନୁଯାୟୀ, ଖଣ୍ଡଗିରିକୁ ରାଷ୍ଟ୍ରୀୟ ମହତ୍ତ୍ବ ହିସାବରେ ଘୋଷଣା କରାଯାଇଛି। ତେଣୁ ଏହାକୁ କୌଣସି କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟକଳାପ କରାଯିବ ନାହିଁ। ଏଥିରେ କୌଣସି ଉନ୍ନତୀକରଣ କରାଗଲେ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପ୍ରସ୍ତୁତ ହେବାକୁ ଥିବା ପ୍ରକଳ୍ପ ଐତିହ୍ୟକୁ ବିପଦ କି ନା’ ସେ ନେଇ ସ୍ପଷ୍ଟ ଚିତ୍ର ଏନ୍ଏମ୍ଏକୁ ପଠାଇବା ପରେ ଏହାର କାମ ଆରମ୍ଭ ହେବ।
ଡିପିଆର୍ ଅନୁଯାୟୀ ଦୁଇ ପାହାଡ଼ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉଦୟଗିରି ଓ ଖଣ୍ତଗିରି ଗୁମ୍ଫାରେ ମିଳିତ ପର୍ଯ୍ୟଟନ ସୁବିଧା ଉପଲବ୍ଧ ହେବ। ଗୁମ୍ଫା ଅଞ୍ଚଳକୁ ଅଧିକ ପର୍ଯ୍ୟଟକ ଅନୁକୂଳ ଓ ସୁଗମ ସ୍ଥାନ ଭାବେ ବିକଶିତ କରାଯିବ।
୩ ଦଶନ୍ଧି ପରେ ହେବ ଉନ୍ନତୀକରଣ
ଏନ୍ଏମ୍ଏ ମୋହର ବାଜିଲେ ଆରମ୍ଭ ହେବ କାମଖୋଲିବ କାଫେଟେରିଆ
ବ୍ୟବସାୟୀଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା
ସମନ୍ବିତ ବିକାଶ ଯୋଜନାରେ ହେବ ବିକାଶ
ଭିଜିଟର୍ ଜୋନ୍, ଐତିହ୍ୟ ସ୍ମାରକୀଗୁଡ଼ିକୁ ସଂଯୋଗ କରୁଥିବା ଉନ୍ନତ ରାସ୍ତା, ଜୈନ ମନ୍ଦିରକୁ ଜନସାଧାରଣଙ୍କ ପ୍ରବେଶ ପାଇଁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦିଆଯିବ। ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରେ ପରିଦର୍ଶକ ସୁବିଧା ସୃଷ୍ଟି କରାଯିବ। ଅବସର ସ୍ଥାନ ସହିତ ଐତିହ୍ୟ ଜୋନ୍ ବିକଶିତ କରାଯିବ। ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ହେବ। ରାସ୍ତା ଓ ପଦଯାତ୍ରୀଙ୍କ ଗତିବିଧିକୁ ଉନ୍ନତ କରିବା ସହ ପରିଦର୍ଶକ କେନ୍ଦ୍ର ସ୍ଥାପନ ହେବ। ସୂଚନାକେନ୍ଦ୍ର ସହ ପର୍ଯ୍ୟଟକଙ୍କ ଖାଦ୍ୟ, ପାନୀୟ ବ୍ୟବସ୍ଥା ଲାଗି ଏହା ପରିସରରେ ଏକ କାଫେଟେରିଆ ଖୋଲାଯିବ। ସେହିପରି ଏକ ଆମ୍ଫିଥିଏଟର ସହ ବ୍ୟବସାୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦୁଇ ପାହାଡ଼କୁ ଉନ୍ନତ ସଂଯୋଗୀକରଣ ବ୍ୟବସ୍ଥା ହେବ। ପଥଗୁଡ଼ିକ ବିଭିନ୍ନ ଐତିହ୍ୟ ସ୍ମାରକୀଗୁଡ଼ିକୁ ସଂଯୋଗ କରିବ। ଭିନ୍ନକ୍ଷମ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ତିଆରି ହେବ। ଐତିହ୍ୟ ସ୍ଥାନକୁ ଇ-ଯାନ ପ୍ରବେଶକୁ ସହଜ କରିବା ପାଇଁ ବ୍ୟବସ୍ଥା ହେବ। ୪୫୦ ପ୍ରଜାତିର ଔଷଧୀୟ ଗଛର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ହେବ। ଜୈନ ମନ୍ଦିର ପ୍ରବେଶ, ବାରଭୂଜା ମନ୍ଦିରକୁ ପ୍ରବେଶ ପଥ ପୃଥକ କରି ସମସ୍ତଙ୍କୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ। ପଞ୍ଚତୀର୍ଥ ଭାବେ ବିବେଚିତ ହେଉଥିବା ପାଞ୍ଚଟି କୁଣ୍ଡ ଯଥା ଗଙ୍ଗା, ଗୁପ୍ତଗଙ୍ଗା, ଆକାଶଗଙ୍ଗା, ଶ୍ୟାମାକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡର ପୁନରୁଦ୍ଧାର କରାଯିବ। ଏହି ଅଞ୍ଚଳରେ ବୃହତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଉତ୍ସବ ଭୂମି ନିର୍ମାଣ ହେବ।
ଏହା ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥାୟୀ ପାର୍କି˚ସ୍ଥଳ ହୋଇପାରିନି। ପର୍ଯ୍ୟଟକ ଯେଉଁଠି ନାହିଁ ସେଠାରେ ବସ୍, ବାଇକ୍, କାର୍ ଆଦି ପାର୍କି˚ କରୁଛନ୍ତି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଅତ୍ୟାଧୁନିକ ପାର୍କି˚ ବ୍ୟବସ୍ଥା କରାଯିବ। ଏ ନେଇ ଏଏସ୍ଆଇ ଅଧୀକ୍ଷକ ଏନ୍ କେ ସ୍ବାଇଁଙ୍କ କହିବା କଥା, ଓଟିଡିସି ଦଶହରା ପୂର୍ବରୁ ଡିପିଆର୍ ଏନ୍ଏମ୍ଏକୁ ଦେଇଛି। ଐତିହ୍ୟ ଅଞ୍ଚଳରେ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳ ଏଭଳି ୨ ଭାଗ ରହିଛି। ଏହି ଅଞ୍ଚଳରେ କୌଣସି ସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ। ତେଣୁ ପ୍ରକଳ୍ପ ପସ୍ତୁତ ହେଲେ, ଐତିହ୍ୟକୁ ବିପଦ ହେବକି ନାହିଁ, ଏହାର ରିପୋର୍ଟ ଖୁବ୍ଶୀଘ୍ର ଏନ୍ଏମ୍ଏକୁ ପ୍ରଦାନ କରାଯିବ। ଏହାପରେ ସମ୍ପୃକ୍ତ ବିଭାଗ ଉନ୍ନତିମୂଳକ କାମ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/10/sfssfxccxcx-2025-10-10-03-28-12.jpg)