ଖଣ୍ଡଗିରି ଅପେରା: ଦିବଂଗତଙ୍କୁ ଝୁରୁଛନ୍ତି ଦର୍ଶକ

ଖଣ୍ଡଗିରି: କରୋନା ମହାମାରୀ ସଂକଟ ପାଇଁ ଦୁଇ ବର୍ଷ ପରେ ଖଣ୍ଡଗିରି ଅପେରା ଲଢ଼େଇର ମଜା ନେଉଛନ୍ତି ଯାତ୍ରାପ୍ରେମୀମାନେ। ଜଲିଉଡ୍‌ର ଜଣାଶୁଣା ନାମୀ ପାର୍ଟିମାନେ ମଇଦାନରେ ହୁଲ୍‌ସ୍ତୁଲ୍‌ କରୁଛନ୍ତି। ଗତ ୩୦ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବଡ଼ବଡ଼ ପାର୍ଟିମାନେ ଆକର୍ଷଣୀୟ ନାଟକ ମଞ୍ଚସ୍ଥ କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଇଛନ୍ତି। ବିଶ୍ବଦରବାର, ସାଇସମ୍ରାଟ୍, ସୂର୍ଯ୍ୟମନ୍ଦିର, ଶିବାନୀ ଆଦି ପ୍ରତିଯୋଗିତାରୁ ବିଦାୟ ନେଇସାରିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ଖେଳୁଛନ୍ତି ତୁଳସୀ, କଳିଙ୍ଗ, ରଙ୍ଗମହଲ, ସ୍ବର୍ଣ୍ଣମହଲ, କୋଣାର୍କ ଓ ସ୍ବର୍ଣ୍ଣମନ୍ଦିର। ତେବେ ଏସବୁ ଭିତରେ ଦର୍ଶକମାନେ ପୁରୁଣା କିଛି ପ୍ରସିଦ୍ଧ କଳାକାରଙ୍କୁ ମନେପକାଉଛନ୍ତି। ଦିବଂଗତ ରାଇମୋହନ ପରିଡ଼ା, ଜଗା ରାଉତଙ୍କ ସମେତ ମହେନ୍ଦ୍ର ଦାସ, ମଣିଭଦ୍ର ବିଶ୍ବାଳଙ୍କ ଭଳି କଳାକାରଙ୍କୁ ଦର୍ଶକମାନେ ଝୁରୁଛନ୍ତି। ସେହିଭଳି ଚଳିତ ବର୍ଷ ମଇଦାନରେ ପାର୍ବତୀ ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଭଳି ପାର୍ଟିଙ୍କ ଅନୁପସ୍ଥିତି ମଧ୍ୟ ଯାତ୍ରପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

ବହୁ ଯାତ୍ରାପ୍ରେମୀଙ୍କ କହିବା କଥା ଗତ କିଛି ବର୍ଷ ହେଲା ଖଣ୍ଡଗିରି ଯାତ୍ରା ମହାସମରରେ ବଲିଉଡ୍‌ ବ୍ୟାଡ୍‌ବୟ ରାଇମୋହନଙ୍କ ଦବ୍‌ଦବା ଥିଲା। ତାଙ୍କ ନାଁରେ ସବୁ ଟିକେଟ୍‌ ବିକ୍ରି ହୋଇଯାଉଥିଲା। ତାଙ୍କ ଲୋକପ୍ରିୟ ସଂଳାପ ‘ହେଇଟି ଅନାନି’ ଶୁଣିବାକୁ ଦର୍ଶକମାନେ ଛୁଟିଆସୁଥିଲେ। କିନ୍ତୁ ଦୁଃଖର କଥା ଆଜି ସେ ନାହାନ୍ତି। ସେହିଭଳି ଦିନେ ଏଇ ମହାକୁମ୍ଭରେ ଚହଳ ପକାଇଥିଲେ ‘ଖୁମ୍ପି ଦେଲୁ!’, ‘ନାଁ ଟା ତାହେଲ ମୀନା, ଭଲ ନାଚିଲ’ ସଂଳାପର ଖଳନାୟକ ଭିକୁ ସେଠ୍‌ ଓରଫ୍ ମହେନ୍ଦ୍ର ଦାସଙ୍କୁ ଏଥର ଦର୍ଶକମାନେ ଦେଖିବାକୁ ପାଇନାହାନ୍ତି। ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ମୁଖ୍ୟ ଭିକୁ ସେଠ୍‌ଙ୍କ ନାଁରେ ବି ଦିନେ ବହିସବୁ ଜମୁଥିଲା। ତାଙ୍କ ଅଭିନୀତ ନାଟକ ସବୁ ରାତି ହାଉସ୍‌ଫୁଲ୍‌ ହେଉଥିଲା। କିନ୍ତୁ ଚଳିତ ଥର ଏତେବଡ଼ ମହାକୁମ୍ଭରେ ଦର୍ଶକମାନେ ତାଙ୍କୁ ଦେଖିବାକୁ ପାଇଲେନାହିଁ। ସେ ଅଭିନୟ କରୁଥିବା ପାର୍ଟି ମଇଦାନକୁ ଆସିପାରିନଥିବାରୁ ବହୁ ଦର୍ଶକଙ୍କ ମନରେ ଅବସୋସ ରହିଗଲା ବୋଲି ଚର୍ଚ୍ଚା ହେଉଛି।

ସେହିଭଳି କମେଡି କିଙ୍ଗ୍‌ ଜଗା ରାଉତ ଓ ମଣିଭଦ୍ର ବିଶ୍ବାଳଙ୍କୁ ବି ଲୋକେ ଝୁରୁଥିବା ଯାତ୍ରା ହାଟ ଆଲୋଚନାରୁ ଜଣାପଡ଼ିଛି। ଜଗା ରାଉତଙ୍କ ପରଲୋକ ଘଟିବା ଓ ମଣିଭଦ୍ର ଯାତ୍ରାରୁ ଅବସର ନେବା ପରେ ଯାତ୍ରା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଯାତ୍ରାପ୍ରେମୀମାନେ କୁହାକୁହି ହେଉଛନ୍ତି। କେବଳ ସେତିକି ନୁହେଁ, ଖଣ୍ଡଗିରି ଯାତ୍ରା ହାଟରେ ଏବେ ନବେ ଦଶକର ପୁରୁଣା ନାଟକକୁ ନେଇ ବି ସରଗରମ ଆଲୋଚନା ହେଉଛି। ଦେବୀ ରଥ ଅଭିନୀତ ‘ଲାଲ୍‌ ଉଲ୍‌କା’, ‘ଜେଲ୍‌ ଟାଇଗର’ ଆଜି ବି ଚର୍ଚ୍ଚାରେ ରହିଛି। ସେହିଭଳି ‘ଜେଜେ ତୁମେ ମିଛ କହିଲ’, ‘ଦେଢ଼ ଦିନର ସ୍ବାମୀ’, ‘ପଣତକାନି’, ‘ଫୁଲ ଆଣିଛି ଫୁଲବାଣୀରୁ’, ‘ବିଦେଶିନୀ’, ‘ନର୍କରୁ ନିର୍ମାଲ୍ୟ’, ‘ମୋ ପେଁକାଳୀ ବଜେଇଦେ’, ‘ଜୀଅନ୍ତା ଶବ’, ‘ମାଳିସାହି ଝିଅ ମାଳତୀ ଅପା’, ‘କଥା ରହିଗଲା ମଗୁଶୁରକୁ’ ‘ବରଷା ରାଣୀର ଭିଜା ଓଢ଼ଣୀ’, ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘କାଗଜଫୁଲ’, ‘ଅଡ଼ୁଆ ସୁତା’, ‘ରାତି ନଅରୁ ସକାଳ ଛଅ’ ଭଳି ନାଟକକୁ ଲୋକେ ଝୁରୁଛନ୍ତି।

ସମ୍ବନ୍ଧିତ ଖବର