ଖଣ୍ଡଗିରି ଯାତ୍ରା: ବଦଳିବ ନାଟକ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରା ସରି ଆସୁଥିବା ବେଳେ ଦର୍ଶକଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ସମସ୍ତ ଯାତ୍ରା ଦଳ ସେଇ ସମାନ ନାଟକକୁ ମଂଚସ୍ଥ କରିଛନ୍ତି। ଅଧିକାଂଶ ଯାତ୍ରା ଦଳ ସେଇ କାହାଣୀକୁ ମଂଚସ୍ଥ କରି ବିଦାୟ ନେବା ପାଇଁ ଚିନ୍ତା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକେ ମାନ୍ଦା ଚାଲିବା ପରେ ଦ୍ବିତୀୟ ପର୍ଯ୍ୟାୟ ଲଢ଼େଇ ଜୋରଦାର ହୋଇଛି। ବିଶେଷକରି ସବୁ ଯାତ୍ରା ଦଳର କାହାଣୀ ମଂଚ ସାମ୍ନାରେ ଦର୍ଶକଙ୍କୁ ରାତି ସାରା ବାନ୍ଧି ରଖି ପାରୁଛି। ଯାତ୍ରା ସଚ୍ଚିଦାନନ୍ଦମ ଶନିବାର ନାଟକ ବଦଳାଇ ‘ମଝିଆଁ ପୁଅ କାହାରି ନୁହଁ’ ମଂଚସ୍ଥ କରିବ ବୋଲି ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି। ଯାତ୍ରାଶ୍ରୀ ବିଶ୍ବ ଦରବାର ମଧ୍ୟ ଶେଷ ଦୁଇ ରାତି ‘ଚଉଠି ରାତିର ଚଉଦ କଥା’ ମଂଚସ୍ଥ କରି ବିଦାୟ ନେ‌ବ ବୋଲି କମିଟିର ସଭାପତି କୃଷ୍ଣଚନ୍ଦ୍ର ଜେନା ଏବଂ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ସୂଚନା ଦେଇଛନ୍ତି। ସେହିପରି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ମଧ୍ୟ ନାଟକ ବଦଳାଇବା ପାଇଁ ଚିନ୍ତା କରିଛନ୍ତି। ମାତ୍ର ଇନ୍ଦ୍ରମହଲ, ରଙ୍ଗମହଲ ଏବଂ ତୁଳସୀ ଗଣନାଟ୍ୟ ସମାନ ନାଟକ ମଂଚସ୍ଥ କରି ବିଦାୟ ନେବା ପାଇଁ ଚିନ୍ତା କରିଛନ୍ତି। ଜାଗମରା ମେଳଣ ପଡ଼ିଆରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ଋଷିଆନ୍‌ ନୃତ୍ୟଶିଳ୍ପୀଙ୍କୁ ନୃତ୍ୟ ମନ ଜିଣୁଥିବା ବେଳେ ରାନୀଙ୍କୁ ଯାତ୍ରା ମଂଚରେ ଦେଖିବା ପାଇଁ ଉତ୍କଣ୍ଠା ବୃଦ୍ଧି ପାଉଛି। ମହତାବ ପେଣ୍ଡାଲ୍‌ରେ ଯାତ୍ରାଶ୍ରୀ ବିଶ୍ବ ଦରବାରରେ ମୁମ୍ବାଇ ସୁନ୍ଦରୀଙ୍କ ବେଲି ନୃତ୍ୟ ଓ ଚୋରା ଚାହାଣି ରୋମାଞ୍ଚ ଭରୁଛି। ଆଜି ଯାତ୍ରା ସଚ୍ଚିଦାନନ୍ଦମ ତା’ର ବହୁଚର୍ଚ୍ଚିତ ସସ୍‌ପେନ୍ସ ନାଟକ ‘ରେପ୍ ଆଣ୍ଡ୍ ମର୍ଡର: ଦାୟୀ କିଏ?’ ପୁଣି ମଂଚସ୍ଥ କରିଛି। ଯାତ୍ରା ଟାଇଗର ସଂଜୟ ଭୋଳଙ୍କ ଅଭିନୟ ସାଙ୍ଗକୁ ଚଳଚ୍ଚିତ୍ର କମେଡିଆନ୍‌ ଗୁଡୁଙ୍କ କମେଡିକୁ ଯାତ୍ରା ମଞ୍ଚରୁ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳୁଛି। କୋଣାର୍କ ଗଣନାଟ୍ୟ ‘କାହାଣୀ ଦିବ୍ୟାଙ୍ଗଙ୍କର’ ନାଟକ ଭେଟି ଦେଉଛି। ଦୈତାରୀ ପଣ୍ଡା ମଂଚକୁ ଆସିବା କ୍ଷଣି ତାଳି ଓ ହୋ-ହଲ୍ଲାରେ କମ୍ପୁଛି। ମହତାବ ପେଣ୍ଡାଲ୍‌ରେ ପ୍ରଥମ ରାତିରେ ମଂଚସ୍ଥ ନାଟକ ‘ଭଲ ପାଇବାକୁ ଭୟ ଲାଗୁଛି’ର କାହାଣୀ ଦର୍ଶକଙ୍କ ମନ ଜିଣି ଚାଲିଛି। କୈଳାସ ବେହେରା, ଶୁଭେନ୍ଦୁ, ଟିକିନା, ସୁକାନ୍ତି ଓ ଗୌରୀଙ୍କ ଅଭିନୟ ଦେଖିବାକୁ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ନାଟକ ଆସନ୍ତାକାଲି ମଧ୍ୟ ମଂଚସ୍ଥ ହେବ ବୋଲି ସୂଚନା ମିଳିଛି। ରଙ୍ଗମହଲର ନାଟକ ‘ଅଧେ ତୋର, ଅଧେ ମୋର’କୁ ୪ ରାତି ମଂଚସ୍ଥ କରି ପ୍ରଶଂସା ସାଉଁଟିଛି। ଇନ୍ଦ୍ରମହଲର ନାଟକ ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଉର୍ବଶୀଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ରହୁଛି। ତେଣୁ ଏହି ନାଟକ କାଲି ମଧ୍ୟ ମଂଚସ୍ଥ ହେବ ବୋଲି ଜୟଦୁର୍ଗା ସାଂସ୍କୃତିକ ପରିଷଦର ସଭାପତି ବିଜୟ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର