ଖଣ୍ଡଗିରି: ଖଣ୍ଡଗିରି ମେଳା ପାଖେଇ ଆସିଲାଣି। ‌ଆଉ ଦିନ କେଇଟା ପରେ ମେଳା ପା‌ଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ। ଏ ମେଳା ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ହଜାର ହଜାର ନାଟୁଆ ଓ କଳ‌ା‌ପ୍ରେମୀଙ୍କୁ ଖଣ୍ଡଗିରିକୁ‌ ଆଣିବାରେ ଏହି ଯାତ୍ରା ହିଁ ମୁଖ୍ୟ ଭୂମିକା ନିଏ। ତେଣୁ ଯାତ୍ରା କମିଟିସବୁ ବର୍ଷକ ଆଗରୁ ଯାତ୍ର‌ାପାର୍ଟିଙ୍କୁ ବଇନା ନେଇ ବୁକ୍‌ କରି ରଖନ୍ତି। ତେବେ ଏବେ ଯାତ୍ରାରେ ଅଶ୍ଳୀଳତା‌ ପ୍ରସଙ୍ଗ ଚର୍ଚ୍ଚାରେ ଥିବାବେଳେ ତା’ର ପ୍ରଭାବ ବା ପ୍ରତିଫଳନ ଖଣ୍ଡଗିରି ମେଳାରେ କେତେ ପଡ଼ିବ, ତା’କୁ ନେଇ ଉତ୍ସୁକତା ସୃଷ୍ଟି ହୋଇଛି। ଏକଥା ସତ୍ୟ ଯେ ପୂର୍ବରୁ ବହୁ କଟକଣା ନୀତି ନିୟମ, କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଯାତ୍ରାରେ ଅଶ୍ଳୀଳତାକୁ ନେଇ ସମାଲୋଚନା ହୋଇଆସୁଛି। ଅର୍ଥାତ୍‌ ଏ ଦିଗରେ ସରକାର କୌଣସି ବାସ୍ତବ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ସାଧାରଣରେ ଗୋଟିଏ ମତ ପ୍ରକାଶ ପାଉଛି ଯେ ସରକାର ଯଦି ସତରେ କୌଣସି ପଦକ୍ଷେପ ଗ୍ରହଣ କରିବେ, ତେବେ ‌ମେଳା ପୂର୍ବରୁ ନିଅନ୍ତୁ। ଯାତ୍ରା ମହୋତ୍ସବ ଆରମ୍ଭ ହୋଇଯିବାପରେ ବା ଶେଷ ସମୟରେ ଯଦି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଖଣ୍ଡଗିରି ଯାତ୍ରା  ମହୋତ୍ସବ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। 

Advertisment

୨୦୨୩ ମସିହା ମାର୍ଚ୍ଚ ୬ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯାତ୍ରା‌ରେ ଅଶ୍ଳୀଳତା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥି‌ଲା। ଏଥିରେ କୁହାଯାଇଥିଲା ଯେ ଯାତ୍ରାମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବନି, ଦ୍ବିଅର୍ଥବୋଧକ ସଂଳାପ କୁହାଯିବନି। ଅଭିନୟ ମାର୍ଜିତ ହେବ। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ ଓଡ଼ିଶାର ଗୌରବମୟ ସଂସ୍କୃତିକୁ ଉପଯୁକ୍ତ ସମ୍ମାନ ଦିଆଯିବ। କଦର୍ଯ୍ୟ ରୂପରେ ସଂସ୍କୃତିକୁ ପରି‌ପ୍ରକାଶ କରା ଯିବନାହିଁ। ସେତେବେଳେ ଯାତ୍ରାରେ ବଢ଼ୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଥିଲେ ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଯ‌ାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଜିଲ୍ଲାରେ ପରିବେଷଣ କରିବାକୁ ଯାଉଥିବା ସମସ୍ତ ଯାତ୍ରା ଓ ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ବ୍ୟତିକ୍ରମ ହେଲେ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କୁହାଯାଇଥିଲା। ଏ ସମ୍ପର୍କରେ ପ୍ରମୁଖ ପାର୍ଟିଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଚିଠି‌ରେ କିଛିହେଲେ ସ୍ପଷ୍ଟ ନଥିଲା। ଯାତ୍ରାଟି ଅଶ୍ଳୀଳତାବିହୀନ ଓ ସର୍ବସାଧାରଣରେ ପରିବେଷଣଯୋଗ୍ୟ ବୋଲି କିଏ ପ୍ରମାଣପତ୍ର ଦେବ, ଯଦି ଅଶ୍ଳୀଳତା ରହିଛି ତେବେ ସାଧାରଣ ଲୋକେ କେଉଁଠି ଅଭିଯୋଗ କରିବେ, କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,  ଯାତ୍ରାରେ ଅଶ୍ଳୀଳତା ଥିଲେ, ସେଥିପାଇଁ କାହାକୁ ଓ କ’ଣ ଦଣ୍ଡବିଧାନ କରାଯିବ, ସେନେଇ ସଂସ୍କୃତି ବିଭାଗର ଚିଠିରେ କିଛି ଉଲ୍ଲେଖ କରାଯାଇନଥିଲା। ବିଭାଗ ବି ଚିଠିଲେଖି ଚୁପ୍‌ ବସିଗଲା। ତେଣୁ ଏବିଷୟରେ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲା। ନିୟମକୁ କେହି ଖାତିର କଲେନାହିଁ। ଏହା କେବଳ ଏକ କାଗଜ ବାଘ ହୋଇ ରହିଗଲା‌। ପରେ ନୂଆବହି ନେଇ ‌‌ପାର୍ଟିଗୁଡ଼ିକ ମଞ୍ଚକୁ ଓହ୍ଲାଇଲେ, ଦର୍ଶକ ଟାଣିବାଲାଗି ସେଥିରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ରଖିଲେ। କେବଳ ସେତିକି ନୁହେଁ, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା କଳାକାରଙ୍କୁ ଅଧିକାଂଶ କମିଟି ଅଧିକ ପାଉଣା ଦେଇ ମଞ୍ଚକୁ ଆଣିଲେ। ଏ ବାବଦରେ ଆଇନ ଆସିବବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟ‌ା‌ ପ୍ରକାଶ କରିଛନ୍ତି। ହେଲେ ‌ମାମଲା ପୂର୍ବରୁ ଯେଉଁଠି ଥିଲା, ସେଇଠି ଅଟକିଛି।  

‌ଖଣ୍ଡଗିରି ମେଳା ଚଳିତ ବର୍ଷ ଫେବୁଆରି ୪ରୁ ଆରମ୍ଭ ହେବାକୁ ଯାଉଛି। ୬ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୬ କମିଟିର ପେଣ୍ଡାଲ୍‌ରେ ୧୦ରୁ ଅଧିକ ଯାତ୍ରାପାର୍ଟି ନାଟକ ପରିବେଷଣ କରି‌ବେ। ଏଯାଏ ମିଳିଥିବା ସୂଚନାଅନୁସାରେ, ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ମହୋତ୍ସବକୁ ତୁଳସୀ, ସୂର୍ଯ୍ୟମନ୍ଦିର, ନାଟ୍ୟ ସମ୍ରାଟ ପୃଥ୍ବୀରାଜ, କୋଣାର୍କ, ଶିବାନୀ ସିଂହବାହିନୀ, ସ୍ବର୍ଣ୍ଣ ମହଲ, ଦୁର୍ଗାମନ୍ଦିର, ସ୍ବପ୍ନମହଲ ଓ ଗୌରୀ ଗଣନାଟ୍ୟ ଆସିବେ। କମିଟି ବର୍ଷେ ତଳୁ ବଇନା ‌ଦେଇ ପାର୍ଟି ବୁକ୍ କରିଛନ୍ତି। କେଉଁ ପାର୍ଟି କେଉଁ ବହି ନେଇ ଖଣ୍ଡଗିରି ଆସି‌ବେ ତାହା ମଧ୍ୟ ଜୁନ୍‌ମାସରୁ ଆଖଡ଼ାଘରୁ ନାଟକ ଦେଖି ଫାଇନାଲ୍‌ ହୋଇ ସ‌ାରିଛି। ନିୟମ ଆସିବା ପୂର୍ବରୁ ଏହି ନିଷ୍ପତ୍ତି ହୋଇ ସାରିଥିବାରୁ ଏବେ କଟକଣା ଜାରିହେଲେ ପାର୍ଟି ଓ କମିଟି ଉଭୟ ଅକଳରେ ପଡ଼ିବା ନିଶ୍ଚିତ। ଯେତିକି ଦିନ ଗଡ଼ିବ, ମାମଲା ସେତିକି ବିଗିଡ଼ି ଚାଲିବ। ସେଥିପାଇଁ ଯଦି କିଛି କଟକଣା ସତରେ ଜାରିକରିବାର ଅଛି, ତେବେ ତୁରନ୍ତ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି। ତେବେ ଖଣ୍ଡଗିରି ହରେକୃଷ୍ଣ ମହତାବ ଯାତ୍ରା କମିଟିର କୃଷ୍ଣଚନ୍ଦ୍ର ଜେନା କହନ୍ତି, ‘‘ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାକୁ ସ୍ବତନ୍ତ୍ର କଳାକାର ଡକାଯିବ ନାହିଁ। ତେଣୁ ଗାଁ ଗହଳିରେ ଘଟୁଥିବା ଏଭଳି ଦୁର୍ଭାଗ୍ୟଜନକ ଚିତ୍ର ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ। ଯାତ୍ରାରେ ଅଶ୍ଳୀଳତା ସଂପୂର୍ଣ୍ଣ ବନ୍ଦ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ।’’

ଅପେରା ପାଇଁ ହେବ ସେନ୍‌ସର୍‌ ବୋର୍ଡ
ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଗୁରୁ ଗୋପାଳ ପଣ୍ଡା ରାଗ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ତଥା ସଂସ୍କୃତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବାବୁ ସିଂହ କହିଛନ୍ତି, ‘‘ବର୍ତ୍ତମାନ ଅପେରାରେ ନଗ୍ନତା ଭରିଗଲାଣି। ପରିବାର ସଦସ୍ୟ ଏକାଠି ବସି ଅପେରା ଦେଖିଲା ବେଳକୁ ଲାଜ ଲାଗୁଛି। କଳା ନାମରେ ଅଶ୍ଳୀଳତାକୁ ଆଉ ପ୍ରଶ୍ରୟ ଦିଆଯିବ ନାହିଁ। ସିନେମାରେ ଯେଭଳି ଅଶ୍ଳୀଳ ଭାଷା କିମ୍ବା ଦୃଶ୍ୟ ରହିଥିଲେ ଯେଭଳି ସେନ୍ସର୍‌ ବୋର୍ଡ ଦ୍ବାରା ଏହାକୁ ଏଡିଟ୍‌ କରାଯାଏ, ବର୍ତ୍ତମାନ ସେଭଳି ଅପେରା ସଂସ୍କୃତିକୁ ନଗ୍ନତାରୁ ରକ୍ଷା କରିବା ଲାଗି ଏଥିରେ କଇଁଚି ଚଳାଇବାକୁ ପଡ଼ିବ। ଏ ସମ୍ପର୍କରେ କମିଟିର ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।’’ କଳାକୁ କଳୁଷିତ କରୁଥିବା ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ଉପରେ ନିଶ୍ଚିତ ଅଙ୍କୁଶ ଲଗାଯିବ ବୋଲି ଶ୍ରୀ ସିଂ କହିଛନ୍ତି।