ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ଆଜିଠୁ ମଇଦାନକୁ ଓହ୍ଲାଇବେ ଆଉ ୫ ଯାତ୍ରା ଦଳ

ବିଦାୟ ନେଲେ ୩

ଭୁବନେଶ୍ବର: ମେଘୁଆ ପାଗ ଯାତ୍ରା ରସିକଙ୍କ ବାଟ ଓଗାଳିଥିଲା। ପ୍ରତିକୂଳ ପାଗ ଯୋଗୁଁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଫାଙ୍କା ପଡ଼ିଥିଲା। ତେବେ ଆଜି ରାତିରେ ପାଗ ଅନୁକୂଳ ହେବାରୁ ଯାତ୍ରା ରସିକଙ୍କ ସୁଅ ଛୁଟିଛି। ବର୍ତମାନ ସୁଦ୍ଧା ଯାତ୍ରା ମଇଦାନରେ ୪ ପାର୍ଟି ଖେଳୁଥିବା ବେଳେ ସେଥି ମଧ୍ୟରୁ ୩ଟି ଦଳ ରିପିଟ୍‌ ନାଟକ ମଂଚସ୍ଥ କରି ‌ବିଦାୟ ନେଇଛନ୍ତି। ‌ସୋମବାରଠୁ ଆଉ ୫ଟି ନୂଆ ଦଳ ସାମିଲ୍‌ ହେବାକୁ ଯାଉଥିବାରୁ ଏହା ଯାତ୍ରା ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ବଢ଼ାଇଛି। ଆସନ୍ତାକାଲିଠୁ ଶିବାନୀ ଗଣନାଟ୍ୟ, ରାଜଧାନୀ ଅପେରା, ତୁଳସୀ ଗଣନାଟ୍ୟ, ଅପେରା ସୂର୍ଯ୍ୟମହଲ ଓ ରଙ୍ଗମହଲ ସାମିଲ୍ ହେବେ। ତେଣୁ ୬ଟି ପେଣ୍ଡାଲ୍‌ରେ ଯାତ୍ରା ଦେଖିବାର ସୁଯୋଗ ନେବେ ‌ଦର୍ଶକ।

ମହତାବ ପେଣ୍ଡାଲ୍‌ରେ ଯାତ୍ରା ମାୟାନଗରୀ ‘କଥା ଦିଅ ମତେ କରିବନି ପର’ ନାଟକ ୪ ଦିନ ମଂଚସ୍ଥ କରି ବିଦାୟ ନେଇଥିବା ବେଳେ ଏହି ପେଣ୍ଡାଲ୍‌ରେ କାଲିଠୁ ଖେଳିବ ତୁଳସୀ ଗଣନାଟ୍ୟ। ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦେଶିତ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଭଳି ଚର୍ଚ୍ଚିତ ନାଟକ ସହ ମଞ୍ଚ ପ୍ରବେଶ କରିବ ତୁଳସୀ। ଏଥିରେ ଯାତ୍ରା ସୁପରଷ୍ଟାର୍‌ ହୃଷୀକେଶ, ଜୁଲି ପଣ୍ଡା, ସୋନାଲି, ପୂର୍ଣ୍ଣିମା, କୁନାଙ୍କ ଭଳି ଲୋକପ୍ରିୟ କଳାକାରଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ ବୋଲି ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି। କେବଳ ସେତିକି ନୁହେଁ, ତୁଳସୀ ଗଣନାଟ୍ୟରେ ମେଲୋଡି ଓ ନୃତ୍ୟ କାର୍ଯ୍ୟକ୍ରମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ମୁମ୍ବାଇର ସୋନିକା ଏହି ମଞ୍ଚରେ ନୃତ୍ୟ ଭେଟିଦେବେ ବୋଲି ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ କହିଛନ୍ତି।

ଜାଗମରା ମେଳଣ ପଡ଼ିଆରେ ‘ଲକ୍ଷେ ଶିବ ପୂଜି ପାଇଛି ତତେ’
ଜାଗମରା ମେଳଣ ପଡ଼ିଆରେ ସୋମବାରରୁ ପାଦ ଥାପିବ ‘ରାଜଧାନୀ ଅପେରା’। ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ପ୍ରତାପଙ୍କର ବହୁତ ପ୍ରଶଂସକ ଥିବା ବେଳେ କାଲି ପ୍ରତାପ-ଜିତା ଯୋଡ଼ିଙ୍କ ସମେତ ଦୁର୍ଗା ଭୂୟାଁ ଓ କମେଡି ଚରିତ୍ରରେ ନରି ପଣ୍ଡାଙ୍କ ହସଗୁଲି ହସେଇ ହସେଇ ବେଦମ କରିବ। ଆସନ୍ତାକାଲି ପ୍ରଥମ ରଜନୀରେ ରାଜଧାନୀ ଅପେରା ଭେଟିଦେବ ତା’ର ଏ ବର୍ଷର ଚର୍ଚ୍ଚିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’। ମହିଳାମାନଙ୍କ ପାଇଁ ପେଣ୍ଡାଲ୍‌ ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ପରିବାର ସହ ବିନା ଦ୍ବିଧାରେ ବସି ନାଟକ ଦେଖିପାରିବେ ବୋଲି ଖଣ୍ଡଗିରି ସାଂସ୍କୃତିକ ପରିଷଦର ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ କହିଛନ୍ତି।

କେସିଏ ପଡ଼ିଆ-୨ରେ ‘ମାୟାବିନୀ ମୌସୁମୀ’
ଆସନ୍ତାକାଲି ଜାଗମରା କେସିଏ ପଡ଼ିଆ-୨ରେ ଦ୍ବିତୀୟ ଯାତ୍ରା ଦଳ ଭାବେ ‌ଯାତ୍ରା ଆରମ୍ଭ କରିବ ‘ଅପେରା ସୂର୍ଯ୍ୟମନ୍ଦିର’। ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ସୋମବାର ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମଞ୍ଚରେ ମଂଚସ୍ଥ ହେବ ‘ମାୟାବିନୀ ମୌସୁମୀ’। ବିନେ‌ାଦ-ବେବିନାଙ୍କ ଭଳି ହିଟ୍‌ ଯାତ୍ରା ଯୋଡ଼ିଙ୍କ ଅଭିନୟ ସାଙ୍ଗକୁ ରୁନୁ ପଣ୍ଡା କାଲି ମେଲୋଡିରେ ମଂଚ ଦୁଲୁକାଇବେ ବୋଲି ପରିଷଦର ମୁଖ୍ୟ ବିଜୟ ଜେନା ସୂଚନା ଦେଇଛନ୍ତି।ରଙ୍ଗ ଲଗେଇବ ରଙ୍ଗ ନାଗରୀ: ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ରେ କଳିଙ୍ଗ ଗଣନାଟ୍ୟ ‘ଶ୍ରାବଣ ମାସର ଶେଷ ରାତି’ ମଂଚସ୍ଥ କରି ବିଦାୟ ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସୋମବାର ଯୋଡ଼ି ହେବ ‘ଶିବାନୀ ଗଣନାଟ୍ୟ’। ଖଣ୍ଡଗିରି କଳିଙ୍ଗ ପେଣ୍ଡାଲ୍‌ରେ ଶିବାନୀ ଭେଟିଦେବ ଚିନ୍ମୟ ଦାସଙ୍କ ରଚିତ ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦେଶିତ ନାଟକ ‘ରଙ୍ଗ ଲଗାଇଛି ରଙ୍ଗ ନାଗରୀ’।

ଭେଟ ହେବ ଭଦ୍ରକିଆ ଟୋକା: ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ପଡ଼ିଆରେ ସ୍ବପ୍ନ ମହଲ ତା’ର ଚର୍ଚ୍ଚିତ ନାଟକ ‘ସିଆଇଡି ଦୟା’ ୪ ରାତି ମଂଚସ୍ଥ କରି ରବିବାର ବିଦାୟ ନେଇଛି। ସୋମବାର ଏଇ ମଂଚରେ ଭେଟ ହେବାକୁ ଯାଉଛି ଭଦ୍ରକିଆ ଟୋକା। ଦ୍ବିତୀୟ ପର୍ଯ୍ୟାୟରେ ‘ରଙ୍ଗମହଲ’ ପ୍ରବେଶ କରିବା ସହିତ ଭେଟି ଦେବ ଅରୁଣ ବାରିକଙ୍କ ରଚିତ ଓ ତାପସ ସ୍ବାଇଁଙ୍କ ନିର୍ଦେଶିତ ନାଟକ ‘ମୁଁ ସେଇ ଭଦ୍ରକିଆ ଟୋକା’। ସୁବାସ-ମାମା, ମାନସ ଓ ଦୀପୁଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ଦେଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର