ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ଦାଉ ସାଧୁଛି ଅଦିନଆ ମେଘୁଆ ପାଗ। କୋହଲା ପବନ ହିଁ ଯାତ୍ରା ପ୍ରେମୀଙ୍କ ଯାତ୍ରା ଦେଖାରେ ବାଟ ଓଗାଳିଛି। ଯାତ୍ରା ଆରମ୍ଭ ଦିନରୁ ଏଭଳି ପ୍ରତିକୂଳ ପାଗ ଯୋଗୁଁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଫିକା ପଡ଼ିଛି। ପ୍ରଥମ ଦୁଇଦିନ ଅଧିକାଂଶ ପାସ୍‌ଧାରୀଙ୍କ ଯୋଗୁଁ ପ୍ରେକ୍ଷାଳୟ ଭରପୂର ରହୁଥିଲା। ଆଜି ସକାଳୁ ଟିକେଟ ବିକ୍ରିବଟା ବଢ଼ିଥିଲା। ମଧ୍ୟାହ୍ନରେ ବର୍ଷା ସବୁ ସାରିଦେଲା। ଯାତ୍ରା ଟିକେଟ୍‌ ବିକ୍ରିବଟା କେବଳ ଅଟକିଗଲାନି ବରଂ ଯେଉଁମାନେ ଟିକେଟ ନେଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଟିକେଟ ଫେରାଇବାକୁ ଆସୁଥିବା ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା।

Advertisment

ପ୍ରତିକୂଳ ପାଗ ସତ୍ତ୍ବେ ପ୍ରଥମ ପର୍ଯ୍ୟାୟ ଯାତ୍ରାରୁ ବିଦାୟ ନେଇଛି କୋଣାର୍କ ଗଣନାଟ୍ୟ। ୩ ଦିନ କାଳ 'ଆଖି ଅବୁଝାକୁ ଲୁହ ଅବୁଝା' ନାଟକ ମଂଚସ୍ଥ କରି କୋଣାର୍କ ବିଦାୟ ନେଇଥିବା ବେଳେ ଘାଟିକିଆ ଯାତ୍ରା ପେଣ୍ଡାଲରେ ପାଦ ଥାପିଛି 'ଇନ୍ଦ୍ରଭୁବନ'। ପ୍ରଥମ ରାତିରେ ଇନ୍ଦ୍ରଭୁବନ ଭେଟିଦେଇଛି ନାଟକ 'ଭାଇ ଭଉଣୀର ନୂଆ କାହାଣୀ'। ନାଟ୍ୟକାର ସନ୍ତୋଷ ନାରାୟଣ ଦାସଙ୍କ ରଚିତ ଏହି ନାଟକର ନିର୍ଦେଶନା ଦେଇଛନ୍ତି ଶାରଦା ରଣା। ଏଥିରେ ସଞ୍ଜୟ ଭୋଳଙ୍କୁ ଦେଖିବା ପାଇଁ ଉତ୍ସୁକତା ପରିଲକ୍ଷିତ ହୋଇଛି। ଏଥିସହ ନମିତା, ସଂଜୟ, ଭାରତୀ, ନିଲୁ ଓଝା, ମୁନା, ରୂପା, ବିମଳ ଓ ମାମାଙ୍କ ଭଳି କଳାକାରଙ୍କୁ ଏହି ନାଟକରେ ଦେଖିବାକୁ ମିଳିଛି। ଏଥିସହ ମହତାବ ପେଣ୍ଡାଲରେ ସେଇ ନାଟକ ‘କଥା ଦିଅ ମତେ କରିବନି ପର’ ଆଜି ପୁଣି ମଂଚସ୍ଥ ହୋଇଥିବା ବେଳେ ଜାଗମରା କେସିଏ ପଡ଼ିଆରେ ମଧ୍ୟ ନାଟକ ‘ସିଆଇଡି ଦୟା’ ମନ ଜିଣିଚାଲିଛି। କଳିଙ୍ଗ ଗଣନାଟ୍ୟ ମଧ୍ୟ 'ଶ୍ରାବଣ ମାସର ଶେଷ ରାତି' ନାଟକ ଭେଟି ଦେଇଛି। ଦ୍ବିତୀୟ ପର୍ଯ୍ୟାୟରେ ଇନ୍ଦ୍ରଭୁବନ ସାମିଲ୍‌ ହୋଇସାରିଥିବା ବେଳେ ତୁଳସୀ, ସୂର୍ଯ୍ୟମନ୍ଦିର, ରାଜଧାନୀ ଅପେରା ଓ ରଙ୍ଗମହଲ ପାଦ ଥାପିବାକୁ ଯାଉଛନ୍ତି। ପଅରଦିନଠୁ ପାଗ ଖୋଲିଯିବ ବୋଲି ଆଶା ଥିବାରୁ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ବେଳକୁ ଖଣ୍ଡଗିରି ଯାତ୍ରା ସରଗରମ ହେବାର ସମ୍ଭାବନା ରହିଛି।