ଖଣ୍ଡଗିରି: ଖଣ୍ଡଗିରି ଯାତ୍ରା ଆରମ୍ଭ ପୂର୍ବରୁ ଘନଘନ ବୈଠକ କଲେ। ବିଏମ୍‌ସିରେ ସବୁ ବିଭାଗକୁ ଡାକି ଗୋଟିଗୋଟି ଆଲୋଚନା କଲେ। ପୁଲିସ୍‌ ପକ୍ଷରୁ ମଧ୍ୟ ଖଣ୍ଡଗିରି ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍‌ ନି‌ର୍ଦ୍ଦେଶନାମା ତଥା ଟ୍ରାଫିକ୍‌ ଆଡ୍‌ଭାଇଜରି ଜାରି ହେଲା। ମାତ୍ର ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ହେଁ ସବୁ ନିର୍ଦେଶନାମାକୁ ଫୁ’ କରି ଉଡ଼େଇଦେଲେ। ଖଣ୍ଡଗିରି ମେଳା ବେଳେ ଫେବ୍ରୁଆରି ୧ରୁ ୧୬ ତାରିଖ ପର୍ଯ୍ୟନ୍ତ କୌଣସି ଭାରୀଯାନକୁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ମଧ୍ୟରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିର୍ଦେଶ ଦିଆଯାଇଥିଲା। ଖଣ୍ଡଗିରିରେ ସଂପ୍ରତି ଓଭରବ୍ରିଜ୍‌ କାମ ଚାଲୁ ରହିଥିବା ବେଳେ ଯାତ୍ରା ‌ଯୋଗୁଁ ଅସମ୍ଭାଳ ଭିଡ଼ ଲାଗି ରହୁଛି। ତେଣୁ ଦୁଇ ପାର୍ଶ୍ବରେ ଥିବା ସର୍ଭିସ ରୋଡ୍‌କୁ ଯାତ୍ରା ଉଦ୍ଦେଶ୍ୟରେ ଲୋକଙ୍କ ଯା’ ଆସ ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହାକୁ ଏଯାବତ୍‌ କାର୍ଯ୍ୟକାରୀ କରାଗଲା ନାହିଁ। ଫଳରେ କଟକଣା ସମୟରେ ହିଁ ଶହ ଶହ ଭାରୀଯାନ ଚାଳକମାନେ ଖଣ୍ଡଗିରି ଛକ ଦେଇ ପାର୍ ହେଉଛନ୍ତି ଓ ସେଥିପାଇଁ ସେଠାରେ ପ୍ରବଳ ଜାମ୍ ହେଉଥିବା ଅଭିଯୋଗ ହେଉଛି। ପିତାପଲ୍ଲୀ ଛକରେ ଟ୍ରାଫିକ୍ ପୁଲିସ ରହୁଥିବା ସତ୍ତ୍ବେ ଭାରୀଯାନଗୁଡିକ କିଭଳି କଟକଣାକୁ ଫୁ’ କରି ପାର୍ ହେଉଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଗାଡ଼ି କର୍ତ୍ତବ୍ୟରତ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ଜ୍ଞାତସାରରେ ଖସି ଯାଉଥିବା ବେଳେ ଆଉ କିଛି ଗଳା ବାଟ ଦେଇ ଯାଉଥିବା ଚର୍ଚ୍ଚା ହେଉଛି। ଖୋର୍ଧାରୁ କଟକ ଅଭିମୁଖେ ଯାଉଥିବା ଟ୍ରକଗୁଡ଼ିକ ପିତାପଲ୍ଲୀରୁ ଚନ୍ଦକା ବାଟ ଦେଇ ବାରଙ୍ଗରେ ବାହାରିବା ପାଇଁ ନିର୍ଦେଶନାମା ଥିଲା। କଟକରୁ ଖୋର୍ଧା ଅଭିମୁଖେ ଆସୁଥିବା ଟ୍ରକଗୁଡ଼ିକ ମଧ୍ୟ ବାରଙ୍ଗ ଦେଇ ପିତାପଲ୍ଲୀରେ ବାହାରି ଖୋର୍ଧା ଅଭିମୁଖେ ଯିବାର ନିୟମ କରାଯାଇଥିଲା। ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏଯାବତ ଏହାକୁ ପାଳନ କରାଗଲା ନାହିଁ। ଫଳରେ ଏଇ ରାସ୍ତା ଦେଇ ବେଳେବେଳେ ଆସୁଥିବା ଆମ୍ବୁଲାନ୍‌ସ ବହୁ ସମୟ ଧରି ଫସି ରହୁଛନ୍ତି। ଖଣ୍ଡଗିରି ପଟୁ ଜାଗମରା ଆଡ଼କୁ ଶହଶହ ସଂଖ୍ୟାରେ ଲୋକେ ପାର୍‌ ହେବା ବେଳେ ଗାଡ଼ିଗୁଡ଼ିକ ଅଟକି ରହି ବ୍ୟାପକ ଭିଡ଼ ସୃଷ୍ଟି କରୁଛି। ତେଣୁ ପୁଲିସ୍‌ କେବଳ ଟ୍ରାଫିକ୍‌ ନିର୍ଦେଶନାମା ଜାରି କରିଦେଇ ବସିଯିବା ଅପେକ୍ଷା ଏହାକୁ କିଭଳି ସଠିକ୍‌ ଭାବେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦେବାକୁ ଯାତ୍ରା କମିଟି ଓ ଆସୁଥିବା ଯାତ୍ରା ଦର୍ଶକମାନେ ଦାବି କରିଛନ୍ତି। ଯାତ୍ରା ସରିବାକୁ ଆଉ ୫ ଦିନ ଥିବାରୁ ଅନ୍ତତଃ ଏଇ ୫ ଦିନ ଟ୍ରାଫିକ୍‌ ନିର୍ଦେଶନାମାକୁ ପାଳନ କରିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ଖଣ୍ଡଗିରି ମେଳା ଭିଡ଼କୁ ଆଖିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ଅପରାହ୍‌ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରୀଯାନଗୁଡ଼ିକୁ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକରୁ ପଳାସୁଣୀ ଛକ ପର୍ଯ୍ୟନ୍ତ ଯାତାୟାତ ବନ୍ଦ କରାଯାଇଛି। ଏହି ସମୟରେ ଭାରୀଯାନଗୁଡ଼ିକ ପିତାପଲ୍ଲୀ ଛକରୁ ବାରଙ୍ଗ ରାସ୍ତାରେ ଯାତାୟାତ କରିବାକୁ ନିର୍ଦେଶ ଦିଆଯାଇଛି। ମାତ୍ର ଏବେ ଦେଖାଯାଉଛି ଖାସ୍ ଏହି କଟକଣା ସମୟରେ ହିଁ ବହୁ ଭାରୀଯାନ ଖଣ୍ଡଗିରି ଛକରେ ପାର୍ ହେଉଛନ୍ତି।

Advertisment

ପିତାପଲ୍ଲୀ ଛକରେ ଠିଆ ହେଉଥିବା ଟ୍ରାଫିକ୍ ପୁଲିସ କର୍ମଚାରୀମାନେ ସଫେଇ ଦେଇ କହୁଛନ୍ତି ଯେ ଧାର୍ଯ୍ୟ ସମୟ ପରେ ସେମାନେ କୌଣସି ଗାଡ଼ି ଛାଡ଼ୁନାହାନ୍ତି। ପିତାପଲ୍ଲୀ ଛକ ପରେ ଗଙ୍ଗପଡ଼ା, ଯାଁଳା, ତମାଣ୍ଡୋ ଓ ପାତ୍ରପଡ଼ାରେ ଅଟକି ରହିଥିବା ଗାଡ଼ିଗୁଡିକ ଏଭଳି ଭିଡ଼ କରୁଛନ୍ତି। ପୁଣି କିଛି ଗାଡ଼ି ପିତାପଲ୍ଲୀ ଛକରୁ ବାରଙ୍ଗ ରାସ୍ତାରେ କିଛି ବାଟ ଗଲା ପରେ ପୁଣି ଗଙ୍ଗପଡ଼ା, ଛତାବର ଆଦି ରାସ୍ତାରେ ବୁଲି ପୁଣି ୧୬ ନମ୍ବର ଜାତୀୟ ରାଜପଥକୁ ଉଠି ଯାଉଛନ୍ତି ଓ ଖଣ୍ଡଗିରି ଛକକୁ ଜାମ୍‌ କରୁଛନ୍ତି। ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ଏହି ଅଭିଯୋଗକୁ ସ୍ବୀକାର କରିଥିବାବେଳେ କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ତେଣୁ ଏଣିକି ମେଳା ସରିବା ପର୍ଯ୍ୟନ୍ତ ପିତାପଲ୍ଲୀ ଛକରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ସନ୍ଧ୍ୟାରେ ମୋବାଇଲ୍ ଚେକିଂ କରାଯିବ ଓ ଗଳାବାଟରେ ପଶିଥିବା ଭାରୀଯାନଗୁଡ଼ିକୁ ଜରିମାନା ସହ ଆଇନ ଅନୁସାରେ ବିହିତ ଦଣ୍ଡବିଧାନ କରାଯିବ।