ଭୁବନେଶ୍ବର : ଦୁଇଦିନ ତଳେ ଭଦ୍ରକରୁ ଦୁଇଜଣ ବ୍ୟକ୍ତି ଖଣ୍ଡଗିରିବାରି ଅଞ୍ଚଳକୁ ଫେରିଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଂଚଳର ବାସିନ୍ଦା ଚିନ୍ତା ବ୍ୟକ୍ତ କରିବା ସହ ପୁଲିସ୍ର ସହାୟତା ଲୋଡ଼ିଛନ୍ତି। ସମ୍ପୃକ୍ତ ଦୁଇ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲ୍ରେ କରୋନା ଟେଷ୍ଟ୍ କରାଇଛନ୍ତି। ମାତ୍ର ଏହା ଅଞ୍ଚଳବାସୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଖଣ୍ଡଗିରିବାରିର ଜଣେ ବ୍ୟକ୍ତି ଏ ବାବଦରେ ଆମ ସହ ଯୋଗାଯୋଗ କରି କହିଛନ୍ତି, ଦୁଇ ବ୍ୟକ୍ତି ଏହି ଖଣ୍ଡଗିରିବାରିରେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ନେଇ ରହୁଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମ୍ପୃକ୍ତ ଦୁଇ ବ୍ୟକ୍ତି ଯେଉଁ ଘରେ ରହୁଛନ୍ତି ସେଠାରେ ଭଡ଼ାରେ ରହିଥିବା ଅନ୍ୟ ୭ଟି ପରିବାର କମନ ଟଏଲେଟ୍କୁ ବ୍ୟବହାର କରୁଛନ୍ତି। ତେଣୁ ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ତାହା କେବଳ ସେଇ ୭ଟି ପରିବାର ନୁହେଁ, ବରଂ ଏହି ଅଞ୍ଚଳରେ କରୋନା ବ୍ୟାପିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ନିଲ୍ ହୋତା ନାମକ ବ୍ୟକ୍ତି ଏ ସମ୍ବନ୍ଧରେ ପ୍ରଶାସନ ଓ ପୁଲିସ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ହେଉଛି, ଭଦ୍ରକରେ କରୋନା ଯେଭଳି ପ୍ରତିଦିନ ବୃଦ୍ଧି ପାଉଛି ସେଠାରୁ କେହି ଆସିବା ଦ୍ବାରା ଏଠାକାର ଲୋକେ ଚିନ୍ତାରେ ପଡୁଛନ୍ତି। ସେ ଦୁଇ ବ୍ୟକ୍ତି ଭଦ୍ରକରୁ ଆସି କ୍ୟାପିଟାଲ ହସ୍ପିଟାଲ୍ରେ ଟେଷ୍ଟ କରାଇ ନେଇଥିଲେ ମଧ୍ୟ ସେମାନେ କୌଣସି କ୍ବାରାଣ୍ଟାଇନ କେନ୍ଦ୍ରକୁ ଯାଇ ସେଠାରେ କାହିଁକି ସଙ୍ଗରୋଧରେ ରହୁନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସଙ୍ଗରୋଧରେ ରହିବା ପରେ ଏଠାକୁ ଫେରିବାରେ ସମସ୍ୟା ନାହିଁ। କିନ୍ତୁ ଏତେ ବଡ଼ ବୃହତ୍ ଜନବସତିରେ ଚଳପ୍ରଚଳ ହେବା ଖଣ୍ଡଗିରିବାରି ବାସିନ୍ଦାଙ୍କୁ ଚିନ୍ତାରେ ପକାଇଛି। ତେଣୁ ପ୍ରଶାସନ ଓ ପୁଲିସ୍ ଏହାକୁ ଗୁରୁତ୍ବ ଦେବାକୁ ସେ ନିବେଦନ କରିଛନ୍ତି।