ଖଣ୍ଡଗିରି: ବର୍ଷା ହୋଇ ନ ଥିବ, ପତ୍ର ବି ହଲୁ ନ ଥିବ, କିନ୍ତୁ ବିଜୁଳି ଗୋଲ୍। ଏଥିଯୋଗୁଁ ଲୋକେ କେବଳ ଅସ୍ତବ୍ୟସ୍ତ ହେଉ ନାହାନ୍ତି, କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ଅଧିକାଂଶ କୋଭିଡ୍ ପଜିଟିଭ୍ ଗୃହାବଦ୍ଧରେ ଚିକିତ୍ସିତ ହେଉଥିବାରୁ ସେମାନଙ୍କ ଦୁର୍ଦଶା କହିଲେ ନସରେ। ବରମୁଣ୍ଡା ପେଟ୍ରୋଲ ଟାଙ୍କିରୁ ଖଣ୍ଡଗିରି, ବେରୁଆଁବାଇରଙ୍ଗ, ଡେରାସ, ଅନ୍ଧାରୁଆ, ପୋଖରୀପୁଟ, ଗଣ୍ଡମୁଣ୍ଡା, କଳିଙ୍ଗନଗର, ତମାଣ୍ଡୋରେ ଏହିଭଳି ସ୍ଥିତି ଲାଗି ରହିଛି। ମାତ୍ର ଖଣ୍ଡଗିରି ଅଞ୍ଚଳର ୬୦ ହଜାର ବିଜୁଳି ଗ୍ରାହକଙ୍କୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏଭଳି ହନ୍ତସନ୍ତ ହେବାରୁ ନିସ୍ତାର ମିଳିବ ନାହିଁ। ଟାଟା ପ୍ରୋଜେକ୍ଟ ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ)ପକ୍ଷରୁ କରାଯାଉଥିବା ଉନ୍ନତୀକରଣ କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ଏଠାରେ ବିଜୁଳି କାଟ ସମସ୍ୟା ଜାରି ରହିବ ବୋଲି ବିଭାଗ କହିଛି।
ଆଜି ପର୍ଯ୍ୟନ୍ତ ଏଠାରେ ଭୂତଳ କେବୁଲ ସିଷ୍ଟମ ହୋଇ ନଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି। ଖଣ୍ଡଗିରି ଡିଭିଜନ୍ର ବିଜୁଳି ବ୍ୟବସ୍ଥା ପରିଚାଳନା ପାଇଁ ୮୦୦ଟି ଟ୍ରାନ୍ସଫର୍ମର, ୨୪ଶହରୁ ଅଧିକ ବିଜୁଳି ଖୁଣ୍ଟ ରହିଛି। ବିଭାଗ ଅନୁସାରେ, ଭିତ୍ତିଭୂମି ତୁଳନାରେ ଏଠାରେ ଗ୍ରାହକଙ୍କ ସଂଖ୍ୟା ଅଧିକ ନୁହେଁ। ଏହା ସତ୍ତ୍ବେ ଏଠାରେ ବିଜୁଳି ବିଭ୍ରାଟ ଲାଗି ରହୁଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ପ୍ରଥମତଃ ସହର ସହିତ ଗ୍ରାମାଞ୍ଚଳ ଫିଡର୍ ମିଶି ରହିଛି। ଗ୍ରାମାଞ୍ଚଳର ଗୋଟିଏ ଟ୍ରାନ୍ସଫର୍ମର୍ରେ ସାମାନ୍ୟ ସମସ୍ୟା ହେଲେ, ଏହା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ପ୍ରଭାବିତ କରୁଛି। ତମାଣ୍ଡୋ ବଜାରରୁ ଆରମ୍ଭ କରି ସିଭିରମଣ ଇନ୍ଷ୍ଟିଚ୍ୟୁଟ୍ ସହରାଞ୍ଚଳ ଅନ୍ତର୍ଗତ ହୋଇଥିବା ବେଳେ ସିଭିରମଣରୁ ମହୁରା ଛକ ଭିତରକୁ ପାଣ୍ଡିଆପଡ଼ା ଗ୍ରାମାଞ୍ଚଳ ଅନ୍ତର୍ଗତ। ମହୁରା ଛକ, ପାଣ୍ଡିଆପଡ଼ା ଟ୍ରାନ୍ସଫର୍ମର୍ରେ ସମସ୍ୟା ହେଲେ କଳିଙ୍ଗନଗର ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଟ୍ରାନ୍ସଫର୍ମର୍ରେ ଫ୍ୟୁଜ୍ ପକାଇବାକୁ ଗଲେ ମଧ୍ୟ ସମ୍ପୂର୍ଣ୍ଣ ଅଞ୍ଚଳର ଲାଇଟ୍ କାଟିବାକୁ ପଡ଼ିଥାଏ।
ବିଜୁଳି ସେବାରେ ସବୁଠୁ ବଡ଼ ବାଧକ ସାଜିଛି ଖଣ୍ଡଗିରି ସବଡିଭିଜନ୍ରେ କରାଯାଉଥିବା ୧୮କୋଟି ବିଜୁଳି ପ୍ରକଳ୍ପର କାର୍ଯ୍ୟ। ସୂଚନା ଅନୁଯାୟୀ, ଫନି ପୁନରୁଦ୍ଧାର ପରେ ପ୍ରାୟ ୩୦୦ କୋଟି ଟଙ୍କା ବଳକା ରହିଥିଲା। ଏହି ଅର୍ଥ ମଧ୍ୟ ଫନି କ୍ଷତିଗ୍ରସ୍ତ ସ୍ଥାନରେ ବ୍ୟବହାର କରାଯାଉଛି। ଏଥି ଅନ୍ତର୍ଗତରେ ଯେଉଁ କାର୍ଯ୍ୟଗୁଡ଼ିକ କରାଯାଉଛି, ସେଥିମଧ୍ୟରେ ୧୧ କେଭି ୟୁସି ଖୁଣ୍ଟ ବଦଳା ଯାଇ ୧୧ରୁ ୧୩ ମିଟର ଜିଆଇ ଖୁଣ୍ଟ ଲଗା ଯାଉଛି, ଯାହା କଳଙ୍କି ଲାଗିବ ନାହିଁ। ସିମେଣ୍ଟ ଲଗାଇ ଏଭଳି ବ୍ୟବସ୍ଥା କରାଯାଉଛି, ଯେମିତି ପ୍ରତି ଘଣ୍ଟାରେ ୧୦୦କିମି ବେଗରେ ପବନ ହେଲେ ମଧ୍ୟ ଅସୁବିଧା ହେବ ନାହିଁ। ସର୍ଟସର୍କିଟ୍ରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆର୍ଥିଂ କରାଯାଉଛି। ସବଷ୍ଟେସନ୍ରେ ପ୍ଲିନ୍ଥକୁ ମଝବୁତ କରିବା, ଆର୍ଥିଂ ପ୍ରସ୍ତୁତି ସହିତ ପାଚେରି କରାଯିବା ମଧ୍ୟ ୧୮କୋଟିର ଉନ୍ନତୀକରଣ ପ୍ରକଳ୍ପ ଅନ୍ତର୍ଗତ। ଭୂତଳ କେବୁଲ ଥିଲେ ବ୍ରେକ୍ଅପ ସପ୍ଲାଏ ରହିଥାଏ। ଗ୍ରାହକଙ୍କୁ ଅସୁବିଧା ହୁଏ ନାହିଁ। ଏଠାରେ ସେହିଭଳି ସୁବିଧା ନଥିବାରୁ ବିଜୁଳି କାଟିବାକୁ ପଡ଼ୁଛି। ଗ୍ରାହକଙ୍କ ପାଇଁ ଅସୁବିଧା ହେଉଛି। ସେଥିରେ ପୁଣି ବର୍ଷା ଯୋଗୁଁ ସାମାନ୍ୟ ପବନ, ବର୍ଷାରେ ତାର ଛିଣ୍ଡିଯିବା ଯୋଗୁଁ ଦୁଃଖ ଆହୁରି ବଢ଼ିଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/electricity-1.jpg)