‘ଓମ୍‌… ସ୍ବାହା’ ମନ୍ତ୍ରରେ କମ୍ପିଲା ଖଣ୍ଡଗିରି

ମେଲାଣି ନେଲେ ସାଧୁସନ୍ଥ

ଖଣ୍ଡଗିରି: ମଙ୍ଗଳ ବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍‌ଯାପିତ ହୋଇଯାଇଛି। ଦିନ ତମାମ୍ ଓମ୍‌ ଭାଗବତ ବାସୁଦେବାୟ ସ୍ବାହା… ଆଦି ପୂର୍ଣ୍ଣାହୁତି ମନ୍ତ୍ରରେ ପ୍ରକମ୍ପିତ ହୋଇପଡ଼ିଥିବା ଖଣ୍ଡଗିରି ଗିରିଗହ୍ବର ରାତିରେ ନିରବି ଯାଇଥିଲା। ପାହାଡ଼ ଉପରେ ରାଜୁତି କରିଥିଲା ଘଞ୍ଚ ନିରବତା। ନଥିଲେ ସାଧୁସନ୍ଥ, ନଥିଲା କୋଳାହଳମୟ ପରିବେଶ। ପାହାଡ଼ ତଳେ ‌ମେଳା ବଜାର ଓ ଯାତ୍ରା ଦଳର ହୋ-ହଲ୍ଲା ଲାଗି ରହିଥିବା ବେଳେ ପାହାଡ଼ ଉପରେ ବିଦାୟର କୋହ ଭାସି ଉଠୁଥିଲା। କିନ୍ତୁ ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ଦୁଗ୍ଧଘୃତର ଧୂଆଁ ଓ ତାର ମହକରେ ସେମିତି ଭରି ରହିଥିଲା ସାରା ପାହାଡ଼‌।

ଆଜି ସକାଳୁ ସକାଳୁ ସମସ୍ତ ଅସ୍ଥାୟୀ ମଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ଆରମ୍ଭ ହୋଇଯାଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଧୁସନ୍ଥଙ୍କ ଶେଷ ସାନ୍ନିଧ୍ୟ ପ୍ରାପ୍ତି ପାଇଁ ପହଞ୍ଚି ଯାଇଥିଲେ। ସବୁ ମଠରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି। ପ୍ରଥମେ ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଆରମ୍ଭ ହେବା ପରେ ପରେ ସବୁ ମଠରେ ଏହି ପର୍ବ ସମାହିତ ହୋଇଥିଲା। ନିୟମାନୁସାରେ ପୂର୍ଣ୍ଣାହୁତି ପରେ ବହୁ ସାଧୁସନ୍ଥ ମେଳାରୁ ବାହୁଡ଼ି ଯାଆନ୍ତି। ତେଣୁ ପ୍ରାୟ ୫୦ରୁ ଅଧିକ ସାଧୁସନ୍ଥ ଯଜ୍ଞ ପୂର୍ଣ୍ଣାହୁତି ପରେ ପରେ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ନିକଟରୁ ମେଲାଣି ନେଇଥିଲେ। ଗୁରୁଦେବମାନଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ଥିଲା ବେଶ୍ ଭାବାବେଗପୂର୍ଣ୍ଣ। କାନ୍ଦି ପକାଉଥିବା ଶ୍ରଦ୍ଧାଳୁଙ୍କୁ ଗୁରୁଦେବମାନେ ସାନ୍ତ୍ବନା ଦେଉଥିଲେ। ମାତ୍ର ଅଳ୍ପ କିଛି ସାଧୁସନ୍ଥ ରାତିକ ପାଇଁ ପାହାଡ଼‌ରେ ଅଟକି ରହିଥିଲେ। ସେମାନେ ଆସନ୍ତାକାଲି ପ୍ରାତଃକାଳ ପୂର୍ବରୁ ବିଦାୟ ନେବେ। ତେଣୁ ରାତି ପ୍ରାୟ ୯ଟା ବେଳକୁ ପାହାଡ଼ ଉପର ପ୍ରାୟ ଖାଁ ଖାଁ ହୋଇ ଯାଇଥିଲେ ବି କିଛି ମଠରେ ଗୁରୁଚେଲାଙ୍କ ଗପସପ ଚାଲିଥିଲା।

ସମ୍ବନ୍ଧିତ ଖବର