ରାମମନ୍ଦିର ନିକଟସ୍ଥ ଖାଓ ଗଳି ପାଇବ ନୂଆ ରୂପ

ଖର୍ଚ୍ଚ ହେବ ୪୦ଲକ୍ଷରୁ ଅଧିକ, ଲୋକଙ୍କୁ ବସିବା, ପିଇବା ପାଣି, ଶୌଚାଳୟ ସୁବିଧା ମିଳିବ

ଭୁବନେଶ୍ବର : ରାଜଧାନୀବାସୀଙ୍କ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାର ନୂଆ ଆଡ୍ଡା ପାଲଟିଥିବା ରାମମନ୍ଦିର ନିକଟସ୍ଥ ଖାଓ ଗଳିକୁ ନୂଆ ରୂପ ଦେଉଛି ବିଏମ୍‌ସି। ‌ଏଠାକୁ ଆସୁଥିବା ଲୋକମାନେ ଯେପରି ସ୍ବାସ୍ଥ୍ୟକର ପରିବେଶରେ ଖାଇପାରିବେ, ପାଣି ବୋତଲ ନକିଣିକି ବି ବିଶୁଦ୍ଧ ପାଣି ପିଇ‌ପାରିବେ, କିଓସ୍କରୁ ଖାଦ୍ୟ ନେବା ପରେ ଏଣେତେଣେ ଛିଡ଼ା ହୋଇ ନଖାଇ ଆରାମରେ ବସିକି ଖାଇପାରିବେ, ଝାଡ଼ା ପରିସ୍ରା ଲାଗିଲେ ବ୍ୟତିବ୍ୟସ୍ତ ହୋଇ ଶୌଚାଳୟ ଖୋଜିବେନି କି ଘରକୁ ନଯିବେ ସେଥିପାଇଁ ଇ-ଟଏଲେଟ୍‌ ବ୍ୟବସ୍ଥା ବି ହୋଇଛି। ପୂରା ଖାଓ ଗଳିକୁ ନୂଆ ରୂପରେ ବିଏମ୍‌ସି ସଜାଉଛି।

କରୋନା ପାଇଁ ଲକ୍‌ଡାଉନ୍‌ ଚାଲୁଥିବାରୁ ଏଠାରେ ଏବେ ଷ୍ଟ୍ରିଟ୍‌ ଫୁଡ୍‌ ଦୋକାନ ଖୋଲୁନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏଠାରେ ଜୋରଦାର୍‌ କାମ କରି ଏହାକୁ ଖୁବ୍‌ ଶୀଘ୍ର ନୂଆ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ସପ୍ତାହ ହେଲା କାମ ଆରମ୍ଭ ହୋଇଯାଇଥିବାବେଳେ ଆଉ ଦୁଇରୁ ତିନି ସପ୍ତାହରେ କାମ ଶେଷ ହେବ।

ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ, ବିଏମ୍‌ସି ଖାଓଗଳିର ଉନ୍ନତୀକରଣ କରୁଛି। ଏଠାରେ ପ୍ରାୟ ୩୦ଟି ଗାଡ଼ି/କିଓସ୍କ ଲାଗିବା ଭଳି ବ୍ୟବସ୍ଥା ଏବେ ହେଉଛି। ଏଠାରେ ବ୍ୟବସାୟ କରୁଥିବା ଯେଉଁ ବ୍ୟବସାୟୀମାନେ ବିଏମ୍‌ସିରେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳିବ।

ଆମେ ଏବେ ଟାଇଲ୍‌ ବିଛାଇବା ସହ ବିଭିନ୍ନ ପ୍ରକାରର ବ୍ୟାରିକେଡ୍‌, ଲୋକ ବସି ଖାଇବା ପାଇଁ ପିଣ୍ଡି, ଗୋଟିଏ ପାଣି ଏଟିଏମ୍‌, ହାତ ଧୁଆ ବେସିନ୍‌, ଗୋଟିଏ ଇ-ଟଏଲେଟ୍‌ ବ୍ୟବସ୍ଥା କରିଛୁ। ଆଗକୁ ଅଧିକ ଦୋକାନ ଖୋଲିଲେ ଅଧିକ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏବେ ପ୍ରାୟ ୪୦ଲକ୍ଷ ଟଙ୍କାରେ ଏହି ପ୍ରକଳ୍ପ କାମ ହେଉଛି। ଲକ୍‌ଡାଉନ୍‌ ପରେ ଖାଓ ଗଳି ଖୋଲିଲେ ଏଠାରେ ସମସ୍ତଙ୍କୁ ଫୁଡ୍‌ ଲାଇସେନ୍ସ କରିବା ବାଧ୍ୟତାମୂଳକ କରାଯିବ। ଗ୍ରାହକଙ୍କୁ ଗୁଣାତ୍ମକ ଖାଦ୍ୟ ମିଳିବା ନେଇ ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ ହେବ। ଏହାପରେ ଇନ୍‌ଫୋସିଟି ନିକଟରେ ଏହିପରି ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସବୁ ଖାଦ୍ୟ ବ୍ୟବସାୟୀ ଯେପରି ବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ଯୋଗାଇବେ ସେନେଇ ଆବଶ୍ୟକୀୟ ଭିତ୍ତିଭୂମି ବିଏମ୍‌ସି ଯୋଗାଇବ।

ସମ୍ବନ୍ଧିତ ଖବର