ଭୁବନେଶ୍ୱର: ଏଣେ ତେଣେ ବିକ୍ଷିପ୍ତ ଭାବରେ ଖୋଲୁଥିବା ଷ୍ଟ୍ରିଟ୍‌ଫୁଡ୍‌ ଦୋକାନ, ଷ୍ଟଲ୍‌ ବା ଠେଲାଗାଡ଼ି ବୁଲିବା ବଦଳରେ ରାଜଧାନୀର ଏକାଧିକ ଅଞ୍ଚଳରେ ‘ଖାଓଗଳି’ର ପରିକଳ୍ପନା କରାଯାଇଥିଲା। ହେଲେ ଆରମ୍ଭ ହେବାର ଅଳ୍ପଦିନ ଭିତରେ ରାଜଧାନୀର ସବୁଠାରୁ ପୁରୁଣା ତଥା ଲୋକପ୍ରିୟ ରାମମନ୍ଦିର ନିକଟସ୍ଥ ‘ଖାଓଗଳି’ ଆକର୍ଷଣ ହରାଇଛି। ଗତ ୨୦୨୦ରେ ଏହାକୁ ନୂଆ ରୂପ ଦେବା ପାଇଁ ବିଏମ୍‌ସି ପକ୍ଷରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଵାଟର କିଓସ୍କ ସହିତ ଇ-ଟଏଲେଟ୍‌ ଓ ବସିବା ପାଇଁ ସିଟ୍‌ ଆଦି ତିଆରି ହୋଇଥିଲା। କିନ୍ତୁ ବର୍ତ୍ତମାନ ଗଳିର ସ୍ଥିତି ଶୋଚନୀୟ ହୋଇଗଲାଣି। ଵାଟର କିଓସ୍କରୁ ଆଉ ପାଣି ବାହାରୁନି। ସ୍ଥାନେ ସ୍ଥାନେ ଲାଗିଥିବା ପାଣିଟ୍ୟାପ୍‌ ମଧ୍ୟ ଭାଙ୍ଗି ଗଲାଣି। ଭଙ୍ଗା ଟ୍ୟାପ୍‌ର ବେସିନ ଆବର୍ଜନାରେ ଗଦା ହୋଇରହିଛି। ଇ-ଟଏଲେଟ୍‌ ମଧ୍ୟ ଅଧିକାଂଶ ସମୟରେ ଅଚଳ ହୋଇଯାଉଛି। ଏପରିକି ବସିବା ପାଇଁ ପଡ଼ିଥିବା ସିଟ୍‌ଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। 

Advertisment

ୱାଟର କିଓସ୍କରୁ ପାଣି ବାହାରୁନି 
ବ୍ୟବହାର ହୋଇପାରୁନି ଇ-ଟଏଲେଟ୍‌ 
ଭାଙ୍ଗିଗଲାଣି ଚେୟାର, ବେସିନ୍‌ରେ ଅଳିଆ ଭର୍ତ୍ତି

ଗତ ମେ’ରେ  ରାମମନ୍ଦିର ଖାଓଗଳିରେ ଦୋକାନ ଉଚ୍ଛେଦକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ଦୋକାନୀମାନେ ବିଏମ୍‌ସି ଅଧିକାରୀଙ୍କୁ ଘେରିବା ସହ ଆନ୍ଦୋଳନ କରିଥିଲେ। ଜୋନାଲ୍ ଡେପୁଟି କମିସନର୍ ଓ ଅନ୍ୟ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ବୈଠକ ଡାକି ଆଲୋଚନା ପରେ କଳି ତୁଟିଥିଲା। ଖାଓଗଲିର ୩୧ଟି ଦୋକାନ ମଧ୍ୟରୁ ପ୍ରଥମ ପନ୍ଦରଟି ପାଇଁ ମାସିକ ୩୦୦୦ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ବେଳେ ଶେଷ ୧୬ଟି ପାଇଁ ୨୦୦୦ଟଙ୍କା ଧାର୍ଯ୍ୟ ହୋଇଥିଲା। ହେଲେ ବିଡ଼ମ୍ୱନାର କଥା ମାସିକ ଏତେ ଭଡ଼ା ସତ୍ତ୍ୱେ ଏଯାବତ୍‌ ମୌଳିକ ସୁବିଧାର ସମାଧାନ ହୋଇନି। ତେବେ ଏନେଇ ଖାଓଗଳି ଦୋକାନୀ ସଂଘ ସଭାପତି ରଶ୍ମିତା ଖଟେଇଙ୍କ କହିବା ଅନୁଯାୟୀ ବିଏମ୍‌ସି ଭେଣ୍ଡିଂଜୋନ ଭଡ଼ାରେ ଦେଲେ ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରୁଛି। ହେଲେ ଏଠାରେ ସେ ସୁବିଧା ମିଳୁନାହିଁ। ଯଦିଓ ଅନ୍ୟ ଦିନରେ ଲୋକ କଷ୍ଟେ ମଷ୍ଟେ ବେପାର କରି ଭଡ଼ା ଦେଇ ଦେଉଛନ୍ତି। ହେଲେ ସେଡ୍‌ ନଥିବାରୁ ବର୍ଷା ଦିନେ ବେପାର ଠପ୍‌ ହୋଇଯାଉଛି। ତେଣୁ ସେ ଏଠାରେ ବେପାରୀମାନଙ୍କ ପାଇଁ ଏକ ସେଡ୍‌ ନିର୍ମାଣ ସହିତ ଅନ୍ୟାନ୍ୟ ସୁବିଧା ଦୂର କରିବା ପାଇଁ ଡେପୁଟି କମିସନରଙ୍କୁ ଆବେଦନ କରିବେ ବୋଲି କହିଛନ୍ତି। ସେହିପରି କର୍ପୋରେଟର ରଞ୍ଜୁଲତା ରାୟଙ୍କ କହିବା ଅନୁଯାୟୀ ଗଳିରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହେଉଛି।