ଭୁବନେଶ୍ବର : ଖାରବେଳ ଭବନ ଯେତିକି ପୁରୁଣା ହେଉଛି ଏହାର ନିର୍ମାଣ ଖର୍ଚ୍ଚ ସେତିକି ବଢ଼ୁଛି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗ ତନାଘନା ଆରମ୍ଭ କରିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଯେଉଁଭଳି ଦିନକୁ ଦିନ ଖାରବେଳ ଭବନର ଖର୍ଚ୍ଚ ତାଲିକା ବଢ଼ା ଚାଲିଛି ଏବଂ ଯେଉଁ ସବୁ ବାବଦକୁ ଖର୍ଚ୍ଚ ହେଉଛି ବୋଲି ଦର୍ଶାଯାଇଛି, ତାହାକୁ ନେଇ ସାଧାରଣ ପ୍ରଶାସନ ବିଭାଗର ସନ୍ଦେହ ହୋଇଛି। ଏପରିକି ବିଭାଗୀୟ ଅଧିକାରୀମାନେ କେଉଁ ପରିସ୍ଥିତିରେ ଖର୍ଚ୍ଚ ଅଟକଳ ବାଦ୍‌ ପ୍ରାୟ ୪୦ କୋଟି ଅଧିକ ଖର୍ଚ କଲେ, ସେନେଇ ଜବାବ୍ ମାଗିଛି ସାଧାରଣ ପ୍ରଶାସନ ବିଭାଗ। ଆସନ୍ତା ୨୫ ତାରିଖରେ ପୂର୍ତ୍ତ ସଚିବ ଓ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ନିକଟରେ ଜବାବ୍ ରଖିବେ ବୋଲି ଜଣାପଡ଼ିଛି।

Advertisment

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖାରବେଳ ଭବନ ନିର୍ମାଣ ବାବଦକୁ ୧୨୮କୋଟି ୪୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଏହାକୁ ପ୍ରାଶାସନିକ ଅନୁମତି ମିଳିଥିଲା। ହେଲେ କାମ ସରି କୋଠା ଉଦ୍‌ଘାଟନ ହେବା ପରେ ବିଭାଗୀୟ ଅଧିକାରୀମାନେ ଏହି କୋଠା ପାଇଁ ୧୫୯କୋଟି ୩୧ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ବୋଲି ହିସାବ ଦେଲେ। ସାଧାରଣ ପ୍ରଶାସନ ବିଭାଗକୁ ଏମିତି ବୁଝାଇଲେ ଯେ ଏହି ହିସାବକୁ ପ୍ରାଶାସନିକ ଅନୁମତି ମିଳିଗଲା। ହେଲେ ପୂର୍ତ୍ତ ବିଭାଗର ବାବୁମାନଙ୍କର ଖର୍ଚ୍ଚ ହିସାବ ଏହି ୩୧ କୋଟିରେ ସରିଲାନି। ଏହାପରେ ଆଉ ୮.୭୬ କୋଟିର ଖର୍ଚ୍ଚ ହିସାବ ପଠାଇଲେ। ଏହାକୁ ନେଇ ସାଧାରଣ ପ୍ରଶାସନ ବିଭାଗର ସନ୍ଦେହ ହୋଇଛି। ୩୧କୋଟି ଅଧିକ ଖର୍ଚ୍ଚ କରିବା ପରେ କ’ଣ ଆବଶ୍ୟକ ପଡ଼ିଲା ଯେ ପୁଣି ୮.୭୬କୋଟି ଖର୍ଚ୍ଚ ହେଲା ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ କରିଛି।

ପୂର୍ବରୁ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ୍‌-୫ ନିର୍ବାହୀ ଯନ୍ତ୍ରୀ ଯେତେବେଳେ ୨କୋଟି ୧୪ଲକ୍ଷ ୯ହଜାର ୬୪୪ଟଙ୍କା ମାଗିଥି‌ଲେ, ସେତେବେଳେ ସାଧାରଣ ପ୍ରଶାସନ ବିଭାଗ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ଯଦି ଅତିରିକ୍ତ ଖର୍ଚ୍ଚ ବାବଦକୁ ୩୧କୋଟି ଖର୍ଚ୍ଚ ହେଲା ତେବେ ପୁଣି ଏ ୨କୋଟି ୧୪ଲକ୍ଷ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ ହେଲା ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ କରିଥିଲା। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କୁ ଏନେଇ ସ୍ପଷ୍ଟୀକରଣ ମଗା ଯାଇଥିଲା। ଯେଉଁ ୨ କୋଟି ୧୪ ଲକ୍ଷ ଖର୍ଚ୍ଚ ହେଲା, ତାହା ଅତିରିକ୍ତ ଖର୍ଚ୍ଚ ହୋଇଥିବା ୩୧ କୋଟିରେ ଅଛି ନା ନାହିଁ। ଯଦି ନାହିଁ ତେବେ ୩୧ କୋଟି କେଉଁଥିପାଇଁ ଖର୍ଚ୍ଚ ହେଲା, ଏହି ୨କୋଟି ୧୪ଲକ୍ଷ କେଉଁଥିପାଇଁ ଖର୍ଚ୍ଚ ହୋଇଛି ତା’ର ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ମୁଖ୍ୟଯନ୍ତ୍ରୀ କହିଲେ ଅତିରିକ୍ତ କାମ ବାବଦକୁ ଖର୍ଚ୍ଚ ହେଲା। ଏଥିରେ ଡିସ୍କସନ୍ ରୁମ୍, ପିଏ/ପିଏସ୍‌ ଏବଂ ପ୍ରତୀକ୍ଷା ଗୃହ, ପ୍ରଥମ ମହଲା ଲାଉଞ୍ଜ୍ ନିର୍ମାଣ ହେଲା। ଏହାପରେ ପୁଣି ଫର୍ଣ୍ଣିଚର୍ ଏବଂ ଅପ୍ଟିମାଇଜର୍ (ଷ୍ଟୋରେଜ୍) ପାଇଁ ୩କୋଟି ୮୪ଲକ୍ଷ ଟଙ୍କାର ତାଲିକା ଦେଲେ। ଏହିପରି ଅତିରିକ୍ତ ଖର୍ଚ୍ଚ ବାବଦକୁ ମୋଟ୍‌ ୩୬କୋଟି ୯୯ଲକ୍ଷ ଟଙ୍କା ଖର୍ଚ୍ଚ ତାଲିକା ଦେଇଥିଲେ। ଉପରୋକ୍ତ ଖର୍ଚ୍ଚ ବାଦ୍ ଅତିରିକ୍ତ ଚାମ୍ବର, ଅତିରିକ୍ତ ଏସି ଲଗାଇବା, ଅତିରିକ୍ତ ସିସିଟିଭି ଲଗାଇବା ବାବଦକୁ ୨.୭୮କୋଟି ଖର୍ଚ୍ଚ ହୋଇଛି ବୋଲି କହି ଏବେ ମୋଟ୍ ୩୯କୋଟି ୭୬ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେଲା ବୋଲି ହିସାବ ଦିଆଯାଇଛି। ତେଣୁ ସାଧାରଣ ପ୍ରଶାସନ ବିଭାଗ ସବୁର ହିସାବ ମାଗିଛି। ଖାରବେଳ ଭବନ ନିର୍ମାଣ କରିଥିବା ଏଲ୍‌ଆଣ୍ଡ୍‌ଟିକୁ ୩୧କୋଟି ଦେବା ପରେ ପୁଣି ୮.୭୬କୋଟି କେମିତି ଓ କାହିଁକି ଖର୍ଚ୍ଚ ହେଲା ତା’ର ଗୋଟି ଗୋଟି ହିସାବ ଦେବାକୁ ପୂର୍ତ୍ତ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କୁହାଯାଇଛି। କେଉଁଠି କେତୋଟି ଚାମ୍ବର ହୋଇଛି, ଏଲ୍‌ଆଣ୍ଡ୍‌ଟି କେତେ ଚାମ୍ବର କରିଥିଲା, ବାକି ଠିକା ସଂସ୍ଥା କେତେ ଚାମ୍ବର କରିଛନ୍ତି, ଏଲ୍‌ଆଣ୍ଡ୍‌ଟି କେତୋଟି ଏସି କେଉଁଠି ଲଗାଇଥିଲା, ବାକି ଠିକା ସଂସ୍ଥା କେତେ ଏସି କେଉଁଠି ଲଗାଇଛନ୍ତି, ଏଲ୍‌ଆଣ୍ଡ୍‌ଟି କ’ଣ କ’ଣ ସୁବିଧା ସୁଯୋଗ ଦେବ ବୋଲି କହିଥିଲା ଓ କ’ଣ ଦେଲା, କ’ଣ ଦେଲାନି ଯେ ଅତିିରିକ୍ତ କାମ କରିବାକୁ ପଡ଼ିଲା ତା’ର ସବି‌େଶଷ ତଥ୍ୟ ଦେବାକୁ ପୂର୍ତ୍ତ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି।

‌େକବଳ ଏତିକି ନୁହେଁ, କ’ଣ ଏମିତି ନିତାନ୍ତ ଆବଶ୍ୟକ ପଡ଼ିଲା ଯେ ଅତିରିକ୍ତ କାମ ପାଇଁ ଟେଣ୍ଡର କରାଗଲାନି। ବିନା ଟେଣ୍ଡରରେ କାମ ଦିଆଗଲା। କେଉଁ ଅଧିକାରୀଙ୍କ ସ୍ବାର୍ଥ ପାଇଁ ବିନା ଟେଣ୍ଡରରେ ଖାରବେଳ ଭବନରେ ପ୍ରାୟ ୪୦ କୋଟିର କାମ ହେଲା ତା’ର ହିସାବ ବି ସାଧାରଣ ପ୍ରଶାସନ ବିଭାଗ ମାଗିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ପୂର୍ତ୍ତ ବିଭାଗ ଏହି ଅତିରିକ୍ତ ଖର୍ଚ୍ଚକୁ ପ୍ରଶାସନିକ ଅନୁମତି ଦେବା ସହ ତୁରନ୍ତ ଅର୍ଥ ମଞ୍ଜୁର କରିବାକୁ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। ପ୍ରାୟ ତିନିଥର ଚିଠି ଲେଖିଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ ଦୁର୍ନୀତିର ଗନ୍ଧ ପାଇବାରୁ ଏହି ଅର୍ଥ ମଞ୍ଜୁର କରିନି। ଏବେ ପୂର୍ତ୍ତ ବିଭାଗ ପୁଣି ଚିଠି ଲେଖିଥିବାରୁ ସାଧାରଣ ପ୍ରଶାସନ ବିଭାଗ ପୂର୍ତ୍ତ ବିଭାଗର ଦୁଇ ଅଧିକାରୀଙ୍କୁ ଡାକି ଖର୍ଚ୍ଚର ହିସାବ ନେବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟର ବହୁ ଅଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିପାରୁନଥିବାରୁ ବହୁ ଦୁର୍ଘଟଣା ଘଟୁଛି। ଡ୍ରେନ୍ ପୁନରୁଦ୍ଧାର ହୋଇପାରୁନଥିବାରୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ଏହି ସମୟରେ ପୂର୍ତ୍ତ ବିଭାଗର କିଛି ଅଧିକାରୀ କିଛି ଖାସ୍ ଲୋକଙ୍କୁ ଖୁସି କରିବାକୁ ଯାଇ ଖାରବେଳ ଭବନରେ ଅତିରିକ୍ତ ଖର୍ଚ୍ଚ ବଢ଼ାଇବାରେ ଲାଗିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ଜଣେ ଆଇଏଏସ୍‌ ଅଫିସରଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦେବା ପରେ ପୂର୍ତ୍ତ ବିଭାଗର ବହୁ ଅଯଥା ଖର୍ଚ୍ଚ ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଥିଲେ ହେଁ ଏବେ ଏହି ଖର୍ଚ୍ଚ ବଢ଼ିବାରେ ଲାଗିଛି। ସାଧାରଣ ପ୍ରଶାସନ ବିଭାଗ ବିଳମ୍ବରେ ହେଉ ପଛେ ଅତିରିକ୍ତ ଖର୍ଚ୍ଚର ହିସାବ ମାଗିଥିବାରୁ ଆଗାମୀ ଦିନରେ ପୂର୍ତ୍ତ ବିଭାଗର ବହୁ ଅତିରିକ୍ତ ଖର୍ଚ୍ଚ ଉପରେ ରୋକ୍‌ ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି।