ଖାରବେଳ ଭବନ: ଦିନ ଗଡ଼ୁଛି, ଖର୍ଚ୍ଚ ବଢ଼ୁଛି, ଉଦ୍‌ଘାଟନ ବେଳେ ୧୨୮କୋଟି, ମାସକ ପରେ ୧୫୯ କୋଟି

ସନ୍ଦେହରେ ପୂର୍ତ୍ତ ବିଭାଗ, ୫ମାସ ତଳେ କହୁଥିଲେ ଅଧିକ ୩୭କୋଟି, ଏବେ କହିଲେଣି ୪୦କୋଟି

ଭୁବନେଶ୍ବର: ୨୦୧୯ ମସିହା ଅଗଷ୍ଟ ୧୫ରେ ଉଦ୍‌ଘାଟନ ହୋଇଥିବା ଖାରବେଳ ଭବନକୁ ନେଇ ଦିନକୁ ଦିନ ନୂଆ ବିବାଦ ସୃଷ୍ଟି ହେଉଛି। ପୂର୍ତ୍ତ ବିଭାଗର କିଛି ଲାଭଖୋର ଅଧିକାରୀଙ୍କ ଯୋଗୁଁ ଖାରବେଳ ଭବନ ଯେତିକି ପୁରୁଣା ହେଉଛି ଏହାର ନିର୍ମାଣ ଓ ସାଜସଜ୍ଜା ସମ୍ପର୍କିତ ଖର୍ଚ୍ଚ ସେତେ ବଢ଼ି ବଢ଼ି ଯାଉଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ଏଠାରେ ବହୁ ସାଜସଜ୍ଜା କରି ସରକାରଙ୍କ ଉପରେ ବୋଝ ଲଦିବାରେ ଲାଗିଛନ୍ତି।

ଉଦ୍‌ଘାଟନ ବେଳେ ଏହି କୋଠା ପାଇଁ ୧୨୮କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ପୂର୍ତ୍ତ ବିଭାଗ କହିଥିଲା। କିନ୍ତୁ ଏହାର ମାସକ ପରେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲା ଯେ, ଏହି କୋଠାର ନିର୍ମାଣ ପାଇଁ ୧୫୯ କୋଟି ୩୧ଲକ୍ଷ ୩୮ହଜାର ୬୩ଟଙ୍କା ଖର୍ଚ୍ଚ ହେଲା। ପ୍ରାୟ ଦୁଇ ବର୍ଷରେ ନିର୍ମାଣ ହୋଇଥିବା ଏହି କୋଠା ପାଇଁ ୩୧କୋଟି ଅଧିକ ଖର୍ଚ୍ଚ ହେବାର ବାହାନା ବି ଜବରଦସ୍ତ ଥିଲା। ୩୧କୋଟି ଅଧିକ ଖର୍ଚ୍ଚ ହେବାର କାରଣ କୁହାଗଲା ଏହି କୋଠା ନିର୍ମାଣ ପାଇଁ ୧୨୮କୋଟି ୪୨ଲକ୍ଷର ପ୍ରଶାସନିକ ଅନୁମତି ମିଳିଥିଲା। ହେଲେ ଏହି କୋଠା ନିର୍ମାଣ ସରିବା ବେଳକୁ ବଜାର ଦର ବଢ଼ିଯିବାରୁ ଏହାର ନିର୍ମାଣ ଖର୍ଚ୍ଚ ବଢ଼ିଗଲା। ତେଣୁ ଅଧିକ ୩୧କୋଟି ଖର୍ଚ୍ଚ ହେଲା। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସଂସ୍ଥା ନିର୍ମାଣ କାର୍ଯ୍ୟ ପାଇବାବେଳେ ଜାଣିଥିଲା ଯେ, ଯେତିକି ଟଙ୍କାରେ କାମ ନେଉଛି ତାହାକୁ ଦୁଇ ବର୍ଷରେ ସାରିବାକୁ ହେବ। ସେହି ସଂସ୍ଥା କିପରି କାମ ସରିବା ପରେ ଅଧିକ ୩୧କୋଟିର ହିସାବ ଦେଲା। ଦୁଇ ବର୍ଷରେ କ’ଣ ବଜାର ଦର ଏତେ ବଢ଼ିଗଲା? କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଏହି ‌୯ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ବର୍ଗଫୁଟ ପିଛା ପ୍ରାୟ ୨୫୦୦ ଟଙ୍କା ହିସାବରେ କାମ ଦେଇଥିଲେ। ଯେତେବେଳେ କି ରାଜ୍ୟର ଅନ୍ୟ ଠିକା ସଂସ୍ଥାଗୁଡ଼ିକୁ ବର୍ଗଫୁଟ ପିଛା ୧୭୦୦ରୁ ୧୮୦୦ଟଙ୍କା ଦିଆଯାଉଥିଲା। ୨୫୦୦ଟଙ୍କା ହିସାବରେ କାମ ଦେବା ବେଳେ କହିଲେ ଠିକା ସଂସ୍ଥା ଟର୍ଣ୍ଣକି ପ୍ରକଳ୍ପ ଭାବେ ଏହାକୁ ନିର୍ମାଣ କରିବ। ଏଠାରେ ସମସ୍ତ ଆନୁଷଙ୍ଗିକ ଆସବାବପତ୍ର, ଏସି, ଚେୟାର ଟେବୁଲ୍‌ ଆଦି ଯୋଗାଇବ। ତେଣୁ ୨୫୦୦ ଟଙ୍କା ହିସାବରେ ଦିଆଯାଇଛି। ହେଲେ କାମ ସରିବା ବେଳକୁ କେବଳ କୋଠା ନିର୍ମାଣ ବାବଦକୁ ୩‌୧କୋଟିର ଅଧିକ ହିସାବ ଦେଖାଇଲେ। ପୂର୍ତ୍ତ ବିଭାଗର ଅଧିକାରୀମାନେ ପ୍ରଥମତଃ ଅଧିକ ଟଙ୍କାରେ ନିର୍ମାଣ କରିବାକୁ ଦେଲେ ପୁଣି ନିର୍ମାଣ ସରିବା ପରେ କହୁଛନ୍ତି ୩୧କୋଟି ଅଧିକ ଖର୍ଚ୍ଚ ହେଲା। ଏହା କେଉଁଠିକାର ହିସାବ। କେବଳ ଏତିକି ନୁହେଁ ୧୫୯କୋଟିର କାମ ସରିବା ପରେ ପୂର୍ତ୍ତ ବିଭାଗର ବାବୁମାନେ ହିସାବ ଦେଉଛନ୍ତି ଅତିରିକ୍ତ କାମ ପାଇଁ ୨.୧୪କୋଟି ଖର୍ଚ୍ଚ ହୋଇଛି। ଅତିରିକ୍ତ ଆସବାବପତ୍ର ଓ ଅପ୍ଟିମର୍‌ କାମ ପାଇଁ ୩.୮୪କୋଟି ଖର୍ଚ୍ଚ ହୋଇଛି, ଅତିରିକ୍ତ ଚାମ୍ବର, ଅତିରିକ୍ତ ଏସି ଲଗାଇବା, ଅତିରିକ୍ତ ସିସିଟିଭି ଲଗାଇବା ବାବଦକୁ ୨.୭୮କୋଟି ଖର୍ଚ୍ଚ ହୋଇଛି। ଏହିପରି ମୋଟ୍ ୮.୭୬କୋଟି ଖର୍ଚ୍ଚ ହୋଇଛି।

ଯଦି ଖାରବେଳ ଭବନକୁ ନିର୍ମାଣ କରିବାକୁ ଏଲ୍‌ଆଣ୍ଡ୍‌ଟି ଅତିରିକ୍ତ ୩୧କୋଟିକୁ ମିଶାଇ ୧୫୯କୋଟି ନେଲା। ତେବେ ଏ ୮.୭୬କୋଟି କାହିଁକି ଖର୍ଚ୍ଚ ହେଲା। ଯେଉଁ ସଂସ୍ଥା ସବୁ ସୁବିଧା ସୁଯୋଗ ଦେବାକୁ ଟେଣ୍ଡର ପାଇଥିଲା ସେ ସଂସ୍ଥା ଦ୍ବାରା ଆବଶ୍ୟକ ପଡ଼ୁଥିବା ଅତିରିକ୍ତ କାମ ନକରାଇ କାହିଁକି ଅନ୍ୟ ଠିକା ସଂସ୍ଥା ତଥା ଠିକାଦାରଙ୍କୁ କାମ ଦିଆଗଲା। ପ୍ରକୃତରେ ଏତେ କାମ ଆବଶ୍ୟକ ଥିଲା ନା କିଛି ଠିକାଦାରଙ୍କ ପୋଷିବା ପାଇଁ ପୂର୍ତ୍ତ ବିଭାଗର ବାବୁମାନେ ଏପରି ଚାଲ୍ ଖେଳିଛନ୍ତି। ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କିଛି ଖାସ୍ ଲୋକ ଏଠାରେ କାମ କରିଛନ୍ତି। ଆବଶ୍ୟକ ଠାରୁ ଅଧିକ କାମ ହୋଇଛି। ଏପଟେ ସାଧାରଣ ପ୍ରଶାସନ ବିଭାଗ ଏତେ ଟଙ୍କା ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇବା ପରେ ବିଭାଗୀୟ ଅଧିକାରୀମାନେ କିଛି ମାସ ପାଇଁ ନିରବ ବସିପଡ଼ିଥିଲେ। ହେଲେ ଏବେ ପୁଣି ତତ୍ପର ହୋଇ ଉଠିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ପୂର୍ତ୍ତ ସଚିବ ଏ ଘଟଣାର ଖୋଳତାଡ଼ କରିବା ବଦଳରେ କିପରି ଠିକା ସଂସ୍ଥାଙ୍କୁ ଟଙ୍କା ମିଳିବ ସେନେଇ ଅଧିକ ତତ୍ପରତା ଦେଖାଉଛନ୍ତି। ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ତୁରନ୍ତ ଅର୍ଥ ଦେବାକୁ କହୁଛନ୍ତି। କାହିଁକି ପୂର୍ତ୍ତ ସଚିବ ଏପରି ଅନୁକମ୍ପା ଦେଖାଉଛନ୍ତି ସେନେଇ ବିଭାଗର ଅଧିକାରୀମାନେ ବି ଜାଣିପାରୁନାହାନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗ ପ୍ରଥମେ ଯେଉଁ ଅଧିକ ୩୧କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସାଧାରଣ ପ୍ରଶାସନ ବିଭାଗକୁ ହିସାବ ଦେଇଥିଲା ସେଥିରେ ସ୍ଥାନାନ୍ତର ହେବାକୁ ଥିବା ବିଭିନ୍ନ ବିଭାଗର ଫର୍ଣ୍ଣିଚର, ବିଲଡିଂର ଆନୁଷଙ୍ଗିକ ଖର୍ଚ୍ଚ, ଅଫିସ୍‌ ଭିତରର ଇଣ୍ଟେରିୟର ଡିଜାଇନିଂ ଖର୍ଚ୍ଚ ବୋଲି କହିଥିଲା। ଟର୍ଣ୍ଣକି ପ୍ରକଳ୍ପରେ କାମ କରୁଥିବା ସଂସ୍ଥାକୁ ଟଙ୍କାଟିଏ ଅଧିକ ଦେବା ବେଆଇନ୍ ଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ ପୂର୍ତ୍ତ ସଚିବଙ୍କ ଅନୁରୋଧକୁ ରକ୍ଷା କରି ଏହାକୁ ପ୍ରଶାସନିକ ଅନୁମତି ଦେଇଥିଲା। ହେଲେ ଏହାପରେ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୫ ନିର୍ବାହୀ ଯନ୍ତ୍ରୀ ପୁଣି ଅତିରିକ୍ତ ଖର୍ଚ୍ଚ ବାବଦକୁ ୨କୋଟି ୧୪ଲକ୍ଷ ୯ହଜାର ୬୪୪ଟଙ୍କା ମାଗିଥିଲେ। ଯାହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ ଉଠାଇଥିଲା। ଯଦି ଅତିରିକ୍ତ ଖର୍ଚ୍ଚ ବାବଦକୁ ୩୧କୋଟି ଖର୍ଚ୍ଚ ହେଲା ତେବେ ପୁଣି ଏ ୨କୋଟି ୧୪ଲକ୍ଷ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ ହେଲା ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ କରିଥିଲା। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କୁ ଏନେଇ ସ୍ପଷ୍ଟୀକରଣ ମଗା ଯାଇଥିଲା। ଯେଉଁ ୨କୋଟି ୧୪ଲକ୍ଷ ଖର୍ଚ୍ଚ ହେଲା ତାହା ଅତିରିକ୍ତ ଖର୍ଚ୍ଚ ହୋଇଥିବା ୩୧କୋଟିରେ ଅଛି ନା ନାହିଁ। ଯଦି ନାହିଁ ତେବେ ୩୧କୋଟି କେଉଁଥିପାଇଁ ଖର୍ଚ୍ଚ ହେଲା, ଏହି ୨କୋଟି ୧୪ଲକ୍ଷ କେଉଁଥିପାଇଁ ଖର୍ଚ୍ଚ ହୋଇଛି ତା’ର ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ମୁଖ୍ୟଯନ୍ତ୍ରୀ କହିଲେ ଅତିରିକ୍ତ କାମ ବାବଦକୁ ଖର୍ଚ୍ଚ ହେଲା। ଏଥିରେ ଡିସ୍କସନ୍ ରୁମ୍, ପିଏ/ପିଏସ୍‌ ଏବଂ ପ୍ରତୀକ୍ଷା ଗୃହ, ପ୍ରଥମ ମହଲା ଲାଉଞ୍ଜ୍ ନିର୍ମାଣ ହେଲା। ଏହାପରେ ପୁଣି ଫର୍ଣ୍ଣିଚର୍ ଏବଂ ଅପ୍ଟିମାଇଜର୍ (ଷ୍ଟୋରେଜ୍) ପାଇଁ ୩କୋଟି ୮୪ଲକ୍ଷ ଟଙ୍କାର ତାଲିକା ଦେଲେ। ଏହିପରି ଅତିରିକ୍ତ ଖର୍ଚ୍ଚ ବାବଦକୁ ମୋଟ୍‌ ୩୬କୋଟି ୯୯ଲକ୍ଷ ଟଙ୍କା ଖର୍ଚ୍ଚ ଦେଇଥିଲେ। ହେଲେ ଏବେ ଏହା ୩୯କୋଟି ୭୬ଲକ୍ଷରେ ପହଞ୍ଚି ଯାଇଛି।

ସବୁଠୁ ଅଧିକ ହେରାଫେରି ଏବଂ ମିଥ୍ୟା ବିଲ୍‌ ଦେଇ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ପୂର୍ତ୍ତ ବିଭାଗ ନାମରେ ଆସୁଥିବାବେଳେ ରାଜଧାନୀରେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ୮.୭୬କୋଟି ନେବାକୁ ଯୋଜନା ଚାଲିଛି। ସାଧାରଣ ପ୍ରଶାସନ ବିଭାଗ ଏହି ଘଟଣାର ପ୍ରକୃତ ତଦନ୍ତ ନକଲେ ଆଗକୁ ଏମିତି ଆବଶ୍ୟକ ନଥିବା କାମ କରି ଏବଂ ଗୋଟିଏ କାମ ପାଇଁ ଏକାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଦିଆ ଚାଲିଥିବ।

ସମ୍ବନ୍ଧିତ ଖବର