ଖାରବେଳ ଭବନ ଲିଫ୍ଟକୁ ନ’ତାଲା ଦଶା: ଅଟକି ରହିଲେ ତିନି ବରିଷ୍ଠ ଅଧିକାରୀ, ଅଳ୍ପକେ ବର୍ତ୍ତିଲେ

ଭୁବନେଶ୍ୱର : ଖାରବେଳ ଭବନ ଉଦ୍‌ଘାଟନକୁ ଦୁଇ ମାସ ପୂରିନି। ଏଥିରେ ଲାଗିଥିବା ଲିଫ୍ଟ ଖରାପ ହୋଇଗଲାଣି। ନ’ତାଲା ଲିଫ୍ଟ ବାରମ୍ବାର ଖରାପ ହେବା, ଲିଫ୍ଟରେ ଅଧିକାରୀ, କର୍ମଚାରୀ ଓ ଲୋକ ବାରମ୍ବାର ଅଧା‌ ବାଟରେ ଅଟକିଯିବା ଏକପ୍ରକାର ସାଧାରଣ ଘଟଣାରେ ପରିଣତ ହୋଇ ସାରିଛି। ଏବେ ସମାନ ଅବସ୍ଥ‌ା ନବନିର୍ମିତ ଖାରବେଳ ଭବନ ଲିଫ୍ଟର ହେଲାଣି। ଲିଫ୍ଟ ଅବସ୍ଥା ଦେଖି ଏଠାରେ କାମ କରୁଥିବା ଅଧିକାରୀମାନେ କହିଲେଣି ଯେ, ଖାରବେଳ ଭବନ ଲିଫ୍ଟକୁ ନ’ତାଲା ରୋଗ ଧରିଲାଣି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଲିଫ୍ଟ ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଏକସଙ୍ଗେ ୧୫ମିନିଟ ଅଧା ବାଟରେ ଅଟକି ରହିଥିଲେ। ସୌଭାଗ୍ୟ କ୍ରମେ ତଳେ କାମ କରୁଥିବା କିଛି ଶ୍ରମିକଙ୍କ ପାଇଁ ବହୁ ସମୟ ପରେ ସେମାନେ ଉଦ୍ଧାର ପାଇଥିଲେ।

ଘଟଣାଟି ଏହିପରି। ଅକ୍ଟୋବର ୧ତାରିଖ, ରାତି ୮ଟା ସମୟରେ ଖାରବେଳ ଭବନର ୫ମ ମହଲାରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗ କାର୍ଯ୍ୟାଳୟରୁ ଯୁଗ୍ମ ସଚିବ, ଉପ ସଚିବ ଏବଂ ଅନୁ ସଚିବ ଲିଫ୍‌ଟ-୧ରେ ତଳକୁ ଆସୁଥିଲେ। ଲିଫ୍‌ଟ ତଳକୁ ଖସିବା ସମୟରେ ହଠାତ୍‌ ଅଟକି ଯାଇଥିଲା। ଏହାପରେ ତିନି ବାବୁ ଲିଫ୍‌ଟ ଭିତରେ ଯେତେ ସୁଇଚ୍ ଚିପିଲେ ବି କିଛି କାମ କରି ନ ଥିଲା। ଏପରିକି ଏଥିରେ ଥିବା ତିନିଟା ଯାକ ହେଲ୍‌ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିଥିଲେ ହେଁ କେହି ଫୋନ୍ ଉଠାଇ ନ ଥିଲେ। ଅନ୍ୟ ଉପାୟ ନ ପାଇ ତିନି ବରିଷ୍ଠ ଅଧିକାରୀ ଜୋର୍‌ରେ ଚିଲାଇ ଥିଲେ। ତଥାପି ତାହା କାହାରି କାନରେ ବାଜି ନ ଥିଲା। ଏପରିକି ଲିଫ୍‌ଟକୁ ନିଜେ ଖୋଲିବାକୁ ଚେଷ୍ଟା କରିଥିଲେ ବି ଖୋଲି ନଥିଲା। ସମୟ ‌ଯେତେ ଗଡ଼ୁଥିଲା ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ବଢ଼ୁଥିଲା। ଶ୍ବାସରୁଦ୍ଧ ହେଲା ଭଳି ସ୍ଥିତି ଉପୁଜିଥିଲା। ଭଗବାନଙ୍କ କୃପାରୁ ଲିଫ୍ଟ କିଛି ତଳକୁ ଖସିଥିଲା। ଆଉ ତଳ ମହଲାରେ କାମ କରୁଥିବା କିଛି ଶ୍ରମିକ ଏହି ତିନି ବାବୁଙ୍କ ଚିତ୍କାର ଶୁଣି ପାରିଥିଲେ ଏବଂ ସେଠାକୁ ଆସି କଷ୍ଟମଷ୍ଟେ ଲିଫ୍ଟ ଖୋଲି ସେମାନଙ୍କୁ ବାହାର କରିଥିଲେ। ସୌଭାଗ୍ୟକୁ ସେଦିନ କିଛି ଶ୍ରମିକ ରାତି ୮ଟାରେ ବି କାମ କରୁଥିଲେ। ଯେଉଁଥିପାଇଁ ଏହି ତିନି ବାବୁଙ୍କ ଜୀବନ ବଞ୍ଚିଗଲା।

ଏହି ଘଟଣାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଲିଫ୍ଟରେ ଥିବା ତିନିଟି ଯାକ ହେଲ୍ପଲାଇନ୍ ନମ୍ବର ଦୀର୍ଘ ସମୟ ପର୍ଯ୍ୟନ୍ତ ରିଙ୍ଗ ‌ହୋଇଥିଲେ ବି କେହି ଫୋନ୍ ଉଠାଇ ନ ଥିଲେ। ଯଦି ଜରୁରୀକାଳୀନ ନମ୍ବର ଉଠାଇବାକୁ କେହି ନାହାନ୍ତି ତେବେ ଏହାକୁ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ ଉଠିଛି।

ସେହିପରି ଏହି ନୂଆ କୋଠାର ଦ୍ବିତୀୟ ମହଲାର ସିଡି ନିକଟରେ ଏବେ ପାଣି ବୋହୁଥିବା ଅଭିଯୋଗ ହେଲାଣି। ଅସରାଏ ବର୍ଷା ହେଲେ କାନ୍ଥ ଭିଜିକି ପାଣି ସିଡ଼ିରେ ଭାସୁଛି।

ସମ୍ବନ୍ଧିତ ଖବର