ଉଦ୍‌ଘାଟନ ହେବ ଖାରବେଳ ଭବନ, ଉନ୍ନତି ଭବନକୁ ଭୁଲିଗଲେ

ସ୍ବାଧୀନତା ଦିବସରେ ବଦଳିବ ସଚିବାଳୟ ଫଳକ, କନ୍‌ଭେନସନ୍ ସେଣ୍ଟର କେବେ ଉଦ୍‌ଘାଟନ ହେବ

ଭୁବନେଶ୍ବର : ପାୱାର ହାଉସ୍ ଛକ ନିକଟରେ ନିର୍ମାଣ ହୋଇଥିବା ନୂଆ ନ’ତାଲା ତଥା ‘ଖାରବେଳ ଭବନ’କୁ ସ୍ବାଧୀନତା ଦିବସ‌ରେ ଉଦ୍‌ଘାଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି କୋଠାକୁ ଉଦ୍‌ଘାଟନ କରିବାକୁ ଥିବାରୁ ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ତ୍ତ ସଚିବ ଆଜି ସଂଧ୍ୟାରେ ଖାରବେଳ ଭବନ ପରିଦର୍ଶନ କରିବା ସହ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅଗଷ୍ଟ ୧୫, ପୂର୍ବାହ୍ନରେ ଏହି କୋଠାର ଉଦ୍‌ଘାଟନ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୟ ଦିଆଯାଇନଥିବାରୁ ନିର୍ଦ୍ଦିଷ୍ଟ କେଉଁ ସମୟରେ ଉଦ୍‌ଘାଟନୀ ପର୍ବ ହେବ ତାହା କୁହାଯାଇନି।

ଅପରପକ୍ଷେ ସତ୍ୟନଗରରେ ନିର୍ମାଣ ହୋଇଥିବା ‘ଉନ୍ନତି ଭବନ’ ଉଦ୍‌ଘାଟନ କଥା ରାଜ୍ୟ ସରକାର ଯେମିତି ଭୁଲି ଯାଇଛନ୍ତି। ଏହି କୋଠାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ହୋଇଥିଲେ ହେଁ ଏହା କେବେ ଉଦ୍‌ଘାଟନ ହେବ, ତାହା ନିଷ୍ପତ୍ତି ହୋଇପାରିନି। ଅପରପକ୍ଷେ ଏହି କୋଠା ଉଦ୍‌ଘାଟନ ନହୋଇ ଦୀର୍ଘ ମାସ ପଡ଼ି ରହିବାରୁ ଏଠାରେ ନଗର ଉନ୍ନୟନ ବିଭାଗ ଅଧୀନ ବିଭିନ୍ନ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇ ସାରିଲାଣି। ଅଫିସ ବି ଯଥାରୀତି ଚାଲିଲାଣି। ସରକାର ଉଦ୍‌ଘାଟନ କରିବେ ବୋଲି ଆଉ ଅଧିକାରୀମାନେ ଅପେକ୍ଷା ନକରି ଏଠାରେ କାମ ଆରମ୍ଭ କଲେଣି।

ତେଣୁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠା ଆଉ ଉଦ୍‌ଘାଟନ ହେବ ନା ବିନା ଉଦ୍‌ଘାଟନରେ ଏଠାରେ ସବୁ ଅଫିସ୍‌ ଖୋଲିବ, ସେନେଇ ଏବେ ପ୍ରଶ୍ନ ଉଠିଲାଣି। ରାଜ୍ୟ ସରକାର ଖାରବେଳ ଭବନ ଚକ୍କରରେ ଉନ୍ନତି ଭବନକୁ ଭୁଲି‌ଗଲେ ବୋଲି କୁହାଯାଉଛି।

ଖାରବେଳ ଭବନ

ପ୍ରାୟ ୧୨୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଖାରବେଳ ଭବନର ସମସ୍ତ କାର୍ଯ୍ୟ ଗତ ଜୁଲାଇ, ୨୦୧୮ରୁ ‌ସରିଥିଲା। କିନ୍ତୁ ବିଭିନ୍ନ ବିଭାଗ ଏଠାକୁ ଆସିବାକୁ ରାଜି ନହେବାରୁ ଏହାର ଉଦ୍‌ଘାଟନ ଘୁଞ୍ଚିଘୁଞ୍ଚି ଚାଲିଥିଲା। ସାଧାରଣ ପ୍ରଶାସନ ବିଭାଗ ଏଠାକୁ ବିଭିନ୍ନ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ବିଭାଗୀୟ ମୁଖ୍ୟମାନେ କେଁ ପୂରାଇବାରୁ ବିଭାଗଗୁଡ଼ିକ ସ୍ଥାନାନ୍ତର ହୋଇପାରିନଥିଲା। ଏହାପରେ ସାଧାରଣ ନିର୍ବାଚନ ଆସିଯିବାରୁ ଏହାର ଉଦ୍‌ଘାଟନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ଖାରବେଳ ଭବନକୁ ସଂପୂର୍ଣ୍ଣ ୱାଇଫାଇ କରିବା ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏବେ କାମ ସରିବା ପରେ ଏହାକୁ ସ୍ବାଧୀନତା ଦିବସରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଏବେ କେଉଁ ଅଫିସରେ କେମିତି ଚେୟାର, କେମିତି ଟେବୁଲ୍‌, ସୋଫା ପଡ଼ିବ ସେହି କାମ ଚାଲିଛି। ପୂରା ଖାରବେଳ ଭବନକୁ ରଙ୍ଗିନ ଆଲୋକରେ ସଜାଇବା ପାଇଁ ବି କାମ ଚାଲିଛି।

ଏଠାକୁ ରାଜ୍ୟ ସରକାରଙ୍କ ପ୍ରାୟ ୧୧ଟି ବିଭାଗ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ହୋଇଛି। ହେଲେ ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନି। ସୂଚନା ଅନୁଯାୟୀ, ବାଣିଜ୍ୟ ଓ ପରିବହନ ବିଭାଗ, ଅବକାରୀ, ସ˚ସ୍କୃତି, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ, ଦକ୍ଷତା ବିକାଶ ଏବ˚ ବୈଷୟିକ ଶିକ୍ଷା, ବିଜ୍ଞାନ ଏବ˚ ବୈଷୟିକ ଜ୍ଞାନ, ଇଲେକ୍ଟ୍ରୋନିକ୍ସ ଏବ˚ ଆଇଟି, ସମବାୟ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ପ୍ରମୁଖ ଏଠାକୁ ସ୍ଥାନାନ୍ତର ହୋଇପାରେ। ଏଥିରୁ କେତୋଟି ବିଭାଗ ସଚିବାଳୟ ତଥା ଲୋକସେବା ଭବନ ଛାଡ଼ିବାକୁ ରାଜି ନଥିବାରୁ ଏଥିରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ବି ଅଛି। ଲୋକସେବା ଭବନରେ କିନ୍ତୁ ବର୍ତ୍ତମାନ ଭଳି ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଆଇନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରହିବ। ସଚିବାଳୟରୁ ବିଭିନ୍ନ ବିଭାଗ ସ୍ଥାନାନ୍ତର ହେବା ପରେ ଯେତେ ରୁମ୍‌ ଖାଲି ପଡ଼ିବ, ସେଥିରୁ ୭ରୁ ୮ଟି ରୁମ୍‌ ବିଭିନ୍ନ ବୋର୍ଡର ଅଧୢକ୍ଷ ଏବ˚ ନିଗମର କାର୍ଯ୍ୟାଳୟ ପାଇଁ ରହିବ, ଯାହାକୁ ଜରୁରୀକାଳୀନ ସ୍ଥିତି‌‌ରେ ଆବଣ୍ଟନ କରାଯିବ।

ଉନ୍ନତି ଭବନ

ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଓଡ଼ିଶା ଜଳଯୋଗାଣ ଓ ସ୍ବେରେଜ୍ ‌ବୋର୍ଡ ପକ୍ଷରୁ ସତ୍ୟନଗରରେ ନିର୍ମାଣ ହୋଇଛି ୫ ମହଲା ବିଶିଷ୍ଟ ‘ଉନ୍ନତି ଭବନ’। ପ୍ରାୟ ୨୫କୋଟି ଟଙ୍କା ବ୍ୟୟ‌‌‌ରେ ନିର୍ମିତ ଏହି କୋଠାର କାରୁକାର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ। ୨୦୧୪ ମସିହାରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି କୋଠାଟି ୨୦୧୮ ଡିସେମ୍ବରରେ ଶେଷ ହୋଇଥିଲା। ହେଲେ ଏହାକୁ ଉଦ୍‌ଘାଟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୟ ଗଡ଼ାଇବାରୁ ଏହାକୁ ଉଦ୍‌ଘାଟନ କରିବା ପୂର୍ବରୁ ଏଠାରେ ବିଭିନ୍ନ କାର୍ଯ୍ୟାଳୟ ଖୋଲାଯାଇଛି।

ଏହି କୋଠାଟି ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ହେବ। ନ’ତାଲାରେ ଥିବା ଏହି କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହେବ। ଏବେ ସୁଦ୍ଧା‌ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇନଥିବାରୁ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି। ଏବେ ସ୍ବେରେଜ୍‌ ବୋର୍ଡ, ଜାଗା ମିସନ୍ ଏବଂ ଅନ୍ୟାନ୍ୟ କିଛି କାର୍ଯ୍ୟାଳୟ ଖୋଲି ସାରିଲାଣି। ଏହାସହ ଏଠାରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି। ଏଠାରେ ସମ୍ମିଳନୀ କକ୍ଷ, କ୍ୟାଣ୍ଟିନ୍ ଏବଂ ପାଠାଗାର ବି ରହିଛି। ସ୍ବେରେଜ୍ ବୋର୍ଡ ପୁରୁଣା କାର୍ଯ୍ୟାଳୟ ଭଙ୍ଗାଯିବା ପରେ ଅଧିକାରୀମାନଙ୍କ ବସିବା ପାଇଁ ଅଫିସ୍ ନଥିଲା, ଜାଗା ମିସନ ପାଇଁ ‌ଯେଉଁ ଅଫିସ୍‌ ଥିଲା, ତାହା ବହୁତ ଛୋଟ ଥିଲା। ତେଣୁ ଏହି ଦୁଇଟି କାର୍ଯ୍ୟାଳୟ ତୁରନ୍ତ ସ୍ଥାନାନ୍ତର କରିବା ଆବଶ୍ୟକ ଥିବାରୁ ଆମେ ସ୍ଥାନାନ୍ତର କରିଦେଇଛୁ।

ସ୍ବେରେଜ୍‌ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କୋଠା ସଂପୂର୍ଣ୍ଣ ସୌରଶକ୍ତି ଚାଳିତ ହୋଇଛି। ଏଠାରେ ୧୧୦ କିଲୋୱାଟ୍‌ ସୌରଶକ୍ତି ଉତ୍ପାଦନ କରିବାର ବ୍ୟବସ୍ଥା ଅଛି। ଏଠାରୁ ଯାହା ବିଦ୍ୟୁତ୍‌ ଉତ୍ପାଦନ ହେବ, ତାହାକୁ ସେସୁକୁ ବିକ୍ରି କରାଯିବ। ‌ଉନ୍ନତି ଭବନରେ ଯେତିକି ବିଦ୍ୟୁତ୍‌ ଖର୍ଚ୍ଚ ହେବ, ତାହାକୁ କାଟି ସେସୁ ବିଦ୍ୟୁତ୍ ବିଲ୍‌ ଆଦାୟ କରିବ। ଏହାବ୍ୟତୀତ ଏଠାରେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ଏବଂ ସ୍ବେରେଜ୍‌ ବୋର୍ଡର ବିଭିନ୍ନ ପ୍ରକଳ୍ପ ପାଇଁ ବି ସ୍ଥାନ ରହିବ। ଏଠାରେ ସ୍ବେରେଜ୍‌ ବୋର୍ଡର ପ୍ରସ୍ତାବିତ ସ୍ବେରେଜ୍‌ ମ୍ୟୁଜିୟମ୍‌ ବି ପ୍ରତିଷ୍ଠା କରିବାର ଯୋଜନା ଅଛି।

ସ୍ବାଧୀନତା ଦିବସରେ ବଦଳିବ ସଚିବାଳୟ ଫଳକ

ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ସଚିବାଳୟ ଏଣିକି ଲୋକସେବା ଭବନ ନାମରେ ପରିଚିତ ହେବ। ହେଲେ ‌େଘାଷଣାର ୧୨ଦିନ ପରେ ବି ସଚିବାଳୟ ଫଳକ ବଦଳିନି। ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଚିଠିପତ୍ରରେ ସଚିବାଳୟ ବଦଳରେ ଲୋକସେବା ଭବନ ଲେଖା ହେଉଥି‌େଲ ହେଁ ମୁଖ୍ୟ ଫଳକ ବଦଳିନି। ତେଣୁ କେବେ ନାମ ଫଳକ ବଦଳିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଅଗଷ୍ଟ ୧୫ରୁ ସଚିବାଳୟ ନାମଫଳକ ବଦଳିଯିବ ବୋଲି ଜଣାପଡ଼ିଛି। ସଚିବାଳୟ ବଦଳରେ ଲୋକସେବା ଭବନ ଲେଖାଯିବ। ଏନେଇ ସଚିବାଳୟର ବିଦ୍ୟୁତ ବିଭାଗ କାମ ଆରମ୍ଭ କରିଥିବା ଜଣାପଡ଼ିଛି।

କନ୍‌ଭେନସନ୍ ସେଣ୍ଟର କେବେ ଉଦ୍‌ଘାଟନ ହେବ

ବିଭିନ୍ନ ସରକାରୀ ବୈଠକ, ସରକାରୀ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ଅଡିଟୋରିୟମର ଅଭାବ ଥିବାରୁ ଏହାକୁ ନଜରରେ ରଖି ଲୋକସେବା ଭବନ ପରିସରରେ ଏକ ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି। ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାର ସମସ୍ତ କାର୍ଯ୍ୟ ବହୁ ଦିନରୁ ସରିଥିଲେ ହେଁ ଏହା କେବଳ ଉଦ୍‌ଘାଟନ ଅପେକ୍ଷା‌ରେ ଅଛି ବୋଲି ପୂର୍ବରୁ କର୍ତ୍ତୃପକ୍ଷ କହୁଥିଲେ। ଏପରିକି ଖାରବେଳ ଭବନ ସହ ଏହା ଉଦ୍‌ଘାଟନ ହେବାର ଥିଲା। କିନ୍ତୁ ଏବେ କୁହାଯାଉଛି ଯେ ଏହାର ଲବି କାମ ଚାଲିଥିବାରୁ ଏବେ ଉଦ୍‌ଘାଟନ ହେବନି। ଏହି କନଭେନସନ୍ ସେଣ୍ଟରରେ ସମସ୍ତ ଅତ୍ୟାଧୁିନକ ସୁବିଧା ସୁଯୋଗ ଉପଲବ୍ଧ ହେବା ସହ ପୂରା କନଭେସନ୍‌ ସେଣ୍ଟରରେ ୱାଇଫାଇ ସୁବିଧା ଉପଲବ୍ଧ ହେବ। ଏହି ଦୁଇମହଲା ବିଶିଷ୍ଟ କନଭେନସନ୍ ସେଣ୍ଟରରେ ଭିଡିଓ କନଫରେନ୍ସିଂ ସୁବିଧା ସହ ଫୁଡ୍ ଫ୍ଲାଜା, ବଙ୍କେଟ୍ ହଲ୍, ଭିଆଇପି ରୁମ୍, ଗ୍ରିନ୍ ରୁମ୍, ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍, କାର୍ଯ୍ୟାଳୟର ସୁବିଧା ଉପଲବ୍ଧ ହେବ। ସବୁ କନଫରେନ୍ସ ହଲ୍‌ର ସିଟ୍ ନିକଟରେ ମାଇକ୍ରୋଫୋନ୍ ବ୍ୟବସ୍ଥା ଉପଲବ୍ଧ ହେବ। ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ ‌ଦେଖିବାକୁ ମିଳିବ। କନଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌରଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର