ଖାରବେଳନଗର ଥାନାରୁ ଏସି ଚୋରି ଘଟଣା : ତଦନ୍ତ ରିପୋର୍ଟ‌ରେ କନେଷ୍ଟବଳ ଦୋଷୀ

ଭୁବନେଶ୍ବର : ଗତବର୍ଷ ଫେବ୍ରୁଆରି ୨୪ ତାରିଖରେ ଖାରବେଳନଗର ଥାନାରୁ ୨ଟି ଏସି(ଶୀତତାପ ନିୟନ୍ତ୍ରଣ ଯନ୍ତ୍ର) ଚୋରି ଘଟଣାର ତଦନ୍ତ ରିପୋର୍ଟ ଗତ କିଛି ଦିନ ତଳେ ପଦାକୁ ଆସିଛି। ସେଥିରେ ଉକ୍ତ ଥାନାର ତତ୍କାଳୀନ କନେଷ୍ଟବଳ ପ୍ରବୋଧ କୁମାର ଦାଶ ଏସି ୨ଟି ଚୋରି କରିଥିବା ଦର୍ଶାଯାଇଛି। ଥାନାରୁ ବଦଳି ହୋଇ ଯିବା ବେଳେ ମହିଳା ଓ ଶିଶୁ ଡେସ୍କ ଓ ରିଡର୍‌ ଉପବିଭାଗରେ ଲାଗିଥିବା ଏସି ଦୁଇଟିକୁ ଖୋଲି ଏକ ଅଟୋରେ ଲଦି ସେ ନେଇ ଯାଇଥିଲେ ବୋଲି ଉଲ୍ଲେଖ ରହିଛି। ଏହି ଘଟଣା ପଦାକୁ ଆସିବା ପରେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶ୍ରୀ ଦାଶ ଏବେ ନୂଆପଲ୍ଲୀ ଥାନାରେ ଅବସ୍ଥାପିତ ଅଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏସି ଦୁଇଟି ସରକାରୀ ଅର୍ଥରେ ଲାଗିଥିଲା କି ନାହିଁ? ଯଦି ନୁହେଁ, ଥାନାରେ କିଏ ଏସି ଲଗାଇଥିଲା ଓ ଏ ବାବଦକୁ ପ୍ରତି ମାସରେ ଆସୁଥିବା ଇଲେକ୍ଟ୍ରି ବିଲ୍‌ କିଏ ଦେଉଥିଲା?; ତଦନ୍ତ ବେଳେ ସେ ସଂପର୍କରେ କିଛି ଜଣାପଡ଼ିନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଅପରପକ୍ଷେ ଯଦି ସରକାରୀ ଅର୍ଥରେ ଏସି ଲାଗିଥିଲା, ତେବେ ଅଟୋରେ ଲଦି ନେଇଯିବା ବେଳେ ଆଇଆଇସି ପ୍ରତିବାଦ କଲେ ନାହିଁ କାହିଁକି? ଯଦି ସମ୍ପୃକ୍ତ କନେଷ୍ଟବଳ ଲଗାଇଥିଲେ, ତେବେ ସରକାରୀ ଅଫିସ୍‌ରେ ଲଗାଇବାକୁ ଅନୁମତି ମିଳିଲା କେମିତି? ଜଣେ କନେଷ୍ଟବଳ ଥାନାରେ ହାତରୁ ଟଙ୍କା ଖର୍ଚ୍ଚ କରି ଦୁଇଟା ଏସି ଲଗାଇବେ କାହିଁକି? ଏ ସବୁ ପ୍ରଶ୍ନ ପଛରେ ଅନ୍ୟ ଅଧିକାରୀମାନଙ୍କର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଏ ସଂପର୍କରେ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦୋଷୀ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ଗତବର୍ଷ ଫେବ୍ରୁଆରି ୨୪ ତାରିଖରେ ଖାରବେଳନଗର ଥାନାରୁ ୨ଟି ଏସି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଡିସିପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର