ପାଣି ଉପରେ ଅଭିନେତା, ପଙ୍କ ଭିତରେ ନେତା

ଖରାବେଳେ ଭୋଜନ ପରେ କାହ୍ନାଙ୍କ ‘କଫି କମ୍‌ ବନାରସି ପାନ’ ଦୋକାନରେ ଯୁବ ବ୍ୟବସାୟୀ ବନ୍ଧୁମାନେ ଖିଲେ ଖିଲେ ପାନ ଜାକିବା ପରେ କଥା ଲମ୍ବିଥିଲା ଢିଙ୍କିଶାଳରୁ ଢେଙ୍କାନାଳ ଯାଏ। ବିଜେପୁର ଉପନିର୍ବାଚନ ପ୍ରଚାରରେ ଫିଲ୍ମଷ୍ଟାର୍‌ଙ୍କ ଯୋଗଦାନକୁ ନେଇ ଜମିଥିଲା ଖଟି। ଜୀବନ କହିଲେ,‘ଭାଇ ଖଣ୍ଡଗିରିରେ ସିନା ଯାତ୍ରା ସରିଗଲା, ଅସଲ ଯାତ୍ରା ଏବେ ବିଜେପୁରରେ। ମାଳମାଳ ସିନେତାରକା ଏବେ ଗାଁ ଗଣ୍ଡାରେ ଚାଲି ଚାଲି ବୁଲୁଛନ୍ତି। ଭାରି ଜମୁଛି ମ ଭାଇ। ଯା ହେଉ, ବିଜେପୁର ବାଲାଙ୍କ ଭାଗ୍ୟ!’ କଥା ଛଡ଼େଇ ଅରୁଣ କହିଲେ,‘ ସତ କଥା, ଏଥର ଭୋଟ ପ୍ରଚାର ପୂରା ଯାତ୍ରା ପାଲଟିଗଲା। ବିଜେଡି ଓ ବିଜେପିବାଲା ଯେମିତି ଗଣ୍ଡାଗଣ୍ଡା ଫିଲ୍ମବାଲାଙ୍କୁ ବୁଲାଉଛନ୍ତି, ଯାତ୍ରା ନୁହେଁ ତ ଆଉ କ’ଣ! ବିଚରା କଂଗ୍ରେସବାଲାଙ୍କ ପାଇଁ କେହି ନାହିଁ। ଅପରାଜିତା ଥିଲେ ଯେ କ’ଣ ହେବ ସେ ବି ଶେଷକୁ ପଦ୍ମଦଳକୁ ଡିଅାଁ ମାରିଲେ।’ ସେ ଆଉ କ’ଣ କହିବାକୁ ଯାଉଥିଲେ, ଏତିକିବେଳେ ମଝିରେ ଷଣ୍ଢ ପୂରାଇଲା ଭଳି କଥାଟିଏ କହିଲେ ପ୍ରତାପ। ‘ଭାଇ ଏ ସିନେମା ବାଲାଙ୍କ ଜ୍ଞାନକୁ ଦେଖିଲ ଟି! କିଏ ବିଜେପି ପାଇଁ ପ୍ରଚାର କରିବାକୁ ଯାଇ ବିଜେଡ଼ି ଜିତିବ ବୋଲି କହିଲାଣି ତ କିଏ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କହିଲାଣି, ’ ଲୋକନାଥ କହିଲେ, ‘ବିଜେଡିବାଲାଙ୍କୁ ତ ପୁଣି ବିଜେପି ଟକ୍କର ଦେବ ନା ନାହିଁ! ଅନୁଭବ, ଆକାଶ ଓ ସିଦ୍ଧାନ୍ତଙ୍କୁ ଟକ୍କର ଦେବାକୁ ବିଜେପିବାଲା ହିରୋଇନ୍‌ଙ୍କୁ ବାଛିଛନ୍ତି। ଠିକ୍‌ ହେଇଛି। ଦେଖିବା ହିରୋ ଜିତୁଛନ୍ତି କି ହିରୋଇନ୍‌ ଜିତୁଛନ୍ତି।’ ତାଙ୍କ କଥା ସରିଛି କି ନାହିଁ, ଟିକୁ କହିଲେ, ‘ ନୂଆ ନୂଆ ତ, ଅଭିଜ୍ଞତା କମ୍‌ ବୋଲି ଏମିତି ହେଲା, କିନ୍ତୁ ଦେଖିବ ଆଉ କିଛି ଦିନ ଗଲା ପରେ ଏମାନଙ୍କ ପାଟିରେ ବାଟୁଳି ବାଜିବ ନାହିଁ।’ ଜୀବନ କହିଲେ, ‘ ଏଇ ଦେଖୁନା, ମହାଶ୍ୱେତା କେମିତି ପୋଖତ ରାଜନୀତିଆଙ୍କ ଭଳି ଭାଷଣବାଜି କରୁଛନ୍ତି।’ କଥା ଛଡ଼େଇ ତାତ୍ସଲ୍ୟ କରି ପ୍ରତାପ କହିଲେ, ‘ ହଁ, ସେ ତ ବିଜେପିକୁ ଜିତାଇଦେବେ!’ ସେଇଠୁ ବିଶ୍ୱ କହିଲେ,‘ ଆଉ କ’ଣ ଅନୁଭବ, ସିଦ୍ଧାନ୍ତ, ଆକାଶ ବିଜେଡିକୁ ଜିତାଇଦେବେ?’ ଅରୁଣ କହିଲେ, ‘ ଆରେ ଭାଇ ଜିତିବା ହାରିବା କଥା କାହିଁକି ପଡ଼ିଛି, ସିନେମାବାଲାଙ୍କ ପାଇଁ ତ ପ୍ରଚାର ଜମୁଛି। ଦେଖୁନା, ଟିଭିରେ ଆଉ କାହା ମୁହଁ ଦେଖୁଛ କି? ଏ ହିରୋ ହିରୋଇନ୍‌ଙ୍କ ପାଇଁ ବିଚରା ପୋଖତ ରାଜନୀତିଆଙ୍କ ମୁହଁ ଛପି ଯାଉଛି।’ ବିଶ୍ୱ କହିଲେ, ‘ ହଁ, ବିଜେପୁର ପ୍ରଚାରରେ ନେତା କମ୍‌ ଅଭିନେତା ବେଶି!’ ମୁରୁକି ହସା ଦେଇ ପ୍ରତାପ କହିଲେ, ‘ଭାଇ ରାଜନୀତିଆଙ୍କୁ ଜାଣିନ, ପୋତା ମାଗୁର ମାଛ! ପଙ୍କରେ ପୋତି ହୋଇ ସେମାନଙ୍କ ଖେଳ ଚଲାଇଛନ୍ତି। ଏ ହିରୋ ହିରୋଇନ୍‌ ଦଳ ହେଉଛନ୍ତି କେରାଣ୍ଡି, ଉପରକୁ ଫଡ଼ଫଡ଼ ହେଉଛନ୍ତି!’ ଜୀବନ କହିଲେ, ‘ତା ସତ ଯେ, ତଥାପି ବିଜେପି କେନ୍ଦ୍ରମନ୍ତ୍ରୀମାନଙ୍କୁ ଧରି ପ୍ରଚାର ଜୋର୍‌ଦାର କରୁଛି। କଂଗ୍ରେସ ବି ଏ ସିନେମାବାଲାଙ୍କୁ ଟକ୍କର ଦେବାକୁ ବଡ଼ ବଡ଼ ନେତାଙ୍କୁ ମଇଦାନକୁ ଆଣିଲାଣି।’ ତାଙ୍କ କଥା ସରିଛି କି ନାଇଁ, ଅରୁଣ କହିଲେ, ‘ ଭାଇ ଅସଲ ଷ୍ଟାର୍‌ ପରା ଯାଇନାହାନ୍ତି। କଥାର ଠାର ବୁଝିପାରି ସମସ୍ତେ ହୋ ହୋ ହୋଇ ହସି ଉଠିଲେ।
ଜାଗମରା ବଜାର କାହ୍ନା କଫି ଷ୍ଟଲ୍‌ ଖଟିରୁ

ସମ୍ବନ୍ଧିତ ଖବର