ଭୁବନେଶ୍ବର: ଖୋଲାଖୋଲି ଜନଗହଳି ସ୍ଥାନରେ ଖଟି ଜମାଉଛନ୍ତି ଅସାମାଜିକ। ରାସ୍ତା ମଝିରେ ଗାଡ଼ି ରଖି ହୋହଲ୍ଲା କରି ଆତଙ୍କ ସୃଷ୍ଟି କରିବା ସହ ଗାଳିଗୁଲଜ କରୁଛନ୍ତି। ରାଜଧାନୀରେ ପୁଣି ଆରମ୍ଭ ହୋଇଯାଇଛି ଏଭଳି ଭାଇଗିରି। ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍ ନିକଟରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡା, ରଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିବା ଘଟଣା ଏହାର ସ୍ପଷ୍ଟ ବୟାନ କରୁଛି। ଘଟଣାରେ ସହିଦନଗର ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରସୁଲଗଡ଼ ରାଉତସାହିର ବିକାଶ ରାଉତ ଓରଫ ବୁବୁ(୩୮), ସୁଧୀର କୁମାର ରାଉତ ଓରଫ ପପୁ(୨୯), ବେହେରାସାହିର ପ୍ରକାଶ ଦାସ ଓରଫ ବାବୁ(୧୯), ବାରିକସାହିର ଦେବୀପ୍ରସାଦ ବାରିକ ଓରଫ ବିକି(୧୯), ପଳାଶୁଣୀ କେନାଲ୍‌ରୋଡ୍‌ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସିଆଳ ଓରଫ ଚିକୁ (୨୫), ରବିଟକିଜ୍‌ ଅଞ୍ଚଳର ରାକେଶ କୁମାର ସାହୁ ଓରଫ କାହ୍ନା(୨୪) ଓ ରତ୍ନାକର ବେହେରା ଓରଫ ମୁନା(୨୫)। ପୁଲିସ ସେମାନଙ୍କ ନିକଟରୁ ୪ଟି ବାଇକ୍‌, ଗୋଟିଏ ଖଣ୍ଡା, ଲୁହା ରଡ୍‌ ଆଦି ଜବତ କରିଛି।
ସୂଚନା ମୁତାବକ, ଗତ ୯ ତାରିଖ ରାତି ପାଖାପାଖି ୯ଟା ସମୟରେ ତପନ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଏସ୍‌ପ୍ଲାନେଡ୍‌ ମଲ୍‌ ସ୍ଥିତ ଅଫିସ୍‌ରୁ କାମସାରି ଘରକୁ ଫେରୁଥିଲେ। ସେ ଗେଟ୍‌ରୁ ବାହାରି ବାହାରକୁ ଯିବା ସମୟରେ ଅଭିଯୁକ୍ତମାନେ ରାସ୍ତାରେ ଗାଡ଼ି ରଖି ଖଟି ଜମାଇଥିଲେ। ବାଇକ୍‌ଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ତପନ ହର୍ଣ୍ଣ ବଜାଇଥିଲେ। ହେଲେ ସେମାନେ ଶୁଣିନଥିଲେ। ତେଣୁ ପାଟିକରି ବାଇକ୍‌ ହଟାଇବାକୁ କହିଥିଲେ। ଏତିକିରେ ଯୁବକମାନେ ରାଗିଯାଇ ତାଙ୍କ କାର୍‌ ନିକଟକୁ ଧାଇଁ ଆସି ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଯୁବକମାନେ ରାଗିଯାଇ ପାଖରେ ଥିବା ଖଣ୍ଡା ଓ ରଡ୍‌ରେ ଅତର୍କିତ ଭାବେ ଆକ୍ରମଣ କରିବା ସହ କାର୍‌କୁ ଭଙ୍ଗାରୁଜା କରିଥିଲେ। ତପନଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସେ ଜୀବନ ବିକଳରେ  ସେଠାରୁ ଖସିଯାଇ ପୁଲିସକୁ ଜଣାଇଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚିବା ବେ‌ଳକୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ସହିଦନଗର ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖାପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲ। ଗତକାଲି ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଥାନାକୁ ଆଣି ଜେରା ପରେ ଆଜି କୋର୍ଟଚାଲାଣ କରାଯାଇଛି। ଅନ୍ୟପଟେ ପୁଲିସ ସେମାନଙ୍କ ଅପରାଧିକ ଇତିହାସ ନେଇ ଖୋଳତାଡ଼ କରୁଛି।