‌ଖୋର୍ଧାରେ ବେଆଇନ ଖଣି ଖନନ ପ୍ରସଙ୍ଗ : କୋର୍ଟରେ ହାଜର ହେଲାନି କିଙ୍ଗପିନ୍‌ କୈଳାସ

ଭୁବନେଶ୍ବର : କୋଲକାତାରୁ ଗିରଫ ହୋଇଥିବା ବେଆଇନ ଖଣି କାରବାରର କିଙ୍ଗପିନ୍‌ କୈଳାସ ଚନ୍ଦ୍ର ପରିଜା ଆଜି ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର ହୋଇନାହିଁ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଅଧିକ ସମୟ ମାଗିଛି। ଅଲ୍ଲୀପୁରର ଏକ ହସ୍‌ପିଟାଲରେ ଥାଇ ଅଲ୍ଲୀପୁର ଏସିଜେଏମ୍‌ଙ୍କ କୋର୍ଟରେ ଟାଇମ୍‌ ପିଟିସନ୍ ଦାଖଲ କରିଛି। ପିଟିସନ୍‌ର ଶୁଣାଣି ହୋଇନାହିଁ। ଶୁଣାଣି ପରେ ସେ କେବେ ଖୋର୍ଦ୍ଧା ଏସ୍‌‌ଡିଜେଏମ୍‌ଙ୍କ କୋର୍ଟ‌ରେ ହାଜର ହେବ, ତାହା ନିଶ୍ଚିତ ହେବ। କୈଳାସ ଓଡ଼ିଶା ଆସିବାରେ ବିଳମ୍ବ ହୋଇଥିବାରୁ ଏସ୍‌ଟିଏଫ୍‌ ପାଇଁ ମଧ୍ୟ ଅଡୁଆ ବଢ଼ିଛି। ସେ କୋର୍ଟରେ ହାଜର ହୋଇଥିଲେ ଏସ୍‌ଟିଏଫ୍‌ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିଥାନ୍ତା। ସେଥିରୁ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ଖିଅ ମିଳିଥାନ୍ତା। ଏବେ ଏହି ସମ୍ଭାବନାକୁ ନେଇ ଅନିଶ୍ଚିତତା ବଢ଼ିଛି।

ସୂଚନା ମୁତାବକ, କଟକର କୈଳାସ ଖୋର୍ଦ୍ଧାରେ ବେଆଇନ ଖଣି ବେପାରର କିଙ୍ଗପିନ୍‌ ଥିଲା। ଛୋଟା ସମେତ ଅନେକ ବେପାରୀ ତା’ ଅଧୀନରେ କାରବାର କରୁଥିଲେ। ଛୋଟାଠାରୁ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ତାକୁ ଗିରଫ କରିବାକୁ ତନାଘନା ଆରମ୍ଭ କରିଥିଲା। ଏହା ଜାଣିପାରି କୈଳାସ କୋଲକାତାରେ ଆତ୍ମଗୋପନ କରିଥିଲା। ୧୬ତାରିଖ ରାତିରେ ଏସ୍‌ଟିଏଫର ସ୍ବତନ୍ତ୍ର ଦଳ କୋଲକାତାରୁ ତାକୁ ଗିରଫ କରି ଅଲ୍ଲୀପୁର ଏସିଜେଏମ୍‌ଙ୍କ କୋର୍ଟ ଚାଲାଣ କରିଥିଲା। ସେଠାରେ ଆବେଦନର ଶୁଣାଣି କରାଯାଇ ତାକୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର