ଖୋର୍ଦ୍ଧା : ଗତକାଲି ଖୋର୍ଧାରେ ଘଟିଥିବା ହିଟ୍ ଏଣ୍ଡ୍ ରନ୍ ମାମଲାରେ ଟାଉନ୍ ଥାନା ପୁଲିସ ଆଜି ଅଭିଯୁକ୍ତ କାର୍ ଚାଳକଙ୍କ ବିରୋଧରେ ୨୨୪/୧୯ରେ ଏକ ମାମଲା ରୁଜୁ କରିଛି। ସେ ହେଲେ, ଭୁବନେଶ୍ୱର ପଟିଆ ଅଞ୍ଚଳର ସତ୍ୟବ୍ରତ ମହାନ୍ତି। ଶ୍ରୀ ମହାନ୍ତି କାର୍ ଚଳାଇବା ବେଳେ ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି। ମାମଲା ରୁଜୁ ପରେ ସେ ଜାମିନ୍ରେ ମୁକୁଳିଛନ୍ତି। ତେବେ ଏହି ଘଟଣାରେ ପୁଲିସର ଭୂମିକା ସବୁଠାରୁ ଅଧିକ ସନ୍ଦେହଜନକ ହୋଇଛି। ପୁଲିସ ଅଦୃଶ୍ୟ ଚାପରେ ମାମଲାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଖୋର୍ଦ୍ଧା ସହରରେ ଚର୍ଚ୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ତଦନ୍ତ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ କାର୍ଟିକୁ ଜବତ କରିବା ସହ ଆଇନାନୁସାରେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସୁପାରିସ କରିଛି। କାର୍ରେ ବସିଥିବା ଯୁବକ ଓ ଯୁବତୀମାନେ କାର୍ ଚଳାଉ ନଥିବାରୁ ସେମାନଙ୍କୁ ଘଟଣାର ସାକ୍ଷୀ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ପରିବହନ ୱେବ୍ସାଇଟ୍ରେ ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ର ରେଜିଷ୍ଟ୍ରେସନ ନମ୍ବର (କେଏ ୦୩ ଇ ୬୬୮୩) ଯାଞ୍ଚ କରିବାରେ ଏନେଇ କୌଣସି କାର୍ ପଞ୍ଜୀକୃତ ହୋଇ ନଥିବା ଦର୍ଶାଉଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲୋକଙ୍କ ହାତରେ ଧରାପଡ଼ିବା ବେଳେ କାର୍ରେ ଥିବା ୩ ଯୁବକ ଓ ଜଣେ ଯୁବତୀଙ୍କ କହିବା କଥା ଥିଲା ସେମାନେ କଲେଜ ପଡ଼ୁଛନ୍ତି। ଏଭଳି ସେମାନେ ନିୟମିତ ଭାବେ ବିଭିନ୍ନ ସ୍ଥାନକୁ ଡ୍ରାଇଭିଂରେ ଯାଇଥାନ୍ତି। ଏଥର ସାତକୋଶିଆ ଯିବା ପାଇଁ ଏକ କାର ଭଡ଼ାରେ ଆଣିଥିଲେ। ସେମାନେ ନିଜେ ଗାଡ଼ି ଚଳାଉଥିଲେ। ପ୍ରଥମେ କଣ୍ଟିଲୋଠାରେ ଜଣେ ମୋଟର ସାଇକେଲକୁ ଧକ୍କା ଦେଇଥିଲେ। ସେଠାରୁ ସେମାନେ ଚାଲି ଆସିବା ବେଳେ ଖୋର୍ଦ୍ଧା ଉପକଣ୍ଠ ପୁବୁସାହିଠାରେ, ଗୁରୁଜଙ୍ଗ–ଖୋର୍ଦ୍ଧା ବାଇପାସ୍ ଓ ଖୋର୍ଦ୍ଧା ରାସ୍ତାରେ ୩/୪ ଥର ଦୁର୍ଘଟଣା ଘଟାଇଥିଲେ। ଦୁର୍ଘଟଣା ପରେ ଲୋକ ଗୋଡ଼ାଉଥିବା ଦେଖି ସେମାନେ ଭୟରେ ନୂତନ ରାସ୍ତାରେ ଚାଲି ଆସିଥିଲେ ଓ ଭାରସାମ୍ୟ ହରାଇ ବିଲ ଭିତରେ ପଶି ଯାଇଥିଲେ। ଏଭଳି ଏକ ଗୁରୁତ୍ବର ମାମଲାରେ ପୁଲିସ୍ କାହାରି ଚାପରେ ପଡ଼ି କାର୍ ଚଳାଉଥିବା ବଡ଼ ଘରର ପିଲାଙ୍କୁ ଅତି କୁଶଳତାର ସହକାରେ ଖସାଇ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।