ଖୋର୍ଧା ଜିଲ୍ଲା ପରିଷଦ ଜୋନ୍‌-୩୦: ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ, ପ୍ରଥମ ଦିନରେ ୩୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଖୋର୍ଧା ଜିଲ୍ଲା ପରିଷଦ ଜୋନ୍‌-୨୯, ବିଜେପିରୁ ସୁଜିତଙ୍କ ପ୍ରାର୍ଥିପତ୍ର ଦାଖଲ

ଚନ୍ଦ୍ରଶେଖରପୁର: ଖୋର୍ଧା ଜିଲ୍ଲା ପରିଷଦର ୩୦ନମ୍ବର ଜୋନ୍‌କୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଅଙ୍କକଷା ଜାରି ରହିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ, ତାହାକୁ ନେଇ ଆଜି ଦିନତମାମ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଛି। ବିଜେଡିରୁ ଏକାଧିକ ଆଶାୟୀ ରହିଥିବାରୁ ଦଳ ଏପର୍ଯ୍ୟନ୍ତ କାହା‌ ପ୍ରାର୍ଥିତ୍ବରେ ମୋହର ଲଗାଇ ପାରିନାହିଁ। ଯେତେବେଳେ କି କଂଗ୍ରେସ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ କରିଛି। ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ଶେଷ କରିଛି। ଦଳ ଏଠାରେ ସସ୍ମିତା ପତିଙ୍କୁ ପ୍ରାର୍ଥୀ କରିବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନି। ତେବେ ବର୍ତମାନର ଜିଲ୍ଲା ପରିଷଦ ସଦସ୍ୟ ଥିବା କୁନାଲ ରାଉତ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ନାହିଁ କିମ୍ବା ତାଙ୍କ ପରିବାର କେହି ସଦସ୍ୟ ପ୍ରାର୍ଥୀ ହେବେନି ବୋଲି ସେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ତେଣୁ ତାଙ୍କୁ ବାଦ୍ ଦେଇ ଦଳ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛି। ନାଁ ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ତିନିଜଣଙ୍କୁ ନେଇ ଦଳ ଏବେ ବିଚାର ଆଲୋଚନା କରୁଛି। ଏଥି‌ରେ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ବାସନ୍ତୀ ପାତ୍ରଙ୍କ ନାମ ସବୁଠାରେ ଆଗରେ ରହିଛି। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଶ୍ରୀମତୀ ପାତ୍ର ଜିଲ୍ଲା ପରିଷଦ ସଦସ୍ୟ ରହିସାରିଛନ୍ତି। ତେଣୁ ଏଥର ମଧ୍ୟ ଦଳ ତାଙ୍କ ନାଁରେ ମୋହର ଲଗାଇପାରେ। ସେହିପରି ଦାଢ଼ା ପଞ୍ଚାୟତର ବିଜେଡି ନେତା ନିର୍ମଳ ରାଉତଙ୍କ ପତ୍ନୀ, ବରିମୁଣ୍ଡ ପଞ୍ଚାୟତର ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ପତ୍ନୀଙ୍କ ନାଁକୁ ନେଇ ଦଳ ମାନସମନ୍ଥନ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏଠାରେ କଳାଝରୀର ପ୍ରତିମା ମହାନ୍ତି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଛି। ଉତ୍ତର ଭୁବନେଶ୍ବର ଦାୟିତ୍ବରେ ଥିବା ଭୁବନେଶ୍ବର ବ୍ଲକ-୨ ସଭାପତି ଅଶୋକ ଦାସଙ୍କ ପଟିଆସ୍ଥିତ ବାସଭବନରେ ବସିଥିବା ବୈଠକରେ ଖଇରାପଡ଼ାର ମିନତୀ ସେଠୀ, ଓସ୍ତପଡ଼ାର ବନିତା ପୃଷ୍ଟି, କଳାଝରୀର ପ୍ରତିମା ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିଲା। ବ୍ୟାପକ ବିଚାରବିମର୍ଶ ପରେ ପ୍ରତିମା ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର ହୋଇଛି।

୩୦ ନମ୍ବର ଜୋନ୍‌ରେ ପ୍ରାର୍ଥୀ ଚୟନ ଲାଗି ବିଜେପି ଆଜି କସରତ କରିଛି। କାହାକୁ ପ୍ରାର୍ଥୀ କଲେ ଦଳ ଭଲ ପ୍ରଦର୍ଶନ କରିବ, ସେନେଇ ଆଲୋଚନା କରାଯାଇଥିଲା। ଏକାଧିକ ନାଁକୁ ନେଇ ଜିଲ୍ଲାର ବରିଷ୍ଠ ନେତାମ‌ାନେ ଆଲୋଚନା କରିଥିଲେ। ତେବେ ଶେଷରେ ବିଜେପିର ବରିଷ୍ଠ ନେତା ତଥା ଆଇନଜୀବୀ ଅକ୍ଷୟ ପତିଙ୍କ ପତ୍ନୀ ସସ୍ମିତା ପତିଙ୍କ ନାଁକୁ ଚୂଡ଼ାନ୍ତ ମୋହର ଲଗାଯାଇଛି। ପୂର୍ବରୁ ମଧ୍ୟ ପାଞ୍ଚ ପଞ୍ଚାୟତରେ ଅକ୍ଷୟଙ୍କ ସଙ୍ଗଠନ ରହିଥିବାରୁ ଦଳ ତାହାକୁ ଗୁରୁତ୍ବ ଦେଇଛି। ବିଜେଡି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ବାଚନମଣ୍ଡଳୀରେ ଏହା ଏକମାତ୍ର ଜିଲ୍ଲା ପରିଷଦ ଜୋନ୍‌। ତେଣୁ ତାଙ୍କ ପାଇଁ ଏହି ଜୋନ୍‌ ସମ୍ମାନର ପ୍ରଶ୍ନ। କାରଣ ଗତ ୨୦ ବର୍ଷର ନିର୍ବାଚନ ଦୃଶ୍ୟପଟ୍ଟ ଦେଖିଲେ, ତିନିଥର ବିଜେଡି ହାତେଇଥିବା ବେଳେ ଥରେ ବିଜେପି କବ୍‌ଜା କରିଛି। ବିଜେ‌ଡି-ବିଜେପି ମେଣ୍ଟ ସରକାର ଥିବା ସମୟରେ ୨୦୦୨ରେ ବିଜେପି ପ୍ରାର୍ଥୀ ଏଠାରୁ ବିଜୟ ହୋଇଥିଲେ। ମାତ୍ର ୨୦୦୭ରୁ ଏହି ଜୋନ୍‌ରେ ବିଜେଡିର ପତିଆରା ରହି ଆସିଛି। ୨୦୧୭ରେ ସମସ୍ତ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ବିଜୟ ହୋଇଥିଲେ।

ପ୍ରଥମ ଦିନରେ ୩୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ବାଲିପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ପାର୍ଥିପତ୍ର ନାମାଙ୍କନର ପ୍ରଥମ ଦିନ ଥିଲା। ବାଲିପାଟଣା ବ୍ଲକରେ ୩୬ଜଣ ନାମାଙ୍କନ ଦାଖଲ କରିଛନ୍ତି। ସରପଞ୍ଚ ପାଇଁ ୬ ପ୍ରାର୍ଥୀ ଏବଂ ୱାର୍ଡ ମେମ୍ବର୍‌ ପଦ ଲାଗି ୨୮ ଜଣ, ସମିତି ସଭ୍ୟ ଲାଗି ୨ଜଣ ପାର୍ଥିପତ୍ର ଦାଖଲ କରିଛନ୍ତି। ବିଡିଓ ତଥା ନିର୍ବାଚନ ଅଧିକାରୀ ଆଦିକନ୍ଦ ବେହେରାଙ୍କ ନିକଟରେ ସେମାନେ ନାମାଙ୍କନ ଫର୍ମ ଦାଖଲ କରିଥିବା ବିଡିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ପୁରୁଣା ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲ୍ଲା ପରିଷଦ ସଦସ୍ୟ ପାଇଁ ବିଜେପି ପ୍ରାର୍ଥୀ ସୁଜିତ ବଲବନ୍ତରାୟ(ବଣ୍ଟି) ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ଆସି ସେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦେବବ୍ରତ ସାହୁଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦଳର ଜିଲ୍ଲା ସଭାପତି ବାବୁ ସିଂ, ଦଳର ଯୁବନେତା ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ବିଶ୍ବରଞ୍ଜନ ବଡ଼ଜେନା, ମଦନ ମୋହନ ପ୍ରଧାନ ତାଙ୍କ ସହ ଉପସ୍ଥିତ ଥିଲେ। ଅପରପକ୍ଷେ ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨ଜଣ ଫର୍ମ କିଣିଛନ୍ତି। ଏହି ନାମାଙ୍କନ ଦାଖଲ ପକ୍ରିୟା ୨୧ ଯାଏ ଚାଲିବ। ତେବେ ୨୨ରେ ମନୋନୟନ ପତ୍ର ଯାଞ୍ଚ ହେବ। ୨୫ତାରିଖ ମଧ୍ୟରେ ପ୍ରାର୍ଥୀ ଚାହିଲେ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ବହୁ ଆଶାୟୀ ପ୍ରାର୍ଥୀମାନେ ସମସ୍ତ ଦସ୍ତାବିଜ୍‌କୁ କିନ୍ତୁ ପ୍ରସ୍ତୁତ କରି ରଖିଛନ୍ତି। କେବଳ ଦଳର ପ୍ରାର୍ଥିପତ୍ର ତାଲିକା ପ୍ରକାଶକୁ ଅପେକ୍ଷା କରିଛନ୍ତି ଆଶାୟୀ। ସେହିପରି ବ୍ଲକ କାର୍ଯ୍ୟାଳୟରେ ୪ଜଣ ସମିତି ସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବାଲିଅନ୍ତା: ନାମାଙ୍କନପତ୍ର ଦାଖଲ କଲେ ୩୩ ପ୍ରାର୍ଥୀ
ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତି ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରଥମ ଦିନରେ ମୋଟ ୩୩ଜଣ ଆଶାୟୀ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ରବୀନ୍ଦ୍ର କୁମାର ସେଠୀ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଶ୍ରୀ ସେଠୀ ନିଜର ସମର୍ଥକଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି ୧୬ଟିଯାକ ପଞ୍ଚାୟତରେ ବିଭିନ୍ନ ୱାର୍ଡ଼ରୁ ମୋଟ ୩୨ଜଣ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଅନୁରୂପ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବିଡିଓ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର