ବଞ୍ଚିଛି ପରମ୍ପରା, କୁଆଁରୀ ପାଳିଲେ ଖୁଦୁରୁକୁଣୀ

ଭୁବନେଶ୍ୱର: ‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।’ ଆଜି ସହରର ଗଳିକନ୍ଦିରୁ ଭାସି ଆସୁଥିଲା ଏହି ପବିତ୍ର ଗୀତର ମଧୁର ପଙ୍‌କ୍ତି। କୁଆଁରୀମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ଏହି ଗୀତ। କାରଣ ଆଜି ଥିଲା ଭାଦ୍ରବ ମାସର ପ୍ରଥମ ପାଳି ରବିବାର। ଭାଇର ଶୁଭମନାସି ଭଉଣୀଟିଏ ଏହି ଦିନ ମା’ ମଙ୍ଗଳାଙ୍କୁ ସୁମରି ଥାଏ। ଆଉ ଏହି ମାସର ପ୍ରତି ରବିବାର ଉପକୂଳ ଓଡ଼ିଶାର ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶରେ ‘ଖୁଦୁରୁକୁଣୀ ଓଷା’ ବା ‘ଭାଲୁକୁଣୀ ଓଷା’ ପାଳନ କରାଯାଇଥାଏ। ଭାଇମାନଙ୍କ ଶୁଭ ମନାସି କରାଯାଉଥିବା ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ହୋଇଛି। ଏବେ ବି ଗାଁ ଗହଳିରେ ଜାକଜମକରେ ପାଳନ କରାଯାଉଛି ଏହି ପର୍ବ। ରାଜଧାନୀ ବି ଖୁଦୁରୁକୁଣୀ ଓଷା ପାଳନରୁ ବାଦ୍‌ ପଡ଼ି ନାହିଁ। ଆଜିଠାରୁ ଆରମ୍ଭ ହୋଇଛି ଏହି ପୂଜା। ଚାରିଟି ରବିବାର ଏହାକୁ ପାଳନ କରାଯିବ। ଭୁବନେଶ୍ୱରରେ ଅତ୍ୟାଧୁନିକ ସହରୀ ସଭ୍ୟତା ତା’ର କାୟା ବିସ୍ତାର କରିଥିଲେ ବି ଓଡ଼ିଆ ପରିବାର ଖୁଦୁରୁକୁଣୀ ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି।

ଗାଁ ଗହଳି ପରି ରାଜଧାନୀରେ ସକାଳୁ ଉଠି ଝିଅମାନେ ଫୁଲ ତୋଳିବାକୁ ଏ ବାଡ଼ି ସେ ବାଡ଼ି ହେଉ ନାହାନ୍ତି। କି ଏଠି ପୋଖରୀରେ ବୁଡ଼ ପକାଇବାକୁ ଦଳ ଦଳ ହୋଇ ଯାଉ ନାହାନ୍ତି। ବ୍ୟସ୍ତବହୁଳ ଜୀବନ ହେଉ କି ଭାଇଚାରାର ଅଭାବ ପାଇଁ ହେଉ, ସହରୀ ସଭ୍ୟତାରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଖୁଦୁରୁକୁଣୀ ଓଷା କରାଯାଉ ନାହିଁ। ତାହା ସତ୍ତ୍ବେ ଓଷା ପାଳନର ବିଧି ଜୀବନ୍ତ ରହିଛି। ବଜାରରୁ ମା’ ମଙ୍ଗଳାଙ୍କ ମୂର୍ତିଟିଏ କିଣି ଘରେ ରଖି ଝିଅମାନେ ପୂଜା କରୁଛନ୍ତି। ସନ୍ଧ୍ୟାରେ ମା’ଙ୍କ ମୂର୍ତି ନିକଟରେ ତଅପୋଇଙ୍କ କାହାଣୀ ଓ ମା’ ମଙ୍ଗଳାଙ୍କ ମହିମା ଉପରେ ପର୍ଯ୍ୟବସିତ ବହି ପଢ଼ି ପୂଜାର୍ଚ୍ଚନା କରୁଛନ୍ତି।

ରାଜଧାନୀର ବିଭିନ୍ନ ହଷ୍ଟେଲ୍‌ ଓ ସହର ଉପକଣ୍ଠ ଗ୍ରାମାଞ୍ଚଳରେ ଝିଅମାନେ ସଂଘବଦ୍ଧ ହୋଇ ଖୁଦୁରୁକୁଣୀ ଓଷା କରୁଥିବା ଲକ୍ଷ୍ୟ କରାଯାଉଛି। ଏପରିକି ସହରର କିଛି କଲୋନିରେ ବି ମିଳିତ ଭାବେ ଏହି ଓଷା ଆୟୋଜନ କରାଯାଉଛି। ମା’ଙ୍କ ବଡ଼ ବଡ଼ ମୃଣ୍ମୟୀ ମୂର୍ତି ରଖି ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଏଠି ଓଷା ପାଳନ କରାଯାଉଛି।

ବଡ଼ୁ ସାହିରେ ନିଆରା ପୂଜା
ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ଅଞ୍ଚଳର ଜମେଶ୍ୱର ପାଟଣା ସାହି, ବଣିଆ ସାହି, ବଡ଼ୁସାହି, ପରକରଣ ସାହି, ଦର୍ଜି ସାହି, ବଡ଼ଦାଣ୍ଡ ସାହି, କୁମ୍ଭାର ସାହି, ମଙ୍ଗଳା ସାହି, କପିଳେଶ୍ବର ଆଦି ବିଭିନ୍ନ ସ୍ଥାନରେ ସାଜସଜ୍ଜା କରାଯାଇ ପୂଜା କରାଯାଇଥିଲା। ସେହିପରି ସୁନ୍ଦରପଦା ଓ କପିଳପ୍ରସାଦରେ ଖୁଦୁରୁକୁଣୀ ପୂଜା ଗୋଖିବାବା ଆଶ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବଡ଼ୁ ସାହିର କୁମାରୀମାନେ ବିନ୍ଦୁସାଗର କୂଳ ମାର୍କଣ୍ଡେଶ୍ୱର ନିକଟ ଘାଟ କୂଳରେ ପୂଜା କରିଥିଲେ। କୁମାରୀମାନେ କାନ୍ଥରେ ମାଟି ଲେପନ କରି ହଳଦୀ ଓ କଉଡ଼ି ଦ୍ୱାରା ମା’ ମଙ୍ଗଳାଙ୍କର ଆଖି, କାନ, ପାଟି ଆଦି ଅଙ୍ଗ ତିଆରି କରି ପୂଜା କରିଥିଲେ। ସେମାନେ ବିନ୍ଦୁ ସାଗର କୂଳରେ ସକାଳେ ବାଲୁକା ପୂଜା ସହ ମା’ଙ୍କ ମୂର୍ତିକୁ ପୂଜା କରି ମଙ୍ଗଳାଙ୍କ ସ୍ତୁତି ପାଠ କରିଥିଲେ।

ସମ୍ବନ୍ଧିତ ଖବର