ସରିଲା ଖୁଦୁରୁକୁଣି ଓଷା: ନାଚ ଗୀତରେ କମ୍ପିଲା ପରିବେଶ

ପୁରୁଣା ଭୁବନେଶ୍ୱର: ୪ ପାଳି ଧରି ଚାଲିଥିବା ଖୁଦୁରୁକୁଣି ଓଷା ସରିଛି। ଆଜି ଶେଷ ସନ୍ଧ୍ୟାରେ କିଛି ସମୟ ବର୍ଷା ହୋଇଥିଲେ ହେଁ ପୂଜାରେ କିଛି ଫରକ ପଡ଼ିନଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨ଶହରୁ ଊର୍ଧ୍ୱ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ପୁରୁଣା ଭୁବନେଶ୍ୱରର ଜମେଶ୍ୱର ପାଟଣା ସାହି, ବଣିଆ ସାହି, ବଡ଼ୁ ସାହି, ପରକରଣ ସାହି, ଦର୍ଜି ସାହି, ବଡ଼ଦାଣ୍ଡ ସାହି, କୁମ୍ଭାର ସାହି, ମଠ ସାହି ଆଦି ବିଭିନ୍ନ ସ୍ଥାନରେ ସାଜସଜ୍ଜା କରାଯାଇ ଧୁମଧାମରେ ଖୁଦୁରୁକୁଣି ପୂଜା କରାଯାଇଥିଲା। ଏହାବ୍ୟତୀତ ସହରର ଗଳିକନ୍ଦିରେ ଏହି ପୂଜା ଭକ୍ତିସହକାରେ ଅନୁଷ୍ଠିତ ହୋଇଥିଲା।

ବଡ଼ୁ ସାହିରେ ନିଆରା ଢଙ୍ଗରେ ପୂଜା
ବଡ଼ୁ ସାହିର କୁମାରୀମାନେ ବିନ୍ଦୁସାଗର କୂଳ ମାର୍କଣ୍ଡେଶ୍ୱର ନିକଟ ଘାଟରେ ପୂଜା କରିଥିଲେ। ସେମାନେ କାନ୍ଥରେ ମାଟି ଲେପନ କରି ହଳଦୀ ଓ କଉଡ଼ି ଦ୍ୱାରା ମା’ ମଙ୍ଗଳାଙ୍କ ଆଖି, କାନ, ପାଟି ଆଦି ତିଆରି କରି ପୂଜା କରିଥିଲେ। ବିନ୍ଦୁସାଗର କୂଳରେ ସକାଳେ ବାଲୁକା ପୂଜା ସହ ମା’ମଙ୍ଗଳାଙ୍କ ସ୍ତୁତି ପାଠ କରିଥିଲେ।

ସୁନ୍ଦରପଦାରେ ଖୁଦୁରୁକୁଣି
ଖୁଦୁରୁକୁଣି ପୂଜା ଉପଲକ୍ଷେ ସୁନ୍ଦରପଦା-କପିଳପ୍ରସାଦରେ ଚଳିତ ବର୍ଷ ଖୁଦୁରୁକୁଣି ଉତ୍ସବ ଗୋଖିବାବା ଆଶ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦୁହୁଡ଼ିରେ ଯୁବତୀମାନେ ଝୁଣା ପକାଇ ପୂଜା କରିଥିଲେ। ଏହି ଅବସରରେ ଖୁଦୁରୁକୁଣି ଉତ୍ସବ କମିଟି ସହଯୋଗରେ ଏକ ଛୋଟ ଡଙ୍ଗା କରାଯାଇ ବୋଇତ ବନ୍ଦାଣ କରାଯାଇଥିଲା। ସେହିପରି କୁନି କୁନି ପିଲାଙ୍କ ଦ୍ବାରା ନାଟକ ପରିବେଷଣ କରାଯାଇଥିଲା।

ଜମିଲା କୁନି ପିଲାଙ୍କ ନୃତ୍ୟନାଟିକା
ଖଦୁରୁକୁଣି ଶେଷ ପାଳିରେ ଜମେଶ୍ବର ପାଟଣା ସାହିରେ ଖୁଦୁରୁକୁଣି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। କୁନି ପିଲାମାନେ ନୃତ୍ୟନାଟିକା ‘ତଅପୋଇ’ ପରିବେଷଣ କରିଥିଲେ। ଏଥିସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର