ଭୁବନେଶ୍ୱର : ‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।।’
ରବିବାର ସଂଧ୍ୟା ହେଉ ହେଉ ସହରର ପ୍ରତିଟି ଗଳିକନ୍ଦି, ଆବାସିକ କଲୋନି, ହଷ୍ଟେଲ୍ ଓ ମେସ୍ରୁ ଭାସି ଆସୁଥିଲା ଏହି ପୁରାଣ। ଭାଦ୍ରବ ମାସ(ଅଗଷ୍ଟ-ସେପ୍ଟମ୍ବର) ଆସିଲେ ଏହି ଦୁଇ ପଦକୁ କୁଆଁରୀମାନେ ଗୁଣୁଗୁଣାଉଥିବା ଶୁଣାଯାଏ। ଆଉ ଏଇ ମାସର ପ୍ରତି ରବିବାର ସନ୍ଧ୍ୟାରେ ଉପକୂଳ ଓଡ଼ିଶାର ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶରେ ଏହି ଗୀତକୁ ଝିଅ, ବୋହୂମାନେ ଗାଆନ୍ତି। ଅବସର ଥାଏ ‘ଖୁଦୁରୁକୁଣୀ ଓଷା’ ବା ‘ଭାଲୁକୁଣୀ ଓଷା’।
ଭାଇମାନଙ୍କ ଶୁଭ ମନାସି କରାଯାଉଥିବା ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ହୋଇଛି। ଏବେ ବି ଗାଁ ଗହଳିରେ ଜାକଜମକରେ ପାଳନ କରାଯାଉଛି ଏହି ପର୍ବ। ରାଜଧାନୀ ବି ଖୁଦୁରୁକୁଣୀ ଓଷା ପାଳନରୁ ବାଦ୍ ପଡ଼ି ନାହିଁ। ଆଜି ଠାରୁ ଆରମ୍ଭ ହୋଇଛି ଏହି ଓଷା। ଚାରିଟି ରବିବାର ଏହାକୁ ପାଳନ କରାଯିବ। ଅତ୍ୟାଧୁନିକ ସହରୀ ସଭ୍ୟତା ଭୁବନେଶ୍ୱରରେ ତା’ର କାୟା ବିସ୍ତାର କରିଥିଲେ ବି ଓଡ଼ିଆ ପରିବାରଗୁଡ଼ିକ ଖୁଦୁରୁକୁଣୀ ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି। ଯେଉଁ ଘରେ ଝିଅଟିଏ ଅଛି, ସେ ଘରେ ଖୁଦୁରୁକୁଣୀ ଓଷା ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଗାଁ ଗହଳି ପରି ରାଜଧାନୀରେ ସକାଳୁ ଉଠି ଝିଅମାନେ ଫୁଲ ତୋଳିବାକୁ ଏ ବାଡ଼ି ସେ ବାଡ଼ି ହେଉ ନାହାନ୍ତି। କି ଏଠି ପୋଖରୀରେ ବୁଡ଼ ପକାଇବାକୁ ଦଳଦଳ ହୋଇ ଯାଉନାହାନ୍ତି। ବ୍ୟସ୍ତବହୁଳ ଜୀବନ ହେଉ କି ଭାଇଚାରାର ଅଭାବ ପାଇଁ ହେଉ, ସହରୀ ସଭ୍ୟତାରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଖୁଦୁରୁକୁଣୀ ଓଷା କରାଯାଉନାହିଁ। କିନ୍ତୁ ଓଷା ପାଳନର ବିଧି ଜୀବନ୍ତ ରହିଛି। ବଜାରରୁ ମା’ ମଙ୍ଗଳାଙ୍କ ମୂର୍ତ୍ତିଟିଏ କିଣି ନିଜ ଘରେ ରଖି ଝିଅମାନେ ପୂଜା କରୁଛନ୍ତି। ଏଣୁ ଆଜି ସଟ୍ଡାଉନ୍ ସତ୍ତ୍ବେ ରାଜଧାନୀର ସମସ୍ତ ମୂର୍ତ୍ତି ଦୋକାନ, ଫୁଲ ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ମା’ଙ୍କ ମୂର୍ତି ନିକଟରେ ତଅପୋଇଙ୍କ କାହାଣୀ ଓ ମା’ ମଙ୍ଗଳାଙ୍କ ମହିମା ଉପରେ ପର୍ଯ୍ୟବେସିତ ପୁରାଣ ବହି ପଢ଼ି ପୂଜାର୍ଚ୍ଚନା କରାଯାଇଥିଲା।
କରୋନା ସତ୍ତ୍ବେ ମା’ଙ୍କ ମୂର୍ତି ବିକ୍ରି କିଛି କମି ନାହିଁ। ୧୦୦ ଟଙ୍କା ଠାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ମା’ଙ୍କ ମୃଣ୍ମୟୀ ମୂର୍ତି ବଜାରରେ ମିଳୁଛି। ହେଲେ ଛୋଟ ମୂର୍ତିର ବିକ୍ରି ଅଧିକ ରହିଛି ସିନା ବଡ଼ ମୂର୍ତି କିଣିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜମହଲ ଛକ ନିକଟରେ ୧୪ ବର୍ଷ ହେଲା ଏହି ମୂର୍ତି ବିକୁଥିବା ବୈକୁଣ୍ଠ ଦାସ କହିଥିଲେ ଯେ ମୂର୍ତି ବିକ୍ରି ପ୍ରାୟ ସବୁ ବର୍ଷ ସମାନ ରହୁଛି। ଗତ ବର୍ଷ ମୂର୍ତି ବିକ୍ରି କିଛି କମିଥିଲା। ଏଥର ଯେହେତୁ ଘରେ ଘରେ ପୂଜା ହେଉଛି, ତେଣୁ ଛୋଟ ମୂର୍ତି ହିଁ ଅଧିକ ବିକ୍ରି ହେଉଛି। ବଡ଼ ମୂର୍ତି ବିକ୍ରି ନଥିବାରୁ ଏଥର ବିଶେଷ ଲାଭ ନାହିଁ ବୋଲି ସେ କହିଥିଲେ।
ରାଜଧାନୀର ବିଭିନ୍ନ ହଷ୍ଟେଲ୍ ଓ ସହର ଉପକଣ୍ଠ ଗ୍ରାମାଞ୍ଚଳରେ ଝିଅମାନେ ସଂଘବଦ୍ଧ ହୋଇ ଖୁଦୁରୁକୁଣୀ ଓଷା କରୁଥିବା ଲକ୍ଷ୍ୟ କରାଯାଉଛି। ଏପରିକି ସହରର କିଛି କଲୋନିରେ ବି ମିଳିତ ଭାବେ ଏହି ଓଷା ଆୟୋଜନ କରାଯାଉଛି। ମା’ଙ୍କ ବଡ଼ ବଡ଼ ମୃଣ୍ମୟୀ ମୂର୍ତି ରଖି ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଏଠି ଓଷା ପାଳନ କରାଯାଉଛି। ତଅପୋଇ କିପରି ତା’ର ଭାଉଜମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲା ଓ ଏହି ଓଷା କରିବା ଫଳରେ ମା’ଙ୍କ କୃପାରୁ ତା’ ଭାଇମାନେ ଫେରି ଆସି କିପରି ତା’ ଦୁଃଖ ଦୂର କରୁଛନ୍ତି, ସେହି କଥାବସ୍ତୁ ଉପରେ କାହାଣୀଟି ଆଧାରିତ।