ଭୁବନେଶ୍ବର/ଜଟଣୀ : ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଗଲେ ବିଲ୍ଡର। ଠିକଣା ସମୟରେ ଡିସିପିଙ୍କ ନିକଟରେ ପହଞ୍ଚିଥିବା ସୂଚନାକୁ ଆଧାର କରି ଜଟଣୀ ଥାନା ପୁଲିସ ତତ୍ପର ହେବାରୁ ଧରାପଡ଼ିଗଲେ ୩ କୁଖ୍ୟାତ ଅପରାଧୀ। ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ(୨୭), ଦୀପ୍ତିରଂଜନ ଜେନା ଓରଫ ଦୀପୁ (୨୪) ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା(୨୪)। ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି। କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ ବୋଲି ଜଣାପଡ଼ିଥିବା ବେଳେ କୁନ୍ଥା ସେମାନଙ୍କୁ ଜଣେ ବିଲ୍ଡରଙ୍କ ମୁଣ୍ଡ ଗଡ଼ାଇବାକୁ ଡକାଇଥିବା ଜଣାପଡ଼ିଛି। ଜଟଣୀ ଥାନା ପୁଲିସ ଏହି ୩ କୁଖ୍ୟାତ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ କରିଛି।
ମଙ୍ଗଳବାର ସନ୍ଧ୍ୟାରେ ଡିସିପି ପ୍ରତୀକ ସିଂ ଏକ ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇଥିଲେ। ରାଜଧାନୀରେ ଏକ ବଡ଼ଧରଣର ଅପରାଧ ଘଟାଇବା ପାଇଁ କେନ୍ଦ୍ରାପଡ଼ାରୁ ୨ ସୁପାରି କିଲର ଆସିଛନ୍ତି ବୋଲି ଖବର ମିଳିଥିଲା। ତେଣୁ ଡିସିପି କେତେକ ସମ୍ଭାବ୍ୟ ଥାନାକୁ ସତର୍କ କରିଥିଲେ ଓ ଏଥିପାଇଁ ସ୍ପେସାଲ ସ୍କ୍ବାଡ୍କୁ ମଧ୍ୟ ସତର୍କ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ରାତି ପାଖାପାଖି ୧୧ଟା ବେଳକୁ ସୁପାରି କିଲର୍ଦ୍ବୟ ଜଟଣୀ ଅଞ୍ଚଳର ଡେରା ପକାଇଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଜଣେ ଜମି ବ୍ୟବସାୟୀଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେଣୁ ଆଇଆଇସି ଦୟାନିଧି ନାୟକଙ୍କ ପ୍ରସ୍ତୁତ ୨ଟି ଟିମ୍ ୨ଟି ଘରୋଇ ଗାଡ଼ିରେ ବିଭିନ୍ନ ସମ୍ଭାବ୍ୟ ଜାଗାରେ ଚକ୍କର କାଟିଥିଲେ।
/sambad/media/post_attachments/wp-content/uploads/2022/06/Jatani-300x135.jpg)
ରାତି ପାଖାପାଖି ୧୧ଟା ୪୫ ସମୟରେ ନିଜେ ଆଇଆଇସି ଥିବା ପୁଲିସ ଟିମ୍ ଆଇଆଇଟି ରୋଡ୍ରେ ଏକ ନିଛାଟିଆ ସ୍ଥାନରେ ଦୀପୁ ଓ ବିକ୍ରମ୍କୁ ଠାବ କରିଥିଲେ। ସେମାନେ ଏକ କଳାରଂଗର ବାଇକ୍ରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା। ପୁଲିସ ବ୍ୟବହାର କରୁଥିବା କାର୍ଟି ସେମାନଙ୍କ ନିକଟରେ ଅଟକିବାକୁ ଯାଉଥିବା ଦେଖି ସେମାନେ ନାଇଜର୍ଆଡ଼କୁ ଚାଲିଥିଲେ। ତେଣୁ ପୁଲିସର ସନ୍ଦେହ ବଢ଼ିଥିଲା ଓ ପୁଲିସ ସେମାନଙ୍କୁ ପିଛା କରି ଖୁଦୁପୁର ଛକରେ ଅଟକାଇଥିଲା। ସେମାନଙ୍କୁ ଯାଞ୍ଚ କଲା ବେଳେ ଦୁଇଟି ବନ୍ଧୁକ ଓ ୧୩ ରାଉଣ୍ଡ ଗୁଳି ମିଳିଥିଲା। ପୁଲିସ ସେମାନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବାରୁ ସନ୍ତୋଷ ମାର୍ଥା ଓରଫ୍ କୁନ୍ଥାର ମେସେଜ୍ ମିଳିଥିଲା। ଉକ୍ତ ମେସେଜ୍କୁ ଆଧାର କରି ପୁଲିସ ଟିମ୍ ତୁରନ୍ତ କୁନ୍ଥା ପଛରେ ପଡ଼ିଯାଇଥିଲା। ପୁଲିସ ତୁରନ୍ତ ଆରମ୍ଭ କଲା ଅପରେସନ୍ କୁନ୍ଥା। ବିକ୍ରମ ମୋବାଇଲ୍ରୁ କୁନ୍ଥାକୁ ଫୋନ୍ କରାଯାଇଥିଲା। କୁନ୍ଥା ହରିରାଜପୁରଠାରେ ଏକ ପଡ଼ିଆ ନିକଟରେ ଧଳା ରଙ୍ଗର କାର୍ରେ ଅପେକ୍ଷା କରିଥିବା କହିଥିଲା। ତୁରନ୍ତ ଜଟଣୀ ଥାନାର ଦୁଇ ଟିମ୍ ହରିରାଜପୁରରେ ପହଞ୍ଚି କୁନ୍ଥାକୁ ଘେରିଯାଇଥିଲେ।
ଟାର୍ଗେଟ୍ରେ ଥିଲେ ବିଲ୍ଡର
କୁନ୍ଥା ଜମି ବ୍ୟବସାୟ କରୁଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ବିଲ୍ଡରମାନଙ୍କଠାରୁ ଦାଦାବଟି ଆଦାୟ କରିବା ଓ ବିବାଦୀୟ ଜମି ଦଖଲ ପାଇଁ ବିପୁଳ ଅର୍ଥ ଦାବି କରିବା ଆଦି କାମ କରି କୁନ୍ଥା ବେଶ୍ ଭଲ ଅର୍ଥ ରୋଜଗାର କରୁଥିଲା। ସୁନ୍ଦରପଦାରୁ ଜଟଣୀ ପର୍ଯ୍ୟନ୍ତ ରାଜଧାନୀ ଉପକଣ୍ଠରେ ଏଭଳି କାରବାର କରି ସେ ନିଜ ପାଇଁ ବି ଅନେକ ଶତ୍ରୁ ତିଆରି କରିଥିଲା। ସ୍ଥାନୀୟ ଅଞ୍ଚଳରେ ତା’ର ପତିଆରା କମୁଥିବାରୁ ପ୍ରତିପକ୍ଷଙ୍କୁ ମାତ୍ ଦେବା ପାଇଁ ସେ ଏକ ବଡ଼ ଯୋଜନା କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଦ୍ବନ୍ଦ୍ବୀ ବିଲ୍ଡରଙ୍କୁ ଟାର୍ଗେଟ୍ କରି ସେ କେନ୍ଦ୍ରାପଡ଼ାରୁ ୨ ସୁପାରି କିଲର୍ ବିକ୍ରମ ଓ ଦୀପକୁ ଡକାଇଥିଲା। ସୌଭାଗ୍ୟକୁ ଉକ୍ତ ବିଲ୍ଡରଙ୍କ ମୁଣ୍ଡ ଗଡ଼ିବା ପୂର୍ବରୁ ପୁଲିସ ହାତରେ ଖବର ଲାଗିଯାଇଥିଲା।
ସମସ୍ତେ ହତ୍ୟା ଅଭିଯୁକ୍ତ
ଡିସିପି ଶ୍ରୀ ସିଂହଙ୍କ ସୂଚନାନୁସାରେ ତିନି ଜଣଯାକଙ୍କ ନାଁରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଚୋରି ଭଳି ସଂଗିନ୍ ଅପରାଧିକ ମାମଲା ରହିଛି। ୨୦୧୯ ମସିହାରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଅମରେଶ ହତ୍ୟାକାଣ୍ଡ ମାମଲାରେ କୁନ୍ଥା ଗ୍ୟାଙ୍ଗ୍ର ସମ୍ପୃକ୍ତି ଥିଲା। ପୂର୍ବରୁ ଏୟାର୍ଫିଲ୍ଡ ଥାନ ପୁଲିସ ତାକୁ ତିନି ତିନି ଥର ଗିରଫ କରିଛି। ସେହିଭଳି ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ସେ ଏକଦା ଗୁଳିକାଣ୍ଡ ଘଟାଇଥିଲା। କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ମଧ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ୨୦୧୯ ମସିହାରେ ରାଜନଗର ଥାନା ଅଞ୍ଚଳର କିଶୋର ସେଠୀ ହତ୍ୟା ମାମଲାରେ ବିକ୍ରମ ଓ ଦୀପୁଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହି ମାମଲାରେ ସେମାନେ ଫେରାର୍ ଥିବାରୁ ରାଜନଗର ଥାନା ପୁଲିସକୁ ଏନେଇ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Jatani1.jpg)