ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ରହୁନାହାନ୍ତି ଡାକ୍ତର, ଓପିଡି ବି ଖୋଲୁ ନାହିଁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ଦ୍ଧାରିତ ସମୟରେ ଡାକ୍ତର ରହୁ ନ ଥିବା ଓ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି। ଜେନେରାଲ୍ ଓପିଡି ସକାଳ ୮ଟାରୁ ଖୋଲାଯିବାକୁ ଥିବା ବେଳେ ୧୦ଟା ଯାଏଁ ଡାକ୍ତରଙ୍କ ଦେଖା ମିଳୁ ନ ଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓପିଡିକୁ ବନ୍ଦ କରି ଦିଆଯାଉଥିବା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସକାଳ ୮ଟାରୁ ଦିନ ୧ଟା ଏଯାଏ ଏବଂ ପୁଣି ଅପରାହ୍‌ଣ ୬ଟାରୁ ୮ଟା ଯାଏଁ ୭ଘଣ୍ଟା ଓପିଡିରେ ଡାକ୍ତର ରହିବା କଥା। କିନ୍ତୁ ହସ୍‌ପିଟାଲ୍‌ ଜେନେରାଲ୍ ଓପିଡି ଦିନ ୮ଟା ବଦଳରେ ୧୦ଟାରେ ଖୋଲୁଛି। ସୁଦୂର ବେଗୁନିଆ, ବୋଲଗଡ଼, ଚିଲିକା ଓ ଟାଙ୍ଗୀରୁ ଆସୁଥିବା ରୋଗୀମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଡାକ୍ତରଙ୍କ ଦେଖା ମିଳୁନାହିଁ। କେବଳ ସେତିକି ନୁହେଁ , ଡାକ୍ତରଖାନାରେ ଡାକ୍ତରମାନେ ଦିନ ଗୋଟାଏ ପର୍ଯ୍ୟନ୍ତ ରହିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେମାନେ ୧୨ଟା ପୂର୍ବରୁ ହିଁ ହସ୍‌ପିଟାଲ୍ ଛାଡ଼ି ଚାଲିଯାଉଛନ୍ତି। ଅପରାହ୍‌ଣରେ ଅଧିକାଂଶ ଡାକ୍ତରଙ୍କ ଦେଖା ମିଳୁନାହିଁ। ବହୁ ଡାକ୍ତର ଖୋର୍ଦ୍ଧାରେ ରହୁ ନ ଥିବାରୁ ଗୁରୁତର ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଚିକିତ୍ସା ଅନେକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଶବ ବ୍ୟବଚ୍ଛେଦରେ ମଧ୍ୟ ସମସ୍ୟା ଉପୁଜୁଛି। ସୂଚନା ଅନୁସାରେ, ଖୋର୍ଦ୍ଧା ମେଡିକାଲ୍‌ରେ ବର୍ତ୍ତମାନ ସିଡିଏମ୍ଓ ଓ ୱିଙ୍ଗ୍ ଅଫିସର ବିଭାଗରେ ୧୨ଜଣଙ୍କ ସ୍ଥାନରେ ୭ ଜଣ ଅଛନ୍ତି। ସେହିଭଳି କନ୍ସଲଟାଣ୍ଟ ଭାବେ ୪୪ଜଣ ଡାକ୍ତର ଓ କର୍ମଚାରୀଙ୍କ ସ୍ଥାନରେ ୨୪ଜଣ କାମ କରୁଛନ୍ତି। ଏ ନେଇ ଖୋର୍ଦ୍ଧା ସିଡିଏମ୍ଓଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି, ମେଡିକାଲ୍‌ରେ ଏହି ସମସ୍ୟା ନେଇ ସେ ଅବଗତ। ନୂତନ ଭାବେ ଦାୟିତ୍ବ ସେ ନେଇଛନ୍ତି। ତଥାପି ସମସ୍ୟାର ସମାଧାନ ପାଇଁ ୪ ଦିନ ପୂର୍ବେ ହସ୍‌ପିଟାଲ୍‌ର ଡାକ୍ତରଙ୍କୁ ନେଇ ଏକ ବୈଠକ ବସିଥିଲା। ସମସ୍ତ ଡାକ୍ତର ଓ କର୍ମଚାରୀ ଯେଭଳି ନିର୍ଦ୍ଧାରିତ ସମୟରେ ହସ୍‌ପିଟାଲ୍‌ରେ ରହିବେ ସେ ନେଇ ତାଗିଦ୍‌ କରାଯାଇଛି। ତେବେ କିଛି କନିଷ୍ଠ ଡାକ୍ତର ଓ ଠିକା ଡାକ୍ତରଙ୍କୁ ଜିଲ୍ଲାର କେତେକ ପିଏଚ୍‌ସିକୁ ଅତିରିକ୍ତ ଦାୟିତ୍ବରେ ପଠାଯାଇଥିବାରୁ ଦାୟିତ୍ବ ବଣ୍ଟନରେ କିଛି ସମସ୍ୟା ହେଉଛି। ଏହାର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସିଡିଏମଓ କହିଛନ୍ତି।

ସମ୍ବନ୍ଧିତ ଖବର