ଖୋର୍ଦ୍ଧା ଜିଲ୍ଲା: କେତେ ନମୁନା ଯାଉଛି, କେତେ ରିପୋର୍ଟ ଆସୁଛି, ସବୁ ଅସ୍ପଷ୍ଟ

ଖୋର୍ଦ୍ଧା: ଭୁବନେଶ୍ବର ମହାନଗର ନିଗମ ଇଲାକା ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସ୍ଥାନଗୁଡ଼ିକରେ କରୋନା ସଂକ୍ରମିତଙ୍କ ସ୍ଥିତି କ’ଣ? ଦୈନିକ କେତେ ନମୁନା ପଠାଯାଉଛି, କେତେ ରିପୋର୍ଟ ଆସୁଛି ସେନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ କହାରି ନିକଟରେ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ୧୯୦ଟି ପଞ୍ଚାୟତରେ ଖୋଲାଯାଇଥିବା ଜରୁରୀକାଳୀନ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କେତେ ଲୋକ ଆଇସୋଲେସନ୍‌ କିମ୍ବା କ୍ବାରାଣ୍ଟିନ୍‌ରେ ରହିଛନ୍ତି ସେନେଇ ମଧ୍ୟ କୌଣସି ତଥ୍ୟ କାହାରି ନିକଟରେ ନାହିଁ। ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ମୋଟ ୭୭ଟି ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧାର ୪ଟି ସ୍ବାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରୁ ଆଜି ମୋଟ ୭୭ଟି ସ୍ବାବ୍ ନମୁନା ସଂଗୃହିତ ହୋଇଛି। ଆଜି ସୁଦ୍ଧା ଖୋର୍ଦ୍ଧାରୁ ୪୭୯ଜଣ ସନ୍ଦିଗ୍ଧଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ଭୁବନେଶ୍ବର ଏମ୍‌ସ ଓ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି।

ଏହା ମଧ୍ୟରୁ ଆଜି ଖୋର୍ଦ୍ଧା ସ୍ବାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରୁ ୨୬, ଟାଙ୍ଗୀରୁ ୯, ବୋଲଗଡ଼ରୁ ୯ ଓ ବାଳକାଟିର ୧୮ଜଣ ଓ ବାଣପୁରରୁ ୧୫ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି। ତେବେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି ଯେ ଆଜି ସୁଦ୍ଧା ୪୬୫ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ତା ମଧ୍ୟରୁ ୩୧୭ଟିର ରିପୋର୍ଟ ଆସିଛି ଓ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଛି। ତେବେ ୫୦ ନମ୍ବର କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବାଣପୁରର ଏକ ପରିବାରର ୧୪ଜଣଙ୍କ ରିପୋର୍ଟ ସମ୍ପର୍କରେ ସେ ଜାଣନ୍ତି ନାହିଁ, ଏନେଇ ବୁଝି କହିବେ ବୋଲି କହିଛନ୍ତି। ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ବରଞ୍ଜନ ପତି କହିଛନ୍ତି ଯେ ଗତକାଲି ଜିଲ୍ଲାରୁ ୫୫ ନମୁନା ଯାଇଥିଲା। ଆଜି ୧୦୦ ପାଖାପାଖି ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପଠାଯାଇଛି। ତେବେ ଜିଲ୍ଲାରେ ଖୋଲାଯାଇଥିବା ଜରୁରୀକାଳୀନ ସ୍ବାସ୍ଥ୍ୟ ପରୀକ୍ଷଣ କେନ୍ଦ୍ର ମଧ୍ୟରୁ କେତେ କାର୍ଯ୍ୟକ୍ଷମ ହୋଇଛି ସେନେଇ ସେ କୌଣସି ତଥ୍ୟ ସଂଗ୍ରହ କରିନାହାନ୍ତି ବୋଲି କହିଛନ୍ତି। ଅପରପକ୍ଷରେ ବାଣପୁରର ବଡ଼ହନ୍ତୁଆଡ଼ରୁ ୧୪ ଜଣଙ୍କ ସଂଗୃହିତ ରିପୋର୍ଟ ଏଯାଏଁ ଆସିନଥିବା ଓ ସମସ୍ତଙ୍କୁ ହୋମ୍ କ୍ବାରାଣ୍ଟିନ୍‌ ରଖାଯାଇଛି ବୋଲି ଡା. ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର