ଖୋର୍ଧା: ସାକ୍ଷରତା ହାରରେ ଆଗୁଆ, ପରିମଳରେ ପଛୁଆ

୪୮% ପରିବାର ବାହାରେ ମଳତ୍ୟାଗ କରୁଛନ୍ତି

ଖୋର୍ଧା:ରାଜଧାନୀ ଭୁବନେଶ୍ୱରକୁ ମିଶାଇ ଖୋର୍ଧା ଜିଲ୍ଲା ସାକ୍ଷରତା ହାରରେ ରାଜ୍ୟର ଏକ ନମ୍ବରରେ ରହିଛି। କିନ୍ତୁ ପରିମଳ କ୍ଷେତ୍ରରେ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଖୋର୍ଧା ଢେର୍‌ ପଛରେ ପଡ଼ି ଯାଇଛି। ସଚେତନତା ଅଭାବରୁ ଏବେ ବି ଜିଲ୍ଲାର ୪୮ ପ୍ରତିଶତ ପରିବାରଙ୍କ ଘରେ ପାଇଖାନା ନାହିଁ। ଜିଲ୍ଲାର ପ୍ରାୟ ୨ ଲକ୍ଷ ୪୪ ହଜାର ୯୨୩ଟି ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୬ ହଜାର ୯୮୭ଟି ପରିବାର ପାଇଖାନା ଅଭାବରୁ ବାହାରେ ମଳତ୍ୟାଗ କରୁଛନ୍ତି। ଜିଲ୍ଲା ଜଳ ଓ ପରିମଳ ମିସନ୍‌ ପରିଚାଳନାର ଏକ ସମୀକ୍ଷା ବୈଠକରୁ ଏହି ତଥ୍ୟ ଏବେ ପଦାକୁ ଆସିଛି। ୨୦୧୯ ସୁଦ୍ଧା ଓଡ଼ିଶାକୁ ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ କରିବାକୁ ସରକାର ପଦକ୍ଷେପ ନେଇଥିବା ବେଳେ ଅବଧି ସରିବାର ବର୍ଷକ ପୂର୍ବର ଏହି ପରିସଂଖ୍ୟାନ ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ସ୍ୱଚ୍ଛ ଭାରତ ମିସନ୍‌ କିପରି କାର୍ଯ୍ୟ କରୁଛି, ତାହା ଏବେ ଜଳଜଳ ହୋଇ ଦିଶୁଛି। ତେବେ ଏହି ପରିସଂଖ୍ୟାନକୁ ଶୀଘ୍ର ସଜାଡ଼ିବା ପାଇଁ ଏବେ ବିଭାଗ ତତ୍ପରତା ଦେଖାଇଛି। ଜିଲ୍ଲାରେ ପରିମଳ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ୧ ଲକ୍ଷ ୨୬ ହଜାର ୯୮୭ ଜଣ ପରିବାରଙ୍କୁ ପାଇଖାନା ଯୋଗାଇବା ନିମନ୍ତେ ୧୪୪ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ଚିଠା ପ୍ରସ୍ତାବରେ ବ୍ୟବସ୍ଥା କରାଯାଇଛି। ଖୋର୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରୁ ଜଣାଯାଇଛି, ଭୁବନେଶ୍ୱର ବ୍ଲକ୍‌ରେ ୩୫ପ୍ରତିଶତ ପରିବାରଙ୍କ ପାଇଖାନା ନାହିଁ। ସେମାନେ ବାହାରେ ମଳତ୍ୟାଗ କରୁଛନ୍ତି। ଖୋର୍ଧା ବ୍ଲକରେ ମଧ୍ୟ ୪୯, ବେଗୁନିଆ ଓ ଟାଙ୍ଗୀ ବ୍ଲକରେ ୫୬, ଚିଲିକା ବ୍ଲକରେ ୫୮, ବାଲିଅନ୍ତାରେ ୪୧, ବାଲିପାଟଣାରେ ୫୫, ବୋଲଗଡ଼ରେ ୫୦, ବାଣପୁରରେ ୪୮ ଓ ଜଟଣୀରେ ୪୬ ପ୍ରତିଶତ ପରିବାରଗୁଡ଼ିକରେ ପାଇଖାନା ନଥିବାରୁ ସେମାନେ ବାହାରେ ମଳତ୍ୟାଗ କରୁଛନ୍ତି।

ସମ୍ବନ୍ଧିତ ଖବର