ଖଣ୍ଡଗିରି: ଗୁରୁବାର ରାତି ପ୍ରାୟ ୧୦ଟାବେଳେ ଯାଁଳାରୁ ଏକ ବିରଳ ଧଳା ଭାଲୁ ଛୁଆକୁ ଖୋର୍ଧା ବନ ବିଭାଗ ଉଦ୍ଧାର କରିଛି। ପ୍ରାୟ ୨/୩ ମାସର ଏହି ଅଣ୍ଡିରା ଛୁଆଟିକୁ ମା’ ଭାଲୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏହି ଧଳା ଭାଲୁ କୁଆଡ଼ୁ ଆସିଲା ବୋଲି ବନ ବିଭାଗ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାଁଳା ରାଧାମାଧବ କ୍ରିକେଟ୍ ପଡ଼ିଆରେ କିଛି ଯୁବକ ବୁଲୁଥିବାବେଳେ ଏହି ଛୁଆଟିକୁ ଦେଖିବାକୁ ପାଇଥିଲେ। ପ୍ରଥମେ ଯୁବକମାନେ ତାକୁ କାହାର ଏକ ପୋଷା ବିଲାତି କୁକୁର ବୋଲି ଭାବିଥିଲେ। ମାତ୍ର ମୋବାଇଲ୍ ଲାଇଟ୍ ପଡ଼ିବା ପରେ ତାହା ଏକ ଭାଲୁ ଛୁଆ ବୋଲି ଜଣାପଡ଼ିଥିଲା। କିନ୍ତୁ ବିଚିତ୍ର କଥା ହେଉଛି ମୋବାଇଲ୍ ଲାଇଟ୍ ପଡ଼ିବା ପରେ ଭାଲୁ ଛୁଆଟି ଯୁବକମାନଙ୍କୁ ନ ଡରି ସେମାନଙ୍କ ପାଖକୁ ଆସିଥିଲା। ତେଣୁ ଯୁବକମାନେ ଗଙ୍ଗପଡ଼ାର ସାପ ଧରାଳି ମିଲନ୍ କର ସହଯୋଗରେ ତାକୁ ଧରି ଖୋର୍ଧା ବନ ବିଭାଗକୁ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଧାମାଧବ କ୍ରିକେଟ୍ ପଡ଼ିଆକୁ ଲାଗି ଏକ ଘଞ୍ଚ କାଜୁ ଜଙ୍ଗଲ ରହିଛି। ସେହି ଜଙ୍ଗଲରେ ମା’ ଭାଲୁ ରହୁଥିବା ଅନୁମାନ କରାଯାଉଛି। ଛୁଆଟି ବାଟବଣା ହୋଇ ପଡ଼ିଆକୁ ବାହାରି ଆସିଥାଇ ପାରେ କିମ୍ବା ଯୁବକମାନଙ୍କୁ ଦେଖି ଭୟରେ ମା’ ଭାଲୁଟି ଛୁଆକୁ ଛାଡ଼ି ବଣକୁ ପଳାଇଥିବା ଚର୍ଚ୍ଚା ହେଉଛି।
ବିରଳ ଧଳା ଭାଲୁ ଛୁଆକୁ ଉଦ୍ଧାର କରିଛି ଖୋର୍ଧା ବନ ବିଭାଗ
/sambad/media/post_attachments/wp-content/uploads/2020/01/d5g64jhg65js654fjh6sf54jh65fshfshsfhsfhfshfshsrhrhrah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)