ଖୋର୍ଦ୍ଧା ଜିଲ୍ଲାରେ ସ୍ବାସ୍ଥ୍ୟ‌ସେବା ବିପର୍ଯ୍ୟସ୍ତ: ଖାଲି ପଡ଼ିଛି ଡାକ୍ତର ପଦ, ଉନ୍ନତି ହେଉଛି କୋଠା ନିର୍ମାଣ‌ରେ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। ଜନସଂଖ୍ୟା ଘନତ୍ବ ଦୃଷ୍ଟିରୁ ଏହା ରାଜ୍ୟର ଅନ୍ୟତମ ଜନବହୁଳ ଜିଲ୍ଲା। ଏହା ସତ୍ତ୍ବେ ଜିଲ୍ଲାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ସଜଡ଼ା ଯାଇପାରୁ ନାହିଁ। ପ୍ରତିବର୍ଷ ସ୍ବାସ୍ଥ୍ୟକେନ୍ଦ୍ର, ଡିସ୍‌ପେନସାରି, ଚିକିତ୍ସାଳୟର ଅତିରିକ୍ତ କୋଠା ନିର୍ମାଣ କରାଯାଉଛି, କିନ୍ତୁ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ସାମଗ୍ରୀର ଅଭାବ ଯୋଗୁଁ ଏହା ପରବର୍ତ୍ତୀ ସମୟରେ ଭୂତକୋଠିରେ ପରିଣତ ହେଉଛି। ପରିସ୍ଥିତି ଏମିତି ଯେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ୫୩ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି। ଗ୍ରାମାଞ୍ଚଳର ସ୍ଥିତି ଆହୁରି ସଙ୍ଗିନ। ୨୬ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଟିକା କେନ୍ଦ୍ର ଓ ଅତିରିକ୍ତ ନିରାମୟ କାଉଣ୍ଟରର ଲୋକାର୍ପଣ କରିଥିଲେ। ଡାକ୍ତରଖାନାରେ ଡାକ୍ତର ଓ ଚିକିତ୍ସା ସାମଗ୍ରୀର ଅଭାବକୁ ନେଇ ପ୍ରଶ୍ନ ହେବାରୁ ‘ଆଗକୁ ସବୁ ସମାଧାନ ହୋଇଯିବ’ ବୋଲି ପ୍ରତିଶ୍ରୁତି ଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ବର୍ତ୍ତମାନ ମିଳିଥିବା ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ୧୨ କୋଟି ଟଙ୍କା ଅନୁଦାନ ମିଳିଛି। ସେହିଭଳି ୨୦୧୯–୨୦ ଆର୍ଥିକ ବର୍ଷରେ ଅଙ୍କୁଳାଚଟି ଠାରେ ୩୩.୪୭ଲକ୍ଷ ଟଙ୍କା ବ୍ୟୟରେ ଏକ ଆୟୁର୍ବେଦ ଡିସ୍‌ପେନ୍‌ସାରି, ସୁନାଖଳା ଓ ବାଣପୁରର ନୀଳାଦ୍ରି ପ୍ରସାଦରେ ପ୍ରତ୍ୟେକ ୬୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ରୁରାଲ୍ ୱାର୍କସ ବିଭାଗ ବ୍ୟୟ ଅଟକଳ ପ୍ରସ୍ତୁତ କରି ଜିଲ୍ଲା ସ୍ବାସ୍ଥ୍ୟାଧିକାରୀଙ୍କ ନିକଟକୁ ପଠାଇଛି। ବର୍ତ୍ତମାନ ଜିଲ୍ଲାରେ ଭୁବନେଶ୍ବର କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ମିଶାଇ ୨ଟି ମୁଖ୍ୟ ଚିକିତ୍ସାଳୟ, ୧୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୨୧ଟି ଆୟୁର୍ବେଦ ଚିକିତ୍ସାଳୟ ଓ ଡିସ୍‌ପେନ୍‌ସାରି, ୨୬ଟି ହୋମିଓପ୍ୟାଥିକ ହସ୍‌ପିଟାଲ୍ ଓ ଡିସ୍‌ପେନସାରି, ୨୦୨ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ଜିଲ୍ଲା ସ୍ବାସ୍ଥ୍ୟାଧିକାରୀ ଡା. ବିଶ୍ବମୋହନ ପତିଙ୍କ କହିବାନୁସାରେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୭୫ଟି ଡାକ୍ତର ପଦବି ମଞ୍ଜୁର ହୋଇଛି। ସେଥି ମଧ୍ୟରୁ ୫୦ ଜଣ ନିୟୋଜିତ ହୋଇଛନ୍ତି। ସେହି ୫୦ ଜଣଙ୍କ ମଧ୍ୟରୁ ୧୫ ଜଣ ବିଭିନ୍ନ ଡାକ୍ତରଖାନାକୁ ଡେପୁଟେସନ୍‌ରେ ଯାଇଛନ୍ତି। ଏପରି ସ୍ଥଳେ ମାତ୍ର ୩୫ ଡାକ୍ତରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାଲିଛି।

ଅପର ପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୈନିକ ୪ ହଜାରରୁ ୫ ହଜାର ରୋଗୀ ଆସନ୍ତି। ଏହି ଆକଳନରେ ଦିନକୁ ଜଣେ ଡାକ୍ତରଙ୍କୁ ପ୍ରାୟ ୧୪୦ ଜଣ ରୋଗୀଙ୍କୁ ଦେଖିବାକୁ ପଡ଼ିଥାଏ। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ଥିବା ପିଏଚ୍‌ସି, ସିଏଚ୍‌ସିଗୁଡ଼ିକରେ ମୁଖ୍ୟଚିକିତ୍ସାଳୟଠାରୁ ମଧ୍ୟ ଆହୁରି ଦୟନୀୟ ସ୍ଥିତି ପରିଲକ୍ଷିତ ହୋଇଛି। ଏହି କଥାକୁ ଖୋଦ୍‌ ସ୍ବାସ୍ଥ୍ୟାଧିକାରୀ ସ୍ବୀକାର କରିଛନ୍ତି। ସେହିଭଳି ଜିଲ୍ଲାର ମୋଟ ୩୩୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର, ପିଏଚ୍‌ସି, ସିଏଚ୍‌ସି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆୟୁର୍ବେଦ ଓ ହୋମିଓପ୍ୟାଥିକ ହସ୍‌ପିଟାଲ୍‌ ପାଇଁ କେବଳ ୪୧ଟି ଆମ୍ବୁଲାନ୍ସ ରହିଛି। ଅର୍ଥାତ୍ ୮ଟି ସ୍ବାସ୍ଥ୍ୟସେବା କେନ୍ଦ୍ର ନିମନ୍ତେ ଗୋଟିଏ ଆମ୍ବୁଲାନ୍ସ। ଜିଲ୍ଲାରେ ଥିବା ଚିକିତ୍ସା କେନ୍ଦ୍ରଗୁଡ଼ିକରେ ଡାକ୍ତର ଓ କର୍ମଚାରୀଙ୍କ ସହ କୁକୁର କାମୁଡ଼ା, ସାପ କାମୁଡ଼ା ଔଷଧ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଭିତ୍ତିଭୂମି ଏବଂ ଔଷଧର ଅଭାବ ଯୋଗୁ ଗତ ୫ ବର୍ଷ ମଧ୍ୟରେ ରକ୍ତହୀନତାରେ ୧୫୯ ଜଣ, ଝାଡ଼ାବାନ୍ତିରେ ୪ ଜଣ, ଯକ୍ଷ୍ମାରୋଗରେ ୧୯୧ ଜଣ, ସାପ କାମୁଡ଼ାରେ ୭୮ ଜଣ, ପାଣିରେ ବୁଡ଼ି ୫୬ ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ଶିଶୁମୃତ୍ୟୁ ହାର ୬୭ ରହିଥିବା ବେଳେ ମାତୃ ମୃତ୍ୟୁ ହାର ୨୧୮ ରହିଛି। ତେଣୁ ଭିତ୍ତିଭୂମି ବିକାଶ ସହିତ ବିଭିନ୍ନ ଡାକ୍ତରଖାନାରେ ଯେପରି ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର