ଖୋର୍ଦ୍ଧା ଜିଲ୍ଲା: ୩୧ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର

ଖୋର୍ଦ୍ଧା: ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ଯତ୍ନ ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଅଧିକ ପ୍ରଚାର ଓ ସଚେତନତା ସୃଷ୍ଟି କରାଯିବା ସହ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିରେ ସର୍ବାଧିକ ମାନବ ସମ୍ବଳର ମଧ୍ୟ ବିନିଯୋଗ କରାଯାଇଛି। ଏହାସତ୍ତ୍ବେ ରାଜ୍ୟର ଅନ୍ୟତମ ଶିକ୍ଷିତ ଜିଲ୍ଲା ଖୋର୍ଦ୍ଧାରେ ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ସ୍ବାସ୍ଥ୍ୟ ସେବା ରାଜ୍ୟର ହାରାହାରି ଅନୁପାତଠାରୁ କମ୍ ରହିଛି। ସଚେତନତା ଅଭାବରୁ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୩୧ପ୍ରତିଶତ ଗର୍ଭବତୀ ମହିଳା ଗୁରୁତର ରକ୍ତହୀନତାରେ ଶିକାର ହୋଇଛନ୍ତି। ୨୦୧୭ରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍ଏଫ୍ଏଚ୍ଏସ୍‌–୪)ପ୍ରକାଶ ପାଇଥିଲା। ଏଥିରେ ପୂର୍ବ ୫ବର୍ଷ ଅର୍ଥାତ୍ ୨୦୧୨ରୁ ୨୦୧୬ ମଧ୍ୟରେ ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ସ୍ବାସ୍ଥ୍ୟ ସେବା (ଆଣ୍ଟିନେଟ୍‌ଲ କେୟାର) ପ୍ରଦାନ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲା ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ହାରାହାରି ଅନୁପାତଠାରୁ କମ୍ ଥିବା ଦର୍ଶାଯାଇଛି। ସର୍ଭେ ରିପୋର୍ଟ ଅନୁସାରେ, ସନ୍ତାନ ପ୍ରସବ ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଅତି କମ୍‌ରେ ୪ଥର ପରାମର୍ଶ ଗ୍ରହଣ କରିଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲା ୬୧ ପ୍ରତିଶତ ରହିଥିବା ବେଳେ ରାଜ୍ୟସ୍ତରରେ ଏହାର ହାର ୬୨ପ୍ରତିଶତ ରହିଛି। ସେହିଭଳି ସ୍ବୀକୃତିପ୍ରାପ୍ତ, ପ୍ରଶିକ୍ଷିତ ଧାଈ କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବର ହାର ଖୋର୍ଦ୍ଧା ଜିଲ୍ଲାରେ ୮୫ ପ୍ରତିଶତ ରହିଛି। ଅର୍ଥାତ୍ ୧୫ପ୍ରତିଶତ ଗର୍ଭବତୀ ମହିଳା ବର୍ତମାନ ସୁଦ୍ଧା ପାରମ୍ପରିକ ପ୍ରସବ ପଦ୍ଧତିକୁ ଗ୍ରହଣ କରୁଛନ୍ତି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରେ ପ୍ରସବ, ଗର୍ଭବତୀ ମହିଳାଙ୍କ ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ସ୍ବାସ୍ଥ୍ୟ ସେବା ନିମନ୍ତେ ବହୁଳ ପ୍ରଚାର ଓ ପ୍ରସାର କରାଯାଇଥିଲା। ଏହାର ୧ବର୍ଷ ପରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ସ୍ବାସ୍ଥ୍ୟ ସେବାରେ କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ୨୦୧୭–୧୮ଏନ୍ଆରଏଚ୍‌ଏମ୍‌ ତଥ୍ୟାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ସେହି ବର୍ଷ ୨୮,୨୫୪ଜଣ ଗର୍ଭବତୀ ମହିଳା ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫,୯୧୯ଜଣ ପ୍ରଥମ ତିନିମାସ ପୂର୍ବରୁ ପଞ୍ଜୀକୃତ କରାଇଥିବା ବେଳେ ପ୍ରାୟ ଅଢେ଼ଇ ହଜାର ଗର୍ଭବତୀ ମହିଳା ପ୍ରଥମ ତିନି ମାସର ସରକାରୀ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ପଞ୍ଜୀକୃତ ହୋଇଥିବା ସମସ୍ତ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪ଥର ଆଣ୍ଟିନେଟ୍‌ଲ କେୟାର ପରୀକ୍ଷଣର ସୁବିଧା ପାଇଥିବା ମହିଳାଙ୍କ ସଂଖ୍ୟା ହେଉଛି ୬୯.୩ ପ୍ରତିଶତ ଅର୍ଥାତ୍ ୩୦.୭ ପ୍ରତିଶତ ପଞ୍ଜୀକୃତ ଗର୍ଭବତୀ ମହିଳା ପ୍ରାକ୍ ଜନ୍ମ ସଂକ୍ରାନ୍ତୀୟ ପରୀକ୍ଷଣରୁ ବଞ୍ଚିତ ରହିଛନ୍ତି। ସେହିଭଳି ଟିଟିଟୁ ଓ ଟିଟି ବୁଷ୍ଟର ପାଇଥିବା ମହିଳାଙ୍କ ସଂଖ୍ୟା ମୋଟ ପଞ୍ଜୀକୃତ ଗର୍ଭବତୀ ମହିଳାଙ୍କ ୭୭ପ୍ରତିଶତ ଥିବା ବେଳେ ୧୮୦ ଆଇଏଫ୍ଏ (ଆଇରନ୍ ଫଲିକ୍ ଏସିଡ୍) ପାଇଥିବା ମହିଳାଙ୍କ ସଂଖ୍ୟା ୮୦.୮ ପ୍ରତିଶତ। ରିପୋର୍ଟରେ ଦର୍ଶାଯାଇଛି ଯେ, ଗୁରୁତର ରକ୍ତହୀନତାରେ ଶିକାର ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା ୩୦.୯ ପ୍ରତିଶତ। ସେହିଭଳି ନିକଟରେ ସ୍ବୀକୃତିପ୍ରାପ୍ତ ଓ ପ୍ରଶିକ୍ଷିତ ଧାଈଙ୍କ ଉପସ୍ଥିତିରେ ଘରେ ପ୍ରସବ ହୋଇଥିବା ମହିଳାଙ୍କ ଅନୁପାତିକ ହାର ୪୧.୯ ପ୍ରତିଶତ ହୋଇଥିବା ବେଳେ ଘରୋଇ ଓ ସରକାରୀ ଅନୁଷ୍ଠାନରେ ୬୭.୬ ପ୍ରତିଶତ ଶିଶୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର