‘ଖୁସି’ ଆଣିଛି ଖୁସି

ମାସିକ ଋତୁସ୍ରାବ ସମୟରେ ଗ୍ରାମାଞ୍ଚଳର ମହିଳା ଓ ବାଳିକାମାନେ ପାରମ୍ପରିକ ଉପାୟରେ ବ୍ୟବହାର କରୁଥିବା କପଡ଼ା ଯୋଗୁଁ ବହୁ ରୋଗରେ ପୀଡ଼ିତ ହୋଇଥାନ୍ତି। ସ୍ୱଚ୍ଛତାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ତେଣୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ନୂଆ ଯୋଜନା ‘ଖୁସି’ ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କିଶୋରୀ ଓ ବାଳିକାମାନଙ୍କୁ ମିଳିବ ସାନିଟାରି ନାପ୍‌କିନ୍‌। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ମାଗଣାରେ ଏହି ନାପକିନ୍‌ ଯୋଗାଇ ଦିଆଯିବ। ଏହାଛଡ଼ା ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଗାଁଗହଳରେ ମହିଳାମାନଙ୍କୁ ମାସକୁ ୬ ଟଙ୍କାରେ ୬ଟି ନାପକିନ୍‌ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ କିଶୋରୀ ଓ ମହିଳାମାନେ ତ ଖୁସି ହୋଇଛନ୍ତି, ରାଜଧାନୀର ମହିଳା ସମାଜସେବୀମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି।

ଏକ ଭଲ ପ୍ରୟାସ
ଏହା ଏକ ଭଲ ପ୍ରୟାସ। କିଶୋରୀ ଓ ମହିଳାଙ୍କ ପାଇଁ ‘ଖୁସି’ ଯୋଜନା ସତରେ ଗୋଟେ ଖୁସି। ଏବେ ସରକାରଙ୍କ ତରଫରୁ ୧୭ଲକ୍ଷ ଛାତ୍ରୀମାନଙ୍କୁ ସାନିଟାରି ନାପ୍‌କିନ୍‌ ବଣ୍ଟାଯିବ। ଏହା କିଶୋରୀ ଓ ମହିଳାମାନଙ୍କ ପାଇଁ ରାଜ୍ୟରେ ସତରେ ଏକ ଖୁସିର ମାହୋଲ ଆଣିଦେଇଛି। ମହିଳା ଓ ଝିଅମାନଙ୍କୁ ନିରୋଗ ରଖିବା ପାଇଁ ସରକାରଙ୍କ ଏହା ଏକ ସୁନ୍ଦର ପଦକ୍ଷେପ। ମାସିକ ଋତୁସ୍ରାବ ଯୋଗୁଁ ହେଉଥିବା ରୋଗ ସଂକ୍ରମଣ ଜନିତ ସମସ୍ୟାର ସମାଧାନ ହୋଇପାରିବ।
ପ୍ରୀତିଛନ୍ଦା ଧଳ, ସମାଜସେବୀ

କିଶୋରୀ ଓ ମହିଳାଙ୍କୁ ସଚେତନ କରିବାକୁ ପଡ଼ିବ
ସରକାରଙ୍କ ‘ଖୁସି’ ଯୋଜନା ସ୍ୱାଗତଯୋଗ୍ୟ। କିନ୍ତୁ ଏଥିପ୍ରତି ପ୍ରଥମେ କିଶୋରୀ ଓ ମହିଳାଙ୍କୁ ଏହି ପରିଚ୍ଛନ୍ନତା ନେଇ ସଚେତନ କରିବା ଦରକାର। ଏବେ ବି ବହୁତ ମହିଳା ଅଛନ୍ତି ଯେଉଁମାନେ ଏହି ସଂକ୍ରମିତ ରୋଗରେ ପୀଡ଼ିତ। ସେଥିପାଇଁ ସମସ୍ତ ଗାଁରେ ମହିଳାଙ୍କୁ, ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ସଚେତନ କରିବାକୁ ପଡ଼ିବ। ଏହାର ଗୁରୁତ୍ୱ ବୁଝାଇବାକୁ ପଡ଼ିବ। ସରକାରଙ୍କର ଯଦି ଏହି ଯୋଜନା ସଫଳ ହୋଇଯିବ ତେବେ ମହିଳାମାନେ ଭୋଗୁଥିବା ଏହି ସଂକ୍ରମିତ ସମସ୍ୟା ଦୂରେଇଯିବ। ମହିଳା ନିରୋଗ ରହିଲେ ଜନ୍ମିତ ପିଲା ମଧ୍ୟ ସୁସ୍ଥ ରହିବ ଓ ଏକ ସୁସ୍ଥ ପରିବେଶ ମଧ୍ୟ ତିଆରି ହେବ।
ଅନୁରାଧା ମହାନ୍ତି, ସଂପାଦିକା ‘ପିକକ୍‌’

ମାନସିକତାରେ ପରିବର୍ତନ ହେବ
ଡେରିରେ ହେଲେ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ ସାନିଟାରି ନାପ୍‌କିନ୍‌ ବଣ୍ଟନ କରାଯିବାର ବ୍ୟବସ୍ଥା ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ। ଗାଁରେ ମହିଳାମାନଙ୍କୁ ମାତ୍ର ଏକ ଟଙ୍କାରେ ଏହି ସାନିଟାରି ନାପ୍‌କିନ୍‌ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବାରୁ ଆର୍ଥିକ ସଙ୍କଟ ଯୋଗୁଁ ଯେଉଁମାନେ ଏହି ସାମଗ୍ରୀ କିଣିପାରୁନଥିଲେ ସେମାନେ ଏବେ ସୁବିଧାରେ ପାଇପାରିବେ। ତେବେ ଏହା ଦ୍ୱାରା ଆମ ଲୋକମାନଙ୍କର ମାନସିକତାରେ ଯେଉଁ ପରିବର୍ତ୍ତନ ହେବ ସେଇଟା ହିଁ ସବୁଠାରୁ ବଡ଼ କଥା ନିଶ୍ଚୟ।
ପୂଜାଫୁଲ ପଟ୍ଟନାୟକ, ସମାଜସେବୀ

ଏକ ସୁନ୍ଦର ପଦକ୍ଷେପ
ଏହା ଏକ ଖୁବ ସୁନ୍ଦର ପଦକ୍ଷେପ। ‘ଖୁସି’ ବିଶେଷ କରି ଗରିବ ଓ ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏହି ସାନିଟାରି ନାପ୍‌କିନ୍‌ ସ୍କୁଲ ଝିଅମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ ଭଲ ରହିବ। ତେବେ ଗ୍ରାମାଞ୍ଚଳରେ ଅଙ୍ଗନଓ୍ଵାଡ଼ି ଏବଂ ଆଶାକର୍ମୀମାନଙ୍କୁ ଯଦି ଏହି ବିଷୟରେ ତାଲିମ ଦିଆଯାଇ ସେଠାରେ ବଣ୍ଟନର ବ୍ୟବସ୍ଥା କରାଯିବ ତେବେ ଆଉ ଟିକେ ଭଲ ହୋଇପାରିବ। ଝିଅମାନଙ୍କ କ୍ଷେତ୍ରରେ ଜରାୟୁ କ୍ୟାନସର ପାଇଁ ଯେଉଁ ଭୟ ରହୁଛି, ଏହି ବ୍ୟବସ୍ଥା ଦ୍ୱାରା ତାହା କିଛି ମାତ୍ରାରେ କମିଯାଇପାରିବ ବୋଲି ମୁଁ ଭାବୁଛି।
ଲୋରା ମହାପାତ୍ର, ସମାଜସେବୀ

ସମ୍ବନ୍ଧିତ ଖବର