ଟ୍ରକ ଚାଳକଙ୍କୁ ମାଡ଼ ମାରି ଅପହରଣ, ୨ ଗିରଫ

ଭୁବନେଶ୍ବର: ପଳାସୁଣୀ ଓଭରବ୍ରିଜ୍‌ ନିକଟରେ ଜଣେ ଟ୍ରକ୍‌ ଚାଳକଙ୍କୁ ମାଡ଼ମାରି ଅପହରଣ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହଲେ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର ସୁବ୍ରତ ରାଉତ(୨୪) ଓ ଭୋଟପଡ଼ା ଅଞ୍ଚଳର କୃଷ୍ଣ ଚନ୍ଦ୍ର ରାଜ(୩୦)। ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଦୀପକ ପ୍ରଧାନ ପାତ୍ରପଡ଼ା ଗ୍ୟାରେଜ୍‌ରୁ ଟ୍ରକ୍‌ ଧରି ମଙ୍ଗୁଳି ଯାଉଥିଲେ। ସୁବ୍ରତ, କୃଷ୍ଣ ଓ ସନ୍ତୋଷ ଏକ ବୁଲେଟ୍‌ରେ ଦୀପକଙ୍କୁ ପିଛା କରିଥିଲେ। ସେ ପଳାସୁଣୀ ଓଭରବ୍ରିଜ୍‌ ନିକଟରେ ଯାଉଥିବା ସମୟରେ ସେମାନେ ଟ୍ରକ୍‌ ଅଟକାଇ ଦୀପକଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଛଡ଼ାଇଥିଲେ। ଦୀପକ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଦୌଡ଼ି ଆସିଥିଲେ। ଏହା ଦେଖି ସୁବ୍ରତ ଓ ସନ୍ତୋଷ ଦୀପକଙ୍କୁ ବୁଲେଟ୍‌ରେ ଧରି ଫେରାର୍‌ ହୋଇଯାଇଥିଲେ। ହେଲେ କୃଷ୍ଣକୁ ଲୋକମାନେ କାବୁ କରିଥିଲେ। ନିସ୍ତୁକ ମାଡ଼ମାରି ପୁଲିସକୁ ଜଣାଇଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣକୁ ଗିରଫ କରି ଥାନାକୁ ନେଇଥିଲା। ସେଠାରେ ତାକୁ ପଚରାଉଚରା ପରେ ପୁଲିସ ମଞ୍ଚେଶ୍ବର ଅଞ୍ଚଳରୁ ଦୀପକକୁ ଉଦ୍ଧାର କରିବା ସହ ସୁବ୍ରତକୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି। ଦୀପକଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର