ପରୀ ଅପହରଣ ଓ ମୃତ୍ୟୁ ଘଟଣା: ମାନବାଧିକାର କମିସନ୍‌ଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ନାବାଳିକା ଝିଅ ପରୀ ଅପହରଣ ଓ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିସନଙ୍କୁ ଆଜି କଂଗ୍ରେସ ଫେରାଦ କରିଛି। ଏହି ଘଟଣାକୁ ୩ମାସ ବିତି ଯାଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏନେଇ ପୁଲିସ ଡିଜି ଓ ଗୃହ ସଚିବ ତୁରନ୍ତ ଜବାବ ରଖିବା ସହ ପରିବାରବର୍ଗଙ୍କୁ ସୁରକ୍ଷା ଓ କ୍ଷତିପୂରଣ ପ୍ରଦାନ ପାଇଁ ଓଏଚ୍‌ଆର୍‌ସିଙ୍କୁ ଦଳ ପ୍ରାର୍ଥନା କରିଛି।

ପ୍ରଦେଶ କଂଗ୍ରେସ ପକ୍ଷରୁ ଦଳୀୟ ନେତା ବିପିନ୍‌ ଦାଶଙ୍କ ନେତୃତ୍ବରେ ଦଳର ୬ ଜଣିଆ ପ୍ରତିନିଧିମଣ୍ଡଳ କମିସନ୍‌ଙ୍କ ରେଜିଷ୍ଟ୍ରାର୍‌ଙ୍କୁ ଭେଟି ପିଟିସନ୍‌ ପ୍ରଦାନ କରିଛନ୍ତି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ଗତ ଜୁଲାଇ ୧୪ ତାରିଖରେ ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକା ଝିଅ ପରୀର ଅପହରଣ ସମ୍ପର୍କରେ ପରିବାର ପକ୍ଷରୁ ନୟାଗଡ଼ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଠିକ୍‌ ୭ ଦିନ ପରେ ତାଙ୍କ ଘର ପାଖରେ ଥିବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ନାବାଳିକା ଝିଅ ପରୀର ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା। ପରିବାର ପକ୍ଷରୁ ଦାୟର ହୋଇଥିବା ଅଭିଯୋଗ ଉପରେ ଯଦି ପୁଲିସ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା’ନ୍ତା, ତାହେଲେ ନାବାଳିକାର ଜୀବନଟି ବଞ୍ଚି ପାରିଥାନ୍ତା। ଖାଲି ସେତିକି ନୁହେଁ, ସରକାରୀ ଦଳର ସମ୍ପୃକ୍ତି ଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର