ଆଜି ରାତିରୁ ‘କିଡ୍‌ନାପ କମ୍ପାନି’ ମଞ୍ଜରୀର ନୂଆ ହାସ୍ୟ ଧାରାବାହିକ

ଭୁବନେଶ୍ବର: ଶୁକ୍ରବାରରୁ ଓଡ଼ିଶାର ପ୍ରଥମ ୨୪ ଘଣ୍ଟିଆ ମନୋରଞ୍ଜନ ଚାନେଲ ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ନୂଆ ହାସ୍ୟରସାତ୍ମକ ଧାରବାହିକ ‘କିଡ୍‌ନାପ କମ୍ପାନି’। ଏହା ପ୍ରତି ଶୁକ୍ରବାର–ଶନିବାର ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେବ। ଘଟଣାକ୍ରମେ ବିଫଳତାର ସ୍ବାଦ ଚାଖିଥିବା ତିନି ଜଣ ଲୋକ ଆଉ ଜଣେ ଟିକ୍‌ଟକ୍‌ କୁଇନଙ୍କ ମୁଣ୍ଡରେ ଢୁକେ ଗୋଟିଏ ଅଦ୍ଭୁତ ଯୋଜନା। ସେମାନେ ତିଆରି କରନ୍ତି ଏକ କମ୍ପାନି; ଆଉ ତାହାର ନାଁ ଦିଅନ୍ତି ‘କିଡ୍‌ନାପ କମ୍ପାନି’। ଏହି କମ୍ପାନି ଓ ସେମାନଙ୍କର କାର୍ଯ୍ୟକଳାପ ତାଙ୍କୁ ଆଗାମୀ ଦିନରେ ସଫଳତା ଦେଉଛି ନା ପ୍ରତି ପଦକ୍ଷେପରେ ବିଫଳତାର ସ୍ବାଦ ଚଖାଉଛି ଏହାକୁ ନେଇ କାହାଣୀଟି ଗତିଶୀଳ। ପ୍ରଜ୍ଞାନ, ଶଙ୍କର, ପ୍ରଣବ ଓ ସୁଶ୍ରୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଚୌଧୁରୀ ଜୟପ୍ରକାଶ ଦାସ, ଧୀର ମଲ୍ଲିକ, ଜୀବନ ପଣ୍ତା, ସୁଶାନ୍ତ ମହାପାତ୍ର, ଶକ୍ତି ବରାଳ, ବିପ୍ଳବ ଓ ପିଙ୍କି ପ୍ରମୁଖଙ୍କୁ ଏହି ଧାରାବାହିକରେ ଦେଖିବାକୁ ମିଳିବ।

ଅମିୟ ପଟ୍ଟନାୟକ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଧାରିବାହିକର ନିେର୍ଦ୍ଦଶନା ଓ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ। ପ୍ରଣବ ପ୍ରସନ୍ନ ଏଥିରେ ଅଭିନୟ କରିବା ସହିତ ଏହାର କାହାଣୀ ଲେଖିଛନ୍ତି। ଏହି ଧାରାବହିକର ସଂଗୀତ ଦାୟିତ୍ବରେ ଅନୁରାଗ ପଟ୍ଟନାୟକ ଥିବା ବେଳେ ଚିତ୍ର ଉତ୍ତୋଳନ ଦ‌ାୟିତ୍ବ ତୁଲାଇଛନ୍ତି ଦୀପକ କୁମାର।

ସମ୍ବନ୍ଧିତ ଖବର