ହାତଗୋଡ଼ ବାନ୍ଧି ଯୁବକଙ୍କୁ ଅପହରଣ, ପୁରୀ-କଟକ ବାଇପାସ୍‌ରୁ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କ ହାତଗୋଡ଼ ବାନ୍ଧି ଅପହରଣ କରିନେଲେ। ଫୁଲନଖରା ପାଖରେ ଏକ ଘରେ ରଖିଥିଲେ। ମଦ ନିଶାରେ ଅପହର୍ତ୍ତା ଶୋଇଥିବା ବେଳେ ଯୁବକ ଜଣକ ଖସି ଆସିଥିଲେ। ପୁଲିସକୁ ଫୋନ୍‌ କରିବା ପରେ ପୁରୀ ବାଇପାସ୍‌ରୁ ତାଙ୍କୁ ଉଦ୍ଧାର କରାଯାଇଛି। ଯୁବକଜଣଙ୍କ ନୟାଗଡ଼ ଜିଲ୍ଲା ଖଣ୍ଡପଡା ସିଧାମୁଳା ପଞ୍ଚାୟତ ବଳରାମ ପ୍ରସାଦ ଗ୍ରାମର କୁଶ ଚରଣ ଲେଙ୍କା ବୋଲି ପୁଲିସ କହିଛି। ଏନେଇ ତମାଣ୍ଡୋ ଥାନା ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ବିଳମ୍ବିତ ରାତି ସୁଦ୍ଧା ପୁଲିସ ଅପରାଧୀମାନଙ୍କୁ କାବୁ କରିପାରି ନାହିଁ।

ସୂଚନାଯୋଗ୍ୟ, କୁଶ ରଙ୍ଗ ମିସ୍ତ୍ରି କାମ କରନ୍ତି। ଏହି କାମ କରିବା ପାଇଁ ତମାଣ୍ଡୋ ଥାନା କଳିଙ୍ଗବିହାର ପ୍ଲଟ ନମ୍ବର ୧୦୧୩ରେ ଥିବା ଘରେ ଭଡ଼ାରେ ରହୁଥିଲେ। ରବିବାର ସଟ୍‍ଡାଉନ ରାତି ପ୍ରାୟ ୯ଟା ବେଳେ କୁଶ ପରିସ୍ରା କରିବାକୁ ବାହାରକୁ ଆସିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଏକ ଧଳା ରଙ୍ଗର କାର୍‌ ଅଟକିବା ସହ ୪ ଜଣ ଯୁବକ ଆସି ରାଧାଶ୍ୟାମ ଓଝା କେଉଁଠି ରୁହନ୍ତି ବୋଲି ପଚାରିଥିଲେ। କୁଶ କିଛି କହିବା‌ ପୂର୍ବରୁ ଯୁବକମାନେ ମୁହଁରେ କପଡ଼ା ବାନ୍ଧି କୁଶଙ୍କୁ ଟେକି ନେଇଥିଲେ। କାର୍‌ ଭିତରେ ହାତଗୋଡ଼ ବାନ୍ଧି ଦେଇଥିଲେ। ଦ୍ରୁତ ବେଗରେ ରାଜପଥରେ ଯାଇ ଫୁଲନଖରାର ଏକ ଘରକୁ ନେଇ ଯାଇଥିଲେ। ସେଠାରେ ସେମାନେ ମଦ ପିଇଥିଲେ। ଜଣେ ଯୁବକ କୁଶଙ୍କୁ ଘର ଭିତରେ ମାଡ଼ ମାରିଥିଲେ। ରାତି ପ୍ରାୟ ୧୨ଟା ବେଳେ ନିଶାସକ୍ତ ଯୁବକମାନେ ଶୋଇ ପଡ଼ିଥିବାବେଳେ କୁଶ ଖସି ଆସିଥିଲେ। ପ୍ରାୟ ୫ କିଲୋମିଟର ଚାଲିବା ପରେ କୁଶ ତାଙ୍କ ମାମୁ ପ୍ରମୋଦ କୁମାର ପାଇଲଙ୍କୁ ଫୋନ କରି ଜଣାଇଥିଲେ। ପ୍ରମୋଦ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଳମ୍ବିତ ରାତିରେ ପୁରୀ ବାଇପାସ ରୋଡରୁ ଉଦ୍ଧାର କରିଥିଲା। ତେବେ ଅପହର୍ତ୍ତା କୁଶଙ୍କର ମୋବାଇଲ କାହିଁକି ଛଡ଼ାଇ ନେଇନଥିଲେ? ହାତଗୋଡ଼ ବନ୍ଧା ହୋଇଥିବା ବେଳେ କୁଶ କିଭଳି ଫିଟାଇ ପାରିଲେ? ଏ ସବୁକୁ ନେଇ ସନ୍ଦେହ ହେଉଥିବାରୁ ଏହା ପଛରେ ଆଉ କିଛି ରହସ୍ୟ ଥିବା ନେଇ ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର