ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଅଶାନ୍ତ ହୋଇପଡ଼ିଛି। ଛାତ୍ର-ଅଣଛାତ୍ର ଗୋଷ୍ଠୀ ବିବାଦରୁ ଆଜି ଜାତୀୟ ରାଜପଥରେ ନିଆଁ ଜଳିଛି। ବିଜୁ ଛାତ୍ର ଜନତାର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଲାଗିଥିବାରୁ ଶାସକ ଦଳ ଅଡ଼ୁଆରେ ପଡ଼ି ଯାଇଛି। ଘଟଣା ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ସନ୍ଧ୍ୟାରେ ବିଜୁ ଛାତ୍ର ଜନତାର ତିନିି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୋଟିଏ ଗୋଷ୍ଠୀ ଛାତ୍ର ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ଆଉ ଏକ ଗୋଷ୍ଠୀ ବିଶ୍ୱବିଦ୍ୟାଳୟ କ୍ୟମ୍ପସରେ ଏକ ଶିକ୍ଷାନୁଷ୍ଠାନରୁ ଚାନ୍ଦା ମଗାଯିବା ଘଟଣାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି। ସହିଦନଗର ଥାନା ପୁଲିସ ଦୁଇ ପକ୍ଷର ଅଭିଯୋଗ ଗ୍ରହଣ କରିଥିିବାବେଳେ ଅପହରଣ ଓ ଆକ୍ରମଣ ଅଭିଯୋଗରେ ବିଜୁ ଛାତ୍ର ଜନତାର ତିନି ଛାତ୍ର ନେତାଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା ଓ ଅନ୍ୟ ଜଣେ ଛାତ୍ର ନେତା ଜ୍ୟୋତି ରଂଜନ ମହାନ୍ତି।
ଆଜି ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ସୌମ୍ୟ ରଂଜନ ମହାପାତ୍ରଙ୍କୁ ଅପହରଣ କରାଯାଇଥିବା ଖବର ପ୍ରଘଟ ହେବା ପରେ ତାଙ୍କ ସମର୍ଥକମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଟାୟାର ଜାଳି ଅବରୋଧ କରିଥିଲେ। ପ୍ରାୟ ଅଧ ଘଣ୍ଟା କାଳ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରାସ୍ତା ଅବରୋଧ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିକ୍ଷୋଭରତ ଛାତ୍ରମାନେ ହାତରେ ଠେଙ୍ଗା, ବାଡ଼ି ଧରି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଜାତୀୟ ରାଜପଥରେ ଆତଙ୍କ ଖେଳାଇ ଦେଇଥିଲେ। ଅପହରଣ ନେଇ ସୌମ୍ୟଙ୍କ ସମର୍ଥକମାନେ ସହିଦନଗର ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ବିଭିନ୍ନ ଛାତ୍ରଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିବା ପରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୌମ୍ୟଙ୍କୁ ଟଙ୍କପାଣି ରୋଡ୍ରୁ ଉଦ୍ଧାର କରିଥିଲା। ସେଠାରୁ ଉଦ୍ଧାର କରିବା ପରେ ପୁଲିସ ସୌମ୍ୟଙ୍କ ବୟାନ ରେକର୍ଡ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହାପରେ ବିଜୁ ଛାତ୍ର ଜନତାର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା ଓ ଅନ୍ୟ ଜଣେ ଛାତ୍ର ନେତା ଜ୍ୟୋତିଙ୍କୁ ଅଟକ ରଖିଥିଲା। କିନ୍ତୁ ଏହି ଛାତ୍ର ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ସୌମ୍ୟଙ୍କ ଗୋଷ୍ଠୀ ଦାବି କରିଥିଲେ। ପୁଲିସ ଗିରଫ ନ କରିବାରୁ ସେମାନେ ଡିସିପି ଅଫିସ ଘେରାଉ କରିଥିଲେ। ଅପରପକ୍ଷେ କଳ୍ପତରୁ, ଅଜିତ ଏବଂ ତାଙ୍କ ସମର୍ଥକଙ୍କୁ ପୁଲିସ ଅଟକ ରଖିଥିବା ପ୍ରଘଟ ହେବା ପରେ ତାଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରି ତାଙ୍କ ସମର୍ଥକମାନେ ବିଜେବି କଲେଜ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶାସକ ଦଳର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିବାରୁ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିପାରି ନଥିଲା। ବୁଧବାର ମହାନଦୀ ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡ଼ିର ସମାବେଶ ଥିବାରୁ ଦଳର କିଛି ବରିଷ୍ଠ ନେତା ଅପହର୍ତାଙ୍କୁ ଛାଡ଼ି ଦେବାକୁ ପୁଲିସ ଉପରେ ଚାପ ପକାଇଥିଲେ। କିନ୍ତୁ ବିଜେଡିର ଆଉ ଏକ ଗୋଷ୍ଠୀ ଅପହରଣ କରିଥିବା ଛାତ୍ର ନେତାଙ୍କୁ ତୁରନ୍ତ କୋର୍ଟ ଚାଲାଣ କରିବାକୁ ଚାପ ପକାଇଥିଲେ। ଏହାପରେ ପୁଲିସ ତିନି ଛାତ୍ର ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
/sambad/media/post_attachments/wp-content/uploads/2018/05/m9-2-300x200.jpg)
ତିନି ଛାତ୍ର ନେତା ଗିରଫ
ବିଜୁ ଛାତ୍ର ଜନତାର ଦୁଇ ଗୋଷ୍ଠୀ ମୁହାଁମୁହିଁ
ଉଭୟ ଗୋଷ୍ଠୀର ଜାତୀୟ ରାଜପଥ ଅବରୋଧ
ମୋତେ ଅପହରଣ କରାଯାଇଥିଲା: ସୌମ୍ୟ
ଚାନ୍ଦା ମାଗିବାକୁ ପ୍ରତିବାଦ କରିବାରୁ ଆକ୍ରମଣ ହୋଇଛି: କଳ୍ପତରୁ
ସୌମ୍ୟ ରଂଜନ ମହାପାତ୍ର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ସେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସରେ ବୁଲୁଥିବା ସମୟରେ କଳ୍ପତରୁ ଓଝା, ଅଜିତ୍ ବେହେରା, ଶିବପ୍ରସାଦ ମହାନ୍ତି, ରାକେଶ ମହାନ୍ତି, ଧ୍ରୁତି ରଂଜନ ମହାନ୍ତିଙ୍କ ସମେତ ୧୫ଜଣ ଅଣଛାତ୍ର ବାଇକ୍ରେ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ିରେ ପୁରୀ ବାଇପାସ୍ ରୋଡ୍କୁ ନେଇଯାଇଥିଲେ। ସେଠାରେ ଏକ ଦୋକାନ ଘର ପଛପଟେ ନିସ୍ତୁକ ମାଡ଼ ମାରି ପଥରରେ ଆକ୍ରମଣ କରିବାରୁ ମୁଁ ଚେତାଶୂନ୍ୟ ହୋଇଯାଇଥିଲି। ଚେତା ଫେରିବା ବେଳକୁ ପୁଲିସ ମୋତେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗିରଫ ହୋଇଥିବା କଳ୍ପତରୁ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ସୋମବାର ‘ସୃଷ୍ଟି ଏକାଡେମି’ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଷ୍ଟଲ ପକାଇ ଲିଫ୍ଲେଟ୍ ବଣ୍ଟାଯାଉଥିଲା। ଏହି ସମୟରେ ସୌମ୍ୟ ଓ ତାଙ୍କ ସହଯୋଗୀମାନେ ଲିଫ୍ଲେଟ୍ ବାଣ୍ଟୁଥିବା ପିଲାଙ୍କୁ ୧୫ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ‘ସୃଷ୍ଟି ଏକାଡେମି’ର ଜଣେ କର୍ମଚାରୀ ମୋତେ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଏନେଇ ମୁଁ ସୌମ୍ୟଙ୍କୁ ଫୋନ୍ କରି ପଚାରିବାରୁ ସେ ମୋତେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ମୁଁ ସୌମ୍ୟ ସହ କଥା ହେଉଥିବା ବେଳେ ତାଙ୍କ ପାଖରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ପୂର୍ବତନ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଫୋନ ଛଡ଼ାଇ ନେଇ ମୋତେ ହତ୍ୟା ଧମକ ଦେବା ସହ ବାଣୀବିହାର କ୍ୟାମ୍ପସ ନ ଆସିବାକୁ କହିଥିଲେ। ମଙ୍ଗଳବାର ଦିନ ନାମଲେଖା ସମ୍ପର୍କରେ ବୁଝିବା ଲାଗି କ୍ୟାମ୍ପସ୍କୁ ଯାଇଥିବା ବେଳେ ଚିନ୍ମୟ, ତନ୍ମୟ ଓ ସୌମ୍ୟ ତାଙ୍କର ୧୦ରୁ ୧୫ଜଣ ସମର୍ଥକଙ୍କ ସହ ଆସି ମୋତେ ହକି ଷ୍ଟିକ୍ରେ ମାଡ଼ ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/m15-2.jpg)